ଲିଙ୍ଗରାଜଙ୍କ ଜମି କମ୍ପାନିକୁ ଦେବା ପାଇଁ ସରକାର ବ୍ୟାକୁଳ : କଂଗ୍ରେସ

ଭୁବନେଶ୍ବର: ଭୀମପୁର ‌ମୌଜାର ନବୀନ ନିବାସ ପାଚେରିକୁ ଲାଗି ୨.୮୭୫ ଡେମିସିଲ ପ୍ରଭୁ ଶ୍ରୀଲିଙ୍ଗରାଜ ଜମିକୁ ଏକ ବହୁରାଷ୍ଟ୍ରୀୟ କମ୍ପାନି ହାତକୁ ଟେକି ଦେବାକୁ ଷଡ଼ଯନ୍ତ୍ର ହୋଇଛି। ଠାକୁରଙ୍କ ଜମି ହୋଇଥିବା କାରଣରୁ ଏହାକୁ ବିକ୍ରି କରିବା ଆଇନସିଦ୍ଧ ନୁହେଁ। ହିନ୍ଦୁ ଦେବଦେବୀ ସଂପର୍କିତ ଆଇନ ୧୯୫୧ର ଧାରା ୧୯ ଅନୁଯାୟୀ ଯଦି ଶ୍ରୀଲିଙ୍ଗରାଜ ଟ୍ରଷ୍ଟବୋର୍ଡ ଲିଙ୍ଗରାଜଙ୍କ କୌଣସି ସଂପତ୍ତି ଲିଜ୍ ଦେବାକୁ ଚାହାନ୍ତି ତାହେଲେ ଏ ସଂପର୍କରେ ଦେବୋତ୍ତର କମିସନଙ୍କୁ ଜଣାଇବା ଉଚିତ। ଏହି ନିୟମ ଅନୁସାରେ କମିସନର ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଲିଜ୍ ଦେଇପାରିବେ। ମାତ୍ର ଏହି ଜମିରେ ଏକ ହୋଟେଲ ହେଉଥିବାରୁ ଏହାକୁ କ’ଣ ପାଇଁ ୫ ବର୍ଷ ଲିଜ୍ ଦିଆଯାଇଛି ବୋଲି ପ୍ରଶ୍ନ କରିଛି ରାଜ୍ୟ କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଉପ ସଭାପତି ଶିବାନନ୍ଦ ରାୟ କହିଲେ, ଓଡ଼ିଶା ଦେବୋତ୍ତର ଆଇନ ଅନୁଯାୟୀ ଦେବୋତ୍ତର ସଂପତ୍ତିକୁ ଲିଜ୍ ଦେବା ବେଳେ ଇ-ଅକସନ୍ ହେବା କଥା। ମାତ୍ର ଏ କ୍ଷେତ୍ରରେ ତାହା କରାଯାଇଛି କି ନାହିଁ ସନ୍ଦେହ। ଜମି ବିବାଦ ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ କାହା ସ୍ବାର୍ଥ ପୂରଣ କରିବା ପାଇଁ ସରକାର ବିଚାରାଳୟ ବାହାରେ ଆପୋଷ ସମାଧାନ କରିବାକୁ ଚାହୁଁଛନ୍ତି?

ଏହା ସହିତ ରାଜସ୍ବ, ଆଇନ, ସାଧାରଣ ପ୍ରଶାସନ ସଚିବ, ବିଏମ୍‌ସି କମିସନର, ବିଡିଏ ଉପାଧ୍ୟକ୍ଷଙ୍କୁ ନେଇ ଏକ କମିଟି ଗଠନ କରି ବିବାଦକୁ ସମାଧାନ କରିବା ପାଇଁ ତତ୍ପରତା ଦେଖାଇଛନ୍ତି। ଭୁବନେଶ୍ବରରେ ଅନ୍ୟ ସରକାର ଜମି ଥିବା ବେଳେ ରାଜ୍ୟ ସରକାର କେଉଁଠି ହେଲେ ବି ଜମି ଦେଇ ପାରିଥାନ୍ତେ। ମାତ୍ର ଶ୍ରୀଲିଙ୍ଗରାଜଙ୍କ ଜମିକୁ କମ୍ପାନି ହାତକୁ ଟେକି ଦେବାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେବାର କାରଣ କ’ଣ ?

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଥିଲେ ଭୀମପୁର ମୌଜାର ଏହି ଜମିଟି ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ମାତ୍ର କିଛି ଶହ ମିଟର ଦୂର। ଏହି ଅଞ୍ଚଳରେ ଅନ୍ୟ ବାସିନ୍ଦାମାନଙ୍କୁ ପ୍ରଥମ ମହଲାରୁ ଦ୍ବିତୀୟ ମହଲା ଘର କରିବା ପାଇଁ ବିଡିଏ ଅନୁମତି ଦେଉ ନ ଥିବା ବେଳେ ବହୁତଳ ହୋଟେଲ କରିବା ପାଇଁ କିଏ ଓ କାହିଁକି ଅନୁମତି ପ୍ରଦାନ କରିଛନ୍ତି। ବିମାନ ବନ୍ଦର ପାଖରେ ଏହି ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ପାଇଁ ବିମାନ ବନ୍ଦର କର୍ତୃପକ୍ଷ ଅନୁମତି ଦେଇଛନ୍ତି କି?

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତଙ୍କୁ ସେବାବୃତ୍ତି ପାଇଁ ଦିଆଯାଇଥିବା ଜମିରୁ ସେମାନଙ୍କ ନାମକୁ କାଟି ଦିଆଯାଇଥିବା ବେଳେ କିଭଳି ଏକ ବ୍ୟବସାୟିକ ଅନୁଷ୍ଠାନକୁ ଏହି ଜମିକୁ ହସ୍ତାନ୍ତର କରାଗଲା? ମୁଖ୍ୟମନ୍ତ୍ରୀ ଏ ନେଇ ମୁହଁ ଖୋଲିବା ସହିତ ଏଥିପାଇଁ କିଏ କେତେ ଟଙ୍କା ନେଇଛନ୍ତି ତାହାର ତଥ୍ୟ ପ୍ରକାଶ କରାଯାଉ ବୋଲି ଶ୍ରୀ ଦାଶ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଂଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ରଶ୍ମି ମହାପାତ୍ର ଓ ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର