ଭୁବନେଶ୍ବର: ଭୁବନେଶର ଜନତା ମଇଦାନରେ ଅନୁଷ୍ଠିତ ଦୁଇ ଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ରେକର୍ଡ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରି ପାରିଛନ୍ତି। ଦୁଇଦିନରେ ରାଜ୍ୟ ସରକାର ୧୪୫ଟି ସଂସ୍ଥା ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରି ଏହି ପୁଞ୍ଜି ପାଇଛନ୍ତି। ଉକ୍ତ ନିବେଶ ଜରିଆରେ ରାଜ୍ୟରେ ୮ ଲକ୍ଷ ୯୪ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ନିବେଶକ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୫’ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ୫ଲକ୍ଷ କୋଟି ଟଙ୍କାର ନିବେଶ ଆଶା କରିଥିଲେ।
ରାଜ୍ୟକୁ ଏମ୍ଓୟୁ ଜରିଆରେ ରୟାସନ, ପେଟ୍ରୋରସାୟନ, ବୟନଶିଳ୍ପ, ଖଣି ଓ ଧାତବ, ଅକ୍ଷୟ ଶକ୍ତି, ଆଇଟି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପରି ବିବିଧ କ୍ଷେତ୍ରରୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହି ରାଜିନାମାଗୁଡ଼ିକ ଓଡ଼ିଶାରେ ଶିଳ୍ପର କାୟାକଳ୍ପ ପରିବର୍ତ୍ତନ କରିବା ସହିତ ବିଶ୍ୱସ୍ତରୀୟ ଶିଳ୍ପସଂସ୍ଥାମାନଙ୍କ ସହିତ ସହଭାଗିତାର ନୂଆ ଯୁଗ ଆରମ୍ଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୫ ବେଶ୍ ସଫଳ ହୋଇଛି। ଏହି ପୁଞ୍ଜିନିବେଶ ଦ୍ବାରା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଆସିବ। ରାଜ୍ୟ ସମାବେଶୀ ଅଭିବୃଦ୍ଧି ହାସଲ କରିବ। ଏମ୍ଓୟୁ ସ୍ୱାକ୍ଷର ବ୍ୟତୀତ ଆହୁରି ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ଟି ପୁଞ୍ଜିନିବେଶ ଅଭିପ୍ରାୟ ମଧ୍ୟ ଆମେ ନିର୍ଦ୍ଧାରିତ ଫର୍ମରେ ଗ୍ରହଣ କରିଛୁ। ଏହାଦ୍ୱାରା ୩.୯୨ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ତେଣୁ ଉଭୟ ଏମ୍ଓୟୁ ଏବଂ ନିବେଶ ଅଭିପ୍ରାୟକୁ ଦେଖିଲେ ରାଜ୍ୟକୁ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରସ୍ତାବ ଜରିଆରେ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ନିବେଶ ଆସିବ। ଏହା ଜରିଆରେ ମୋଟ ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ନିବେଶ ସମ୍ମିଳନୀରେ ଚାଲିଥିବା ପ୍ରଦର୍ଶନୀକୁ ସାଧାରଣ ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ବୃଦ୍ଧି ଘୋଷଣା କରିଛନ୍ତି। ଅର୍ଥାତ୍ ଜାନୁଆରି ୩୧ ତାରିଖ ଯାଏ ଏହି ପ୍ରଦର୍ଶନୀ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ତାଙ୍କର ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାକୁ ବିକାଶର ଇଞ୍ଜିନ୍ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସିଛନ୍ତି । ଡବଲ ଇଞ୍ଜିନ୍ ସରକାରରେ ତାଙ୍କର ଯାହା ଭୂମିକା ରହିବା କଥା ତାକୁ ସେ ସମ୍ପୂର୍ଣ୍ଣ ଭାବେ ନିର୍ବାହ କରିଛନ୍ତି । ଏହାଦ୍ୱାରା ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ଯେଉଁ ସଂକଳ୍ପ ରହିଛି, ଆମେ ତାହାର ନିକଟତର ହୋଇପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ଭଳି ସହଯୋଗୀ ଦେଶ ସହିତ ୧୬ଟି ଦେଶର ପ୍ରତିନିଧି ସମ୍ମିଳନୀରେ ଯୋଗଦେଇଥିଲେ। ଏହାଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି। ଦ୍ୱିତୀୟ ଦିନରେ ବୟନ ଶିଳ୍ପ ଓ ପୋଷାକ, ଅକ୍ଷୟ ଶକ୍ତି, ସ୍କିଲଡ୍-ଇନ୍-ଓଡ଼ିଶା, ମହିଳା ମାନଙ୍କ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନୋମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସବୁ କ୍ଷେତ୍ରଗୁଡିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଥିଲା। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧତାର ସହ କାମ କରୁଛୁ ଓ ଆଗାମୀ ଦିନରେ ମଧ୍ୟ ଏଥିପାଇଁ ଉଦ୍ୟମ ଜାରିରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦୁଇଦିନିଆ ନିବେଶ ମହାକୁମ୍ଭରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବ୍ୟାବସାୟିକ ପ୍ରତିନିଧି, ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ।
କିଏ କେତେ ଖଟାଇବେ
କମ୍ପାନି ନିବେଶ (କୋଟିରେ)
ଆଦାନୀ ଗ୍ରୁପ୍ ୨,୨୮,୦୦୦
ବେଦାନ୍ତ ୧,୦୦,୦୦୦
ଟାଟା ୮୭,୯୪୪
ଏମ୍ସିଏଲ୍ ୮୧,୯୦୦
ଜେଏସ୍ଡବ୍ଲୁ ଗ୍ରୁପ୍ ୭୫,୦୦୦
ଏନ୍ଏଲ୍ସି ୫୨,୦୦୦
ସେଲ୍ ୫୦,୮୦୦
ଏନ୍ଟିପିସି ୩୬,୧୩୧
ନାଲ୍କୋ ୩୫,୦୦୦
ଜେଏସ୍ପିଏଲ୍ ୨୫,୫୭୦
ଆଦିତ୍ୟ ବିର୍ଲା ଗ୍ରୁପ୍ ୧୯,୦୧୭
ଜେଏସ୍ଏଲ୍ ୧୫,୦୦୦
ଓଏନ୍ଜିସି ତ୍ରିପୁରା ୧୪,୫୦୦
ପାରାଦୀପ ବନ୍ଦର ୧୩,୬୪୫
ଏନ୍ଏଚ୍ପିସି ୧୩,୪୮୭
ଦିନଟିଏ ବଢ଼ିଲା ପ୍ରଦର୍ଶନୀ
୧୪୫ଟି ଏମ୍ଓୟୁ ସ୍ବାକ୍ଷର
ମହିଳା କାର୍ଡ ଖେଳିଲେ, ସ୍ବତନ୍ତ୍ର ଶିଳ୍ପ ପାର୍କ ସ୍ଥାପନ ହେବ
ଭୁବନେଶ୍ୱର: ଶିଳ୍ପପତିମାନଙ୍କ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୨୫’ରେ ରାଜ୍ୟ ସରକାର ଆଜି ମହିଳା କାର୍ଡ ଖେଳିଛନ୍ତି। ମହିଳାମାନେ ଜୀବନର ପ୍ରତିଟି କ୍ଷେତ୍ରରେ ପୁରୁଷମାନଙ୍କ ସହ ସମକକ୍ଷ ହେଲେଣି। କୃଷି କ୍ଷେତ୍ରରେ କାମ କରିବାଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍ ପ୍ରେରଣ କରିବା, କ୍ରୀଡ଼ା ଭଳି ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ ମହିଳାମାନେ ମଧ୍ୟ ତାହା କରିପାରିବେ। ସଠିକ୍ ସୁଯୋଗ ମିଳିଲେ, ସେମାନେ କାମ କରିବାକୁ ବାଛିଥିବା ଯେକୌଣସି କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବେ କହି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀରେ ମହିଳା କାର୍ଡ ଖେଳିଛନ୍ତି। କନ୍କ୍ଲେଭରେ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଗୋଟିଏ ସ୍ୱତନ୍ତ୍ର ମହିଳା ଶିଳ୍ପ ପାର୍କ ଏବଂ ଇପିକଲ୍ରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ୍ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି।
ଶିକ୍ଷା ହେଉଛି ମହିଳା ସଶକ୍ତୀକରଣର ଚାବିକାଠି। ଆଗାମୀ ବର୍ଷଗୁଡ଼ିକରେ, ମହିଳାମାନଙ୍କୁ ଉଦ୍ୟୋଗୀ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ବିଶ୍ୱବିଦ୍ୟାଳୟ ଏବଂ ବ୍ୟାବସାୟିକ ବିଦ୍ୟାଳୟ ସହିତ ସହଯୋଗ କରି ଶିକ୍ଷାଗତ ଏବଂ ବ୍ୟାବହାରିକ ବ୍ୟବସାୟ ଅଭିଜ୍ଞତା ପ୍ରଦାନ କରୁଥିବା ଛାତ୍ରବୃତ୍ତି, ଇଣ୍ଟର୍ନସିପ୍ ଏବଂ ନେତୃତ୍ୱ କାର୍ଯ୍ୟକ୍ରମ ପ୍ରଦାନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତ ତଥା ବିଦେଶର ପ୍ରମୁଖ ମହିଳା ଉଦ୍ୟୋଗୀ ଡାଏନା ପିଚୋ, ଧରିତ୍ରୀ ପଟ୍ଟନାୟକ, ସ୍ୱୀକୃତି ପଟ୍ଟନାୟକ, ସ୍ମିତା ଅଗ୍ରୱାଲ, ପ୍ରୀତି ବଜାଜ୍ ପ୍ରମୁଖଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣି ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାକୁ ଶିଳ୍ପସମୃଦ୍ଧ ରାଜ୍ୟ ରୂପେ ଗଢ଼ିବା ପାଇଁ ମହିଳା ଉଦ୍ୟୋଗୀମାନଙ୍କର ପ୍ରମୁଖ ଯୋଗଦାନ ରହିବ ଏବଂ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ସରକାର ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉନ୍ନୟନ କମିସନର ଅନୁ ଗର୍ଗ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମସ୍ତ ମହିଳା ଉଦ୍ୟୋଗୀଙ୍କୁ ସ୍ୱାଗତ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆକ୍ୟୁ-ଲ ର ମ୍ୟାନେଜିଂ ପାର୍ଟନର ସୁଚରିତା ବାସୁ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।