ଭୁବନେଶ୍ବର : ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ୍ କରିଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ରାଜ୍ୟରେ ଲକ୍ଷାଧିକ ସରକାରୀ ପଦବି ଖାଲି ପଡ଼ିଛି। ଠିକା ନିଯୁକ୍ତି ଓ ଆଉଟ୍ସୋର୍ସିଂ ନିଯୁକ୍ତି ଦେଇ ସରକାର ଘାତକ କାମ କରୁଛନ୍ତି। ବେକାର ଯୁବକ, ଯୁବତୀଙ୍କ ପାଇଁ ଏହା ପରିହାସ ସଦୃଶ। ଏହା ତୁରନ୍ତ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେବାକୁ ବିଧାନସଭାରେ ଦାବି କରିଛନ୍ତି ବିରୋଧୀ ଦଳ ବିଧାୟକମାନେ।
ଶୁକ୍ରବାର ଦିନ ବିରୋଧୀ ଦଳ ପକ୍ଷରୁ ‘ଠିକା ନିଯୁକ୍ତିରେ ଚାଲିଛି ଓଡ଼ିଶା ସରକାର’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ବେକାର ଯୁବକ ଯୁବତୀ ଏମ୍ପ୍ଲୋୟମେଣ୍ଟ୍ ଏକ୍ସଚେଞ୍ଜ୍ରେ ନାମ ପଞ୍ଜୀକରଣ କରୁଛନ୍ତି। କିନ୍ତୁ ନିଯୁକ୍ତି ସୁଯୋଗ ନାହିଁ। ସରକାର ଏବେ ବିଭିନ୍ନ ବିଭାଗରେ ଆଉଟ୍ସୋର୍ସିଂ ନିଯୁକ୍ତି ଦେଉଛନ୍ତି। ଏହା ମାଧ୍ୟମରେ କେବଳ ପ୍ରିୟାପ୍ରୀତି ତୋଷଣ ହେଉଛି। ସ୍ଥାୟୀ ନିଯୁକ୍ତି ନ ଦେଇ ଏପରି ନିଯୁକ୍ତି କାହିଁକି ଦିଆଯାଉଛି? ଖାଲି ଥିବା ପଦବି ପୂରଣ କରି ରାଜ୍ୟର ଆର୍ଥିକ ସ୍ଥିତି ଭଲ ଅଛି ବୋଲି କହିଲେ ଠିକ୍ ହେବ। ଏ ସରକାର ଠିକାରେ ଚାଲୁଥିବା ପରି ଅନୁଭବ ହେଉଛି। ନାଉରୀ ନାୟକ କହିଲେ, ଆଉଟ୍ସୋର୍ସିଂରେ ନିଯୁକ୍ତି ପାଇଥିବା ପିଲାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କ ଭବିଷ୍ୟତ ଅନ୍ଧାରରେ ଏହି ନିଯୁକ୍ତିରେ ଅର୍ଥ କାରବାର ହେଉଛି। ସନାତନ ବିଜୁଳି କହିଥିଲେ, ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ଦରମା ଠାରୁ ବି ଠିକା କର୍ମଚାରୀଙ୍କ ଦରମା କମ୍। ୨ ଲକ୍ଷ କୋଟିର ବଜେଟ୍ ଆସୁଥିଲା ବେଳେ ରାଜ୍ୟରେ ବିକଳ ସ୍ଥିତି କାହିଁକି?
ସ୍ଥାୟୀ ନିଯୁକ୍ତି ଦେବାକୁ ସରକାର କୁନ୍ଥକୁନ୍ଥ କାହିଁକି
ସରକାରୀ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି: ମନ୍ତ୍ରୀ
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, ସବୁ ବିଭାଗରେ ଆଉଟ୍ସୋର୍ସିଂ ଓ ଠିକା ନିଯୁକ୍ତି ଚାଲିଥିଲା। ଶେଷକୁ ପୁଲିସ ବିଭାଗ ବି ବାଦ୍ ପଡ଼ିଲାନି। ତେବେ ଆଇଏସ୍, ଆଇପିଏସ୍ ଅଫିସରଙ୍କୁ ବି ଠିକା ନିଯୁକ୍ତି ଦିଆଯାଉ। ଠିକା ନିଯୁକ୍ତି ଦେଇ ସରକାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଏ ରାଜ୍ୟରେ ଶିକ୍ଷିତ ଯୁବକ, ଯୁବତୀମାନଙ୍କ ଭବିଷ୍ୟତ ସୁରକ୍ଷିତ ନୁହେଁ। ସନ୍ତୋଷ ସିଂହ ସାଲୁଜା କହିଲେ, ଆଉଟ୍ସୋର୍ସିଂ ଓ ଠିକା ନିଯୁକ୍ତି ନାଁରେ ସରକାର ଗରିବ ଲୋକଙ୍କୁ ଲୁଟୁଛନ୍ତି। ଯେଉଁଠି ଖାଲି ପଦବି ଅଛି, ସେଠି ସିଧାସଳଖ ନିଯୁକ୍ତି ନ ଦେଇ ଏ କି କାରବାର ଚାଲିଛି?
ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ ଯୁକ୍ତି ବାଢ଼ିଥିଲେ, ଅନ୍ୟ ରାଜ୍ୟରେ ବି ଠିକା ନିଯୁକ୍ତି ଦିଆଯାଇଛି। ଏପରିକି କେନ୍ଦ୍ର ସରକାର ‘ଅଗ୍ନିପଥ’ରେ ୬ ବର୍ଷିଆ ନିଯୁକ୍ତି ଦେଉଛନ୍ତି। ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଚଳାଇଛନ୍ତି। ଆଇନଗତ କଟକଣା ପାଇଁ କିଛି ପ୍ରକ୍ରିୟାରେ ବିଳମ୍ବ ହୋଇଛି। ରମେଶ ବେହେରା ଓ ରମେଶ ଚନ୍ଦ୍ର ସାଏ ଆଲୋଚନାରେ ଭାଗ ନେଇଥିଲେ।
ଆଲୋଚନାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ, ୧୯୯୯-୨୦୦୦ ମସିହା ବେଳକୁ ଆମର କର୍ମଚାରୀ ସଂଖ୍ୟା ଅଧିକ ଥିଲା। ଫଳରେ ଦରମା ଓ ପେନ୍ସନ୍ ବାବଦରେ ଅଧିକ ଖର୍ଚ୍ଚ ହେଉଥିଲା। ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ୧୯୯୯ ମସିହାରେ ଅର୍ଥ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟର ସମସ୍ତ ମୂଳ ପଦବିରେ ନିଯୁକ୍ତି ଉପରେ କଟକଣା ଜାରି କରାଯାଇଛି। ୨୦୦୧ ମସିହାରେ ମୂଳ ପଦବିର ୫୦ ପ୍ରତିଶତ ଉଚ୍ଛେଦ କରିବା ଅନ୍ୟାନ୍ୟ ବ୍ୟୟ ସଙ୍କୋଚ ପାଇଁ ଅର୍ଥ ବିଭାଗ ପଦକ୍ଷେପ ନେଇଥିଲେ। ତେଣୁ ସରକାର ‘ଖ’ ବର୍ଗର ପଦବି ନିମନ୍ତେ ‘ଓଡ଼ିଶା ଖ ବର୍ଗ ପଦବି(ଚୁକ୍ତି ଭିତ୍ତିକ ନିଯୁକ୍ତି) ନିୟମାବଳୀ, ୨୦୧୩ ଏବଂ ‘ଗ’ ଓ ‘ଘ’ ବର୍ଗର ପଦବି ନିମନ୍ତେ ‘ଓଡ଼ିଶା ଗ ଓ ଘ ବର୍ଗ ପଦବି (ଚୁକ୍ତି ଭିତ୍ତିକ ନିଯୁକ୍ତି) ନିୟମାବଳୀ, ୨୦୧୩ର ପ୍ରଣୟନ ନିମନ୍ତେ ନିଷ୍ପତ୍ତି ନେଲେ। ଉପରୋକ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମାବଳୀ ଅନୁଯାୟୀ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯାଇ ୬ ବର୍ଷ ପାଇଁ ‘ଇନିସିଆଲ୍ ଆପଏଣ୍ଟି’ ଭାବେ ନିଯୁକ୍ତି ଦିଆଯାଉଛି ଏବଂ ତାହା ପରେ ତାଙ୍କ ସେବା ନିୟମିତ କରାଯାଉଛି। ଓପିଏସ୍ସି ଦ୍ବାରା ୨୦୧୬-୧୭ ମସିହାରୁ ୨୦୨୨-୨୩ ପର୍ଯ୍ୟନ୍ତ ୧୦,୨୬୭ ଜଣ ପ୍ରାର୍ଥୀଙ୍କୁ ଚୟନ କରି ନିଯୁକ୍ତି ପାଇଁ ବିଭିନ୍ନ ବିଭାଗକୁ ସୁପାରିସ୍ କରାଯାଇଛି। ଏହା ବାଦ୍ ମିସନ୍ ମୋଡ୍ରେ ସବୁ ବିଭାଗରେ ପଦୋନ୍ନତି ମାଧ୍ୟମରେ ପଦବି ପୂରଣ କରିବାକୁ କୁହାଯାଇଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।