ସହରରେ ମୌଳିକ ସେବା ଦେବାରେ ସରକାର ବିଫଳ, ସହର ସମସ୍ୟା ସମାଧାନ ହେଉ ନଥିବାରୁ ବିରୋଧୀଙ୍କ ଉଦ୍‌ବେଗ

ଭୁବନେଶ୍ବର : ଭୁବନେଶ୍ବର ସମେତ ସବୁ ସହରରେ ନାଳ ମୁକୁଳା। ପିଲା ଭାସିଯାଉଛନ୍ତି। ସବୁ ସହରରେ ପରିମଳ ବ୍ୟବସ୍ଥା ଠିକ୍ ନାହିଁ। ନାମକୁ ମାତ୍ର ଦୁଇଟି ସହର ସ୍ମାର୍ଟ ସିଟି ହୋଇଛି। ଭୁବନେଶ୍ବରକୁ ଛାଡ଼ି ଦେଲେ କୌଣସି ସହରର ମାଷ୍ଟର୍ ପ୍ଲାନ୍ ନାହିଁ। ୨୨ ବର୍ଷ ଶାସନରେ ରହିଲା ପରେ ମଧ୍ୟ ସହରବାସୀଙ୍କୁ ମୌଳିକ ସେବା ଦେବାରେ ଏ ସରକାର ବିଫଳ ହୋଇଛନ୍ତି। ଆଜି ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଏମିତି ସମାଲୋଚନା କରିଛନ୍ତି ବିରୋଧୀ ଦଳ ସଭ୍ୟମାନେ।

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ସହରାଞ୍ଚଳରେ ଆବାସ ଯୋଜନାରେ ଦୁର୍ନୀତି ବଢ଼ିଚାଲିଛି। ସବୁ ସହର ପାଇଁ ସରକାର ମାଷ୍ଟର୍ ପ୍ଲାନ୍ କରିବାରେ ବିଫଳ ହୋଇଛନ୍ତି। ଖୋଦ୍ ରାଜଧାନୀରେ ଡ୍ରେନ୍‌ରେ ସ୍ଲାବ୍ ନ ପଡ଼ିବାରୁ ପିଲା ଭାସିଯାଇ ମୃତ୍ୟୁମୁଖରେ ପଡ଼ିଛନ୍ତି। ତଥାପି ସରକାରଙ୍କ ଚେତା ପଶୁନି। କଟକରେ ତ ଜାଇକା ଯନ୍ତ୍ରଣା ସୀମା ଟପିଗଲାଣି। ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ସହରରେ ଏବେ ସର୍ବନିମ୍ନ ସୁବିଧା ମିଳୁନି। ଭୁବନେଶ୍ବରକୁ ବାଦ୍ ଦେଲେ ଅନ୍ୟ ସହର ଯୋଜନାବଦ୍ଧ ଭାବେ ତିଆରି ହୋଇ ନଥିଲା। ଏବେ କୌଣସି ସହର ପାଇଁ ମାଷ୍ଟର୍‌ପ୍ଲାନ୍ ନାହିଁ। ଯେଉଁ ପଞ୍ଚାୟତ ଅଞ୍ଚଳ ବର୍ତ୍ତମାନ ପୌରସଂସ୍ଥାରେ ମିଶୁଛି ସେଠାରେ ମୌଳିକ ସେବା ଅପହଞ୍ଚ ରହିଥିବାରୁ ଶ୍ରୀ ମିଶ୍ର ଉଦ୍‌ବେଗ ପ୍ରକାଶ କରିଥିଲେ। ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀ, କୁସୁମ ଟେଟେ ଓ ପ୍ରକାଶ ସୋରେନ୍ ଆଲୋଚନାରେ ଭାଗ ନେଇଥିଲେ।

ବରିଷ୍ଠ କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ସବୁ ପୌରସଂସ୍ଥାରେ କର୍ମଚାରୀ ସଙ୍କଟ ଉତ୍କଟ ହେଲାଣି। ପୂର୍ବରୁ ଯେଉଁମାନେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସ୍ଥାୟୀ କରାଯାଉନି। ଭୁବନେଶ୍ବରରେ ହରେକୃଷ୍ଣ ମହତାବଙ୍କ ନାମରେ ପ୍ରେକ୍ଷାଳୟ ଓ ମେଟ୍ରୋ ଗଡ଼ିବା ପାଇଁ ସରକାରଙ୍କ ଘୋଷଣା କୁଆଡ଼େ ଗଲା? ଭୁବନେଶ୍ବର ଉପକଣ୍ଠରେ ଦାରୁଠେଙ୍ଗରେ ଆବର୍ଜନା ପଡ଼ିବା କେବେ ବନ୍ଦ ହେବ? ଭୁବନେଶ୍ବରରେ ଗରିବ ଲୋକଙ୍କୁ ଜାଗା ଖଣ୍ଡେ ମିଳୁନି। ମଶାଙ୍କ ଉପଦ୍ରବରେ ଭୁବନେଶ୍ବରବାସୀ କଲବଲ ହେଲେଣି। କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ କହିଲେ, ଜାଇକା ଯନ୍ତ୍ରଣାରେ କଟକ ସହରବାସୀ କଲବଲ ହେଲେଣି। କଟକ ମହାନଗର ନିଗମରେ ଦୁର୍ନୀତି ବଢ଼ିଛି। ସେଠାରେ କିଛି ଯନ୍ତ୍ରୀ ୧୦/୧୫ ବର୍ଷ ହେଲା ରହିଲେଣି। ସନ୍ତୋଷ ସିଂହ ସାଲୁଜା ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କ କ୍ୟାଡର୍ କରିବାକୁ ଦାବି କରିଥିଲେ। ତାରାପ୍ରସାଦ ବାହିନୀପତି ଜୟପୁର ସହରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ପାରିତ
ସବୁ ବସ୍ତି ହେବ ‘ବିଜୁ ଆଦର୍ଶ କଲୋନି’: ମନ୍ତ୍ରୀ

ଶାସକ ଦଳ ସଭ୍ୟ ଶାରଦା ନାୟକ କହିଲେ, ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଦେଖିଲେ କଷ୍ଟ ଲାଗୁଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ରାଜ୍ୟକୁ ଅଧିକ ଚାପଗ୍ରସ୍ତ କରାଯାଇଛି। ଗୋଟିଏ ସହରକୁ ସ୍ମାର୍ଟ କଲା ବେଳେ ସବୁ କ୍ଷେତ୍ରରେ ତାହାର ବିକାଶ ଦେଖିବାକୁ ପଡ଼େ। କିନ୍ତୁ ଏହି ସ୍ମାର୍ଟ ସିଟି ବ୍ୟବସ୍ଥାରେ ତାହା କରାଯାଇନାହିଁ। ଏ ବାବଦରେ ସବୁ ବିଧାୟକ କେନ୍ଦ୍ର ସରକାରଙ୍କ ନିକଟରେ ସ୍ବର ଉତ୍ତୋଳନ କରନ୍ତୁ। ଅନନ୍ତ ନାରାୟଣ ଜେନା କହିଲେ, ରାଜ୍ୟର ସହରାଞ୍ଚଳରେ ପରିମଳ ବ୍ୟବସ୍ଥା ସୁବନ୍ଦୋବସ୍ତ କରଯାଇଛି। ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି। ବସ୍ତି ଅଞ୍ଚଳରେ ବିଜୁ ଆଦର୍ଶ କଲୋନି କରାଯାଇ ସବୁ ସୁବିଧା ଦିଆଯାଉଛି। ଶାସକ ଦଳ ସଭ୍ୟ ଜ୍ୟୋତିନ୍ଦ୍ରନାଥ ମିତ୍ର, ରାଜେନ୍ଦ୍ର ସାହୁ, ରାଜକିଶୋର ଦାସ, ବିକ୍ରମ ପଣ୍ଡା ଓ ସୌଭିକ ବିଶ୍ବାଳ ଆଲୋଚନାରେ ଭାଗ ନେଇଥିଲେ।

ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ କହିଲେ, ୨୦୦୦-୨୦୦୧ ବଜେଟ୍ ଅଟକଳରେ ୨୬% ଅଭିବୃଦ୍ଧି ଘଟି ୨୦୨୨-୨୩ରେ ୭୨୬୩.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ଜନସଂଖ୍ୟାର ୧୬% ଲୋକ ସହରରେ ବାସ କରୁଛନ୍ତି। ସହରବାସୀଙ୍କ ପାଇଁ ବିଭିନ୍ନ ମୌଳିକ ସେବାକୁ ସୁନିଶ୍ଚିତ କରି ସେସବୁକୁ ଦୀର୍ଘସ୍ଥାୟୀ ବାସଯୋଗ୍ୟ ଓ ଅର୍ଥନୀତି ଦୃଷ୍ଟିରୁ ସଶକ୍ତ କରିବା ନିମନ୍ତେ ବିଭାଗ କାର୍ଯ୍ୟ କରୁଛି। ଜାଗା ମିସନ ଜରିଆରେ ବସ୍ତିର ୧ ଲକ୍ଷ ୭୫ ହଜାର ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆସରିଛି। ୫୮୫ଟି ବସ୍ତିକୁ ବିଜୁ ଆଦର୍ଶ କଲୋନିରେ ରୂପାନ୍ତରିତ କରାଯାଇଛି। ଜାଗା ମିସନ୍ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି। ଏହି ମିସନ୍ ଜରିଆରେ ସବୁ ବସ୍ତିକୁ ‘ବିଜୁ ଆଦର୍ଶ କଲୋନି’ରେ ରୂପାନ୍ତରିତ କରାଯିବ। ସହରାଞ୍ଚଳରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିସନ୍ ଜରିଆରେ ୮୪ ସହରରେ ୧୦୦% ଘରକୁ ପାଇପ ଯୋଗେ ପାନୀୟ ଜଳ ଦିଆଯାଇଛି। ୨୦୨୩ ସୁଦ୍ଧା ସବୁ ଘରକୁ ପାନୀୟ ଜଳ ନିମନ୍ତେ ପାଇପ୍ ସଂଯୋଗ ଦିଆଯିବ। ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୧୪ ପୌରସଂସ୍ଥାକୁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିସନ୍ ସମ୍ପ୍ରସାରିତ ହେବ। ମୁକ୍ତା ଯୋଜନା ଅଧୀନରେ ୧୯୭୫ କୋଟି ଟଙ୍କା ବ୍ୟୟରେ ୨୨,୫୦୦ ପ୍ରକଳ୍ପ ନିର୍ମିତ ହୋଇଛି ଓ ୩୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି। ୧୧୫ ପୌରସଂସ୍ଥାରେ ଜଳସାଥୀ କାର୍ଯ୍ୟକ୍ରମ ପରିବର୍ଦ୍ଧିତ ହୋଇ ୧୦୦୦ ଜଳସାଥୀ ନିୟୋଜିତ ହେବେ।

ସମ୍ବନ୍ଧିତ ଖବର