ସରକାରଙ୍କୁ ଘାରିଲାଣି ଓଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା: ନିଷିଦ୍ଧାଞ୍ଚଳ ଉପରେ ନଜର ରଖିବ ଆପ୍‌

ଏବର୍ଷ ୬୬ଟି ପାଟ୍ରୋଲିଂ କ୍ୟାମ୍ପ୍‌, ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ବନଖଣ୍ଡକୁ ଗୁରୁତ୍ବ

ଭୁବନେଶ୍ବର: ଆଗକୁ ଓଲିଭ୍‌ ରିଡ୍‌ଲେ ପ୍ରଜନନ ଋତୁ। ତା’ ପୂର୍ବରୁ ସେମାନଙ୍କ ସଂରକ୍ଷଣ ଓ ସୁରକ୍ଷା ଉପରେ ରାଜ୍ୟ ସରକାର ଏଥର ଗୁରୁତ୍ବାରୋପ କରିଛନ୍ତି। ନଭେମ୍ବର ପହିଲାରୁ ୨୦୨୨ ମେ’ ୩୧ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସୁମଦ୍ର ଉପକୂଳରୁ ୨୦ କିମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ମଧ୍ୟରେ ମାଛଧରା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏବର୍ଷ ୬୬ଟି ପେଟ୍ରୋଲିଂ କ୍ୟାମ୍ପ୍‌ କରାଯିବ। ଯନ୍ତ୍ରଚାଳିତ ଡଙ୍ଗା‌, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ। ବିନା ମଟର ବୋଟ୍‌ରେ ପାରମ୍ପରିକ ଢ଼ଙ୍ଗରେ ମାଛ ଧରୁଥିବା ମାତ୍ସ୍ୟଜୀବୀଙ୍କୁ ଅଯଥାରେ ଅସୁବିଧାରେ ନ ପକାଇବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତିର ଏହି ଅମୂଲ୍ୟ ସମ୍ପଦର ସଂରକ୍ଷଣ ନେଇ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ରାଜ୍ୟ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ବୈଠକରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଇଁଛଙ୍କ ସଂରକ୍ଷଣ କାର୍ଯ୍ୟ ନିମନ୍ତେ ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ବନ୍ୟଜନ୍ତୁ ବନଖଣ୍ଡକୁ ୫ଟି ତୀବ୍ରଗତି ସଂପନ୍ନ ବୋଟ୍‌ ସହ ୧୩ଟି ଟ୍ରଲର୍‌ ଓ ସହାୟକ ବୋଟ୍‌ ଯୋଗାଇ ଦିଆଯାଇଛି। ଡିଆର୍‌ଡିଓ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଓ ଉପକୂଳବର୍ତୀ ୩ଟି ବନ୍ଦର କର୍ତ୍ତୃପକ୍ଷ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବାକୁ ନିର୍ଦେଶ ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପୁଲିସ, ସମୁଦ୍ରତଟ ପୁଲିସ, ତଟସୁରକ୍ଷା ବାହିନୀ, ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।

ଓଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା, ପ୍ରଜନନ ଓ ବଂଶବୃଦ୍ଧି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ସମନ୍ବିତ ମଡେଲ୍‌ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଥିବା ବୈଠକରୁ ସୂଚନା ମିଳିଛି। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଶିବ କୁମାର ଓ ବିଶେଷଜ୍ଞ ପ୍ରିୟମ୍ବଦା ମହାନ୍ତି(ହେଜମାଦି) ବୈଠକରେ ଯୋଗଦେଇ କହିଲେ, ବିପଦଗ୍ରସ୍ତ ସାମୁଦ୍ରିକ ପ୍ରାଣୀର ସଂରକ୍ଷଣ ଓ ବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଓଡ଼ିଶାର ଅନ୍ତଃବିଭାଗୀୟ ଟିମ୍‌ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ସମନ୍ବିତ ସୁରକ୍ଷା ମଡେଲ୍‌ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଶାସନ ସଚିବ ଆର୍‌. ରଘୁପ୍ରସାଦ ଯୋଗଦେଇ କହିଲେ, ଇତିମଧ୍ୟରେ ମତ୍ସ୍ୟଜୀବୀ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ନିମନ୍ତେ ମୋବାଇଲ୍‌ ଆପ୍‌ ପସ୍ତୁତ କରାଯାଇଛି। ଏହି ଆପ୍‌ ମାଧ୍ୟମରେ ମତ୍ସ୍ୟଜୀବୀମାନେ ମାଛମରା ନିଷିଦ୍ଧ ସୀମା ଦେଖିପାରିବେ। ନିଷିଦ୍ଧ ଅଞ୍ଚଳକୁ ପଶିବା ସଙ୍ଗେ ସଙ୍ଗେ ସେମାନେ ଗୋଟିଏ ଆଲର୍ଟ ମେସେଜ୍‌ ପାଇବେ।

ଏହି ଆପ୍‌କୁ ନିଜ ମୋବାଇଲ୍‌‌ରେ ଡାଉନ୍‌ଲୋଡ୍‌ କରି ବୋଟ୍‌ଗୁଡ଼ିକର ସ୍ଥିତି ନିର୍ଦ୍ଧାରଣ କରିବା ପାଇଁ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶି ପଲ୍‌ଙ୍କ ସୂଚନା ଅନୁଯାୟୀ, ଗତବର୍ଷ ଗହୀରମଥା ଉପକୂଳରେ ପ୍ରାୟ ୩.୫ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ। ଏହି ଉପକୂଳରେ ମାର୍ଚ୍ଚ ୧୦ରୁ ୨୪ମଧ୍ୟରେ ସାମୂହିକ ଅଣ୍ଡାଦାନ ହୋଇଥିଲା। ପ୍ରବର୍ତନ କାର୍ଯ୍ୟରେ ୩୮ଟି ଟ୍ରଲର ସିଜ୍‌ ହେବା ସହ ୨୦୨ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋ‌ନା ଶର୍ମା, ପିସିସିଏଫ୍‌ ଶିଶିର କୁମାର ରଥ, ତଟସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦେଶକ ଓ ବୈଜ୍ଞାନିକଙ୍କ ସମେତ ଡିଆରଡିଓ, ଆଇଟିଆର, ଧାମରା, ଗୋପାଳପୁର ଓ ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର