ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି। ତଳରୁ ଉପର ଯାଏ ଦୁର୍ନୀତି ଭରି ରହିଛି। ଓଡ଼ିଆ ଅସ୍ମିତା ନାଁରେ ଶାସନ ଗାଦିରେ ବସିଥିବା ମୋହନ ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। 

Advertisment

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, ବିଜେପିର ପ୍ରତିଶ୍ରୁତିର ପ୍ରତାରଣାକୁ ପଦାରେ ପକାଇବା ପାଇଁ ‘ବର୍ଷ-୧, ପ୍ରତାରଣା ଅନେକ’ ସମ୍ପର୍କରେ ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରମୁଖ ସହରରେ ବରିଷ୍ଠ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବେ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ-ବଲାଙ୍ଗୀର, ନିରଞ୍ଜନ ପଟ୍ଟନାୟକ-ଖୋର୍ଦ୍ଧା, ଜୟଦେବ ଜେନା-ପୁରୀ, ପ୍ରସାଦ ହରିଚନ୍ଦନ-ବ୍ରହ୍ମପୁର, ତାରାପ୍ରସାଦ ବାହିନୀପତି-ବାଲେଶ୍ବର, ଜଗନ୍ନାଥ ପଟ୍ଟନାୟକ- ସମ୍ବଲପୁର, ଅନନ୍ତ ପ୍ରସାଦ ସେଠୀ- କେନ୍ଦ୍ରାପଡ଼ା, ସିଏସ ରାଜନ ଏକ୍କା- ରାୟଗଡ଼ା ଆଦି ପ୍ରମୁଖ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବେ। ପରେ ଜିଲ୍ଲାସ୍ତରରେ ମଧ୍ୟ ଆୟୋଜିତ ହେବ। ରାଜ୍ୟର କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ୧୮ ମାସ ମଧ୍ୟରେ ଟଙ୍କା ଫେରାଇବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି।

ଓଡ଼ିଆ ଅସ୍ମିତା ନାଁରେ ରାଜ୍ୟବାସୀଙ୍କୁ ଠକିଛନ୍ତି ମୋହନ ସରକାର : ଭକ୍ତ
ରାଜ୍ୟର ପ୍ରମୁଖ ସହରରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମୁଖା ଖୋଲାଯିବ

କଟ୍‌ନି ଛଟ୍‌ନି ବ୍ୟବସ୍ଥାରେ କ୍ବିଣ୍ଟାଲ ପିଛା ୮ରୁ ୯ କେଜି ଧାନ କଟା ଯାଉଥିବା ବେଳେ ତାହାର ହିସାବ କାହା ପାଖରେ ? ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ପ୍ରତାରଣା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲି ଗଣତି, ମଣତି କରିବେ ବୋଲି କହିଥିଲେ। ବର୍ଷେ ପୂରିବା ପରେ ଗଣତି, ମଣତିର ଚିହ୍ନବର୍ଣ୍ଣ ନାହିଁ। ଆୟୁଷ୍ମାନ ଯୋଜନା ବ୍ୟବସ୍ଥା ଏଭଳି ଜଟିଳ ଯେ ଅସହାୟ ଗରିବ ରୋଗୀ ଚିକିତ୍ସା ପାଇପାରୁ ନାହିଁ। ରାଜ୍ୟ‌ରେ ବିଜେଡି ବି‌ରୋଧୀ ଦଳର ମାନ୍ୟତା ପାଇଥିଲେ ହେଁ ବିଜେପିର ସହଯୋଗୀ ଭାବେ କାମ କରୁଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ ଅନେକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କହିଥିଲା। ହେଲେ ସେମାନଙ୍କୁ ପୁରସ୍କାର ସ୍ୱରୂପ କେନ୍ଦ୍ରରେ ଉଚ୍ଚ ପଦରେ ଥଇଥାନ କରାଯାଇଛି। ଯାଜପୁର ସମତେ ୫ଟି ଜିଲ୍ଲାରେ ଝାଡ଼ାବାନ୍ତି ଚରମସୀମାରେ ପହଞ୍ଚିଛି। ଚିକିତ୍ସା ଅବହେଳା ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନ କମିଟି ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରିବେ ବୋଲି ଶ୍ରୀ ଦାସ କହିଥିଲେ। 

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ମୋହନ ସରକାର ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଲେ କିନ୍ତୁ ଅସ୍ମିତାର ସମ୍ମାନ ରଖିଲେ ନାହିଁ। କୃଷି କ୍ଷେତ୍ରରେ ୩ ହଜାର କୋଟି ଟଙ୍କ ବ୍ୟୟ କରି ଶୀତଳଭଣ୍ଡାର ଓ କୃଷି ବିଦ୍ୟାଳୟ ସ୍ଥାପନ ନେଇ ଦେଇଥିବା ପ୍ରତିଶ୍ରୁତି ଆଜି ପାଣିରେ ଗାର ହୋଇଛି। ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଦରମା ବୃଦ୍ଧି କରିବେ ବୋଲି ସେମାନଙ୍କୁ ନିରାଶା ଭିତରକୁ ଠେଲିଛନ୍ତି। ପେସା ଆଇନ ନେଇ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଡ୍ରାପ୍ଟିଂ କମିଟି ସଦସ୍ୟ ତାରା ପ୍ରସାଦ ବାହିନୀପତି, ଅନନ୍ତ ପ୍ରସାଦ ସେଠୀ, ଜଗନ୍ନାଥ ପଟ୍ଟନାୟକ, ରଜନୀ ମହାନ୍ତି ଓ ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।