ଭୁବନେଶ୍ବର: ଜୁନ୍ ୧୨, ୨୦୨୪। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ। ଶେଷ ହେଲା ନବୀନ ପଟ୍ଟନାୟକଙ୍କର ୨୪ ବର୍ଷର ଶାସନ। କେବଳ ଜଣଙ୍କୁ ବାଦ୍ ଦେଲେ ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ ନେଇ ମୋହନ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କଲେ। ଏହା ମଧ୍ୟରେ ସରକାରଙ୍କୁ ଏକ ବର୍ଷ ବିତିଗଲା। ଗୋଟିଏ ସରକାର ପାଇଁ ଏତିକି ସମୟ କିଛି କମ୍ ନୁହେଁ। ଏହି ବର୍ଷକରେ ଏକ ମିଶାମିଶି ଉପଲବ୍ଧି ସମସ୍ତେ ଅନୁଭବ କରୁଛନ୍ତି। ‌କିଛି ପ୍ରତିଶ୍ରୁତି ପୂରଣ କରି ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି ସରକାର। ତାହା ସତ୍ତ୍ବେ କିଛିଟା କାରଣ ପାଇଁ ସନ୍ଦେହର ବଳୟରେ ବି ରହିଛନ୍ତି। ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ୍‌ ବୈଠକ ଡାକି ଚାରିଟି ବଡ଼ ଯୋଜନାରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ। ନିର୍ବାଚନ ପ୍ରତିଶ୍ରୁତି ପୂରଣର ଏହା ଥିଲା ଏକ ବଡ଼ ପଦକ୍ଷେପ। ପ୍ରଥମ କ୍ୟାବିନେଟ୍‌ ନିଷ୍ପତ୍ତିରୁ ସରକାରଙ୍କ ଚଳଚଞ୍ଚଳ ଓ ସକରାତ୍ମକ ସ୍ବଭାବ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ସହ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ବି ଖୋଲାଯାଇଛି। ‘ସୁଭଦ୍ରା’ ଯୋଜନ‌ାରେ ମହିଳାଙ୍କୁ ଦୁଇଟି କିସ୍ତିରେ ଟଙ୍କା ଦିଆସରିଲାଣି। ପୁଣି ଧାନର ଏମ୍‌ଏସ୍‌ପି ଉପରେ ୮୦୦ ଟଙ୍କା ବୋନସ୍‌ ବି ଦିଆଯାଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯାଇଛି। ସରକାରଙ୍କ ସଫଳତାର ତାଲିକାରେ ଏହି କେତୋଟି ପ୍ରସଙ୍ଗ ନିଶ୍ଚିତ ଆଗରେ ରହିଛି। 

Advertisment

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକପ୍ରକାର ବନ୍ଦ ଥିଲା ବେଳେ ଏବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ବହୁ ଆଶା ନେଇ ଆସୁଥିବା ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇ ଆବେଦନପତ୍ରଟି ହସ୍ତାନ୍ତର କରିପାରୁଛି। ଫଳରେ ରାଜ୍ୟରେ ଶାସନର ସର୍ବୋଚ୍ଚ କର୍ତ୍ତା ଓ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟବଧାନ ଦୂର ହୋଇପାରିଛି। କେବଳ ଭୁବନେଶ୍ବର ନୁହେଁ, ସମ୍ବଲପୁରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରାଯାଇଛି। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ଏହା ଏକ ବଡ଼ ଉପଲବ୍ଧି ବୋଲି ରାଜନୈତିକ ସମୀକ୍ଷକମାନେ ବିଚାର କରୁଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଏହାକୁ ଜୋର୍‌ଦାର ପ୍ରଚାର କରାଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ଶାସନର ପ୍ରଥମ ବର୍ଷରେ ସବୁ ଜିଲ୍ଲାକୁ ଗସ୍ତ କରିସାରିଛନ୍ତି। ‌ଏହି ଗସ୍ତ ସମୟରେ ସେ ଜିଲ୍ଲାର ସବୁ ବିକାଶମୂଳକ ପ୍ରକଳ୍ପର ସିଧାସଳଖ ସମୀକ୍ଷା କରୁଛନ୍ତି। କିଛି ଜିଲ୍ଲାରେ ବିରୋଧୀ ବିଧାୟକ ବି ସମୀକ୍ଷା ବୈଠକରେ ବସୁଥିବାର ଦେଖିବାକୁ ମିଳୁଛି। ଏହା ବାଦ୍ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ବି ପ୍ରଶଂସା ମିଳିଛି। ବର୍ଷକ ମଧ୍ୟରେ କିରାଣିଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ, ଓଏଏସ୍‌ ଓ ଆଇଏଏସ୍‌ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ସରକାର ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ ଦୂର ହୋଇଛି
ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ମିଳୁଛି ପ୍ରଶଂସା

ସରକାର ଯେ ସମାଲୋଚନାରୁ ମୁକ୍ତ, ତାହା କହିବା ଠିକ୍ ହେବ ନାହିଁ। କିଛି ଘଟଣାକ୍ରମ ବିଜେପି ସରକାରକୁ ସନ୍ଦେହର ବଳୟରେ ରଖିଛି। ପୂର୍ବ ସରକାରରେ ନିର୍ଦ୍ଦିଷ୍ଟ ଅଧିକାରୀମାନେ ସରକାରୀ ଦଳର ଏଜେଣ୍ଟ ଭାବେ କାମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ‌ହେଉଥିଲା। ଜିଲ୍ଲାପାଳ ଓ ଏସ୍‌ପିମାନେ ବିଜେଡିର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି ବୋଲି ବିଜେପି ନେତାମାନେ ଜୋରଦାର ଅଭିଯୋଗ କରୁଥିଲେ। ଶାସନକୁ ଆସିଲା ପରେ ଏମିତି ଅଭିଯୋଗରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବରଂ ଅନେକ ବିବାଦୀୟ ଅଧିକାରୀଙ୍କୁ ରାଜ୍ୟ ସରକାର କ୍ଲିନ୍‌ଚିଟ୍‌ ଦେଇ କେନ୍ଦ୍ରୀୟ ଡେପୁଟେସନ୍‌ରେ ପଠାଇ ଦେଇଛନ୍ତି। ଏହା ଦ୍ବାରା ସରକାରଙ୍କ ଏକ ନକରାତ୍ମକ ଭାବମୂର୍ତ୍ତି ସୃଷ୍ଟି ହୋଇଛି। କିଛି ମନ୍ତ୍ରୀଙ୍କ ବେଲଗାମ ତୁଣ୍ଡ ସରକାରଙ୍କୁ ଅଧିକ ଅଡ଼ୁଆରେ ପକାଇଛି। ଅଭିଜ୍ଞତାର ଅଭାବ ହେଉ କିମ୍ବା ଅତର୍କିତ କ୍ଷମତା ମିଳିଥିବାରୁ ହେଉ, ମନ୍ତ୍ରୀମାନେ ମନଇଚ୍ଛା ବିବୃତି ଦେଇ ସମାଲୋଚନାର ଶିକାର ହୋଇଛନ୍ତି। କିଛି ମନ୍ତ୍ରୀ ଓ ଶାସକ ଦଳ ବିଧାୟକଙ୍କ ଆଚରଣ ଆପତ୍ତିଜନକ ରହିଛି, ଯାହା କି ସରକାରଙ୍କ ପାଇଁ ଅସ୍ବସ୍ତିର କାରଣ ରହିଛି।

ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି କ୍ଷମତାକୁ ଆସିଛି। ତେଣୁ ଓଡ଼ିଆ ଅସ୍ମିତାର ସୁରକ୍ଷା ହିଁ ଦଳ ପାଇଁ ବଡ଼ ଆହ୍ବାନ। ଏ ଦିଗରେ ପ୍ରଥମ ବର୍ଷରେ କିଛିଟା ପଦକ୍ଷେପ ନିଆଯାଇଛି। ମହାପୁରୁଷଙ୍କ ସ୍ମୃତିରକ୍ଷା ଉଦ୍ୟମ, ଅସ୍ମିତା ଭବନ ପାଇଁ ବଜେଟ୍‌ ବ୍ୟବସ୍ଥା, ସଂସ୍କୃତି ବିଭାଗର ବଜେଟ୍‌ ପରିମାଣ ବୃଦ୍ଧି, ଓଡ଼ିଆ ପକ୍ଷ ପାଳନ, ଶାସନରେ ଓଡ଼ିଆ ଭାଷା ବ୍ୟବହାର ଆଦି ପଦକ୍ଷେପ ନିଆଯାଇଛି। ଏ ଦିଗରେ ସରକାରଙ୍କୁ ଆହୁରି ଯୋଜନାବଦ୍ଧ ଉଦ୍ୟମ କରିବା ଦରକାର ବୋଲି କୁହାଯାଉଛି। ବର୍ଷକ ଭିତରେ ସରକାରଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ କୌଣସି ବଡ଼ଧରଣର ଆନ୍ଦୋଳନ ହୋଇ ନାହିଁ। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କୁ ଅଡ଼ୁଆରେ ପକାଇଲା ପରେ କୌଣସି ବଡ଼ ପ୍ରସଙ୍ଗ ବିରୋଧୀ ଦଳ ଉଠାଇ ନାହାନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ଦୋଛକିରେ ରହିଛି। ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦ ବଢ଼ିଛି ଓ ଦିଶାହୀନ ହୋଇ ଚାଲିଛି। କଂଗ୍ରେସ ଆଗ ଅପେକ୍ଷା ସକ୍ରିୟ ହୋଇଛି ସତ, କିନ୍ତୁ ପୂରା ଦମ୍‌ରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇନି। ବିରୋଧୀ ଦଳର ଏହି ସ୍ଥିତି ସରକାରଙ୍କୁ ବେଶ୍‌ ସୁହାଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।