ଧାନର ଅଭାବୀ ବିକ୍ରି ପାଇଁ ସରକାର ବାଧ୍ୟ କରୁଛନ୍ତି

ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ବିରୋଧୀଙ୍କ ଭର୍ତ୍ସନା

ଭୁବନେଶ୍ବର : ଧାନ ଉତ୍ପାଦନ ଅଧିକ ହେଉଛି। କିନ୍ତୁ ସରକାର ଅଧା ଧାନ କିଣୁଛନ୍ତି। ବାକି ଧାନ ଚାଷୀ କରିବ କ’ଣ? କମ୍ ଦରରେ ମିଲ୍‌ ମାଲିକଙ୍କୁ ଧାନ ବିକିବାକୁ ସରକାର ସେମାନଙ୍କୁ ବାଧ୍ୟ କରୁଛନ୍ତି। ପୁଣି କଟ୍‌ନି ଛଟ୍‌ନି ସୀମା ଲଂଘୁଛି। ମଣ୍ଡିରେ ଅବ୍ୟବସ୍ଥା ସୁଧୁରୁନି। ଆଜି ଖାଦ୍ୟ ‌ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଏମିତି ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ରାଜ୍ୟରେ ମଣ୍ଡିଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ନାହିଁ। ସରକାର ଓ ମିଲର୍‌ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀ କ୍ଷତି ସହୁଛନ୍ତି। ସରକାରଙ୍କ ଆଳୁ, ପିଆଜ ମିସନ୍ ସବୁ ଫେଲ୍‌ ମାରିଛି। ଶୀତଳ ଭଣ୍ଡାର ଚାଲୁନି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ହେଉଥିଲେ ବି ସରକାର ମାନିବାକୁ ପ୍ରସ୍ତୁତ ନାହାନ୍ତି। ମୁକେଶ ମହାଲିଙ୍ଗ କହିଥିଲେ, କେନ୍ଦ୍ର ସରକାର ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଚାଷୀଙ୍କୁ ଅଭାବୀ ବିକ୍ରି ପାଇଁ ବାଧ୍ୟ କରୁଛନ୍ତି। ନିତ୍ୟାନନ୍ଦ ଗଣ୍ଡ ଅଭିଯୋଗ କରିଥିଲେ ଯେ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଯାଇ ହଡ଼ପ କରାଯାଉଛି। କୁସୁମ ଟେଟେ ମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ।

କେନ୍ଦ୍ରକୁ ଟାର୍ଗେଟ୍‌ କଲେ ଶାସକ ଦଳ
ଯୋଗାଣ, ସମବାୟ ବିଭାଗ ଖର୍ଚ୍ଚଦାବି ଆଲୋଚନା ‌

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଚାଷୀଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଧାନ କିଣିବାକୁ ଏଫ୍‌ସିଆଇ ବାଧ୍ୟ। ଏଫ୍‌ସିଆଇ ସହ ଚୁକ୍ତି ସ୍ବାକ୍ଷର କରି ରାଜ୍ୟ ସରକାର ନିଜେ ଧାନ କିଣା ଦାୟିତ୍ବ ନେଇଛନ୍ତି। ଏପରି ଚୁକ୍ତି ବେଆଇନ। ଏଥର ଅଣଜଳସେଚିତ ଜମିରେ ଧାନ ଉତ୍ପାଦନ ବି ବହୁତ ଭଲ ହୋଇଛି। କିନ୍ତୁ ସରକାର ଏକର ପିଛା ୧୩ କ୍ବିଣ୍ଟାଲ୍‌ ଧାନ କିଣୁଛନ୍ତି। ବାକି ଧାନକୁ ଚାଷୀ କରିବ କ’ଣ? ତେଣୁ ୮୦୦ରୁ ୧୨୦୦ ଟଙ୍କାରେ ବିକିବାକୁ ଚାଷୀ ବାଧ୍ୟ ହେବ। ଚାଷୀକୁ ଶୋଷଣ କରିବାକୁ ସରକାର ବାଟ ଖୋଲିଛନ୍ତି। ଧାନ ଉତ୍ପାଦନ ବଢ଼ିଛି ବୋଲି ସରକାର ବାହାବା ନେଉଛନ୍ତି ଓ ପୁରସ୍କାର ସାଉଁଟିଛନ୍ତି। କିନ୍ତୁ ଚାଷୀଠାରୁ ଅଧିକ ଧାନ ନେବାକୁ ମନା କରି ଦେଉଛନ୍ତି। ତେଣୁ ଉତ୍ପାଦନ ବଢ଼ିଲେ ବି ଚାଷୀ ତାହାର ମୂଲ୍ୟ ପାଉନି। କଟ୍‌ନି ଛଟ୍‌ନି ବଢ଼ିଛି। ମଣ୍ଡିରେ ସବୁ ଜାଗାରେ ସିସିଟିଭି ଲାଗୁନି। ‌ଯେଉଁଠି ଲାଗିଛି, ତାହାକୁ ଅଚଳ କରିଦିଆଯାଉଛି। ଏଫ୍‌ଏକ୍ୟୁ ମାନ ଯାଞ୍ଚ୍‌ ପାଇଁ ମେସିନ୍ ନାହିଁ। ସରକାର ନୀରବଦ୍ରଷ୍ଟା‌ ସାଜିଛନ୍ତି। ତାରାପ୍ରସାଦ ବାହିନୀପତି କହିଲେ, ରାଜ୍ୟରେ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇବାରୁ ବଞ୍ଚିତ ‌ହେଉଛନ୍ତି। ଏ ବର୍ଷ କଟ୍‌ନି ଛଟ୍‌ନି ଶେଷ ସୀମାରେ ପହଞ୍ଚିଛି। ୭ କେଜି ଲେଖାଏ ବି କାଟି ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍ କୁଆଡ଼େ ଗଲା? ଚାଷୀଙ୍କୁ ଠିକ୍ ସମୟରେ ସାର ବି ମିଳିପାରୁନି। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ସାର ଜଗଦଲ୍‌ପୁର ଯାଉଛି ବୋଲି ସେ ଅଭିଯୋଗ କରିଥିଲେ।

ଶାସକ ଦଳ ସଭ୍ୟମାନେ ଧାନ ସଂଗ୍ରହ ବ୍ୟବସ୍ଥା ସୁସଂଗଠିତ ହୋଇଛି ବୋଲି ଯୁକ୍ତି ବାଢ଼ିବା ସହ କେନ୍ଦ୍ର ବିରୋଧରେ ବିଷୋଦ୍‌ଗାର କରିଥିଲେ। ସେମାନେ କହିଥିଲେ, ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାରେ ବହୁ ଉନ୍ନତି ଆଣିଛନ୍ତି। ଏଠାରେ ଥିବା ଟୋକନ୍ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଚାଷୀଙ୍କୁ ଅବହେଳା କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଉଷୁନା ଚାଉଳ ଉଠାଉ ନାହାନ୍ତି। ଧାନ ସଂଗ୍ରହ ପରିମାଣ କମାଇ ଦେଇଛନ୍ତି। ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲେ ବି ଗୃହ କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ କାହିଁକି ସମୟ ଦେ‌ଲେନି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଭୂପିନ୍ଦର ସିଂହ, ଦେବେଶ ଆଚାର୍ଯ୍ୟ, ପ୍ରଫୁଲ୍ଲ ସାମଲ, ସତ୍ୟ ନାରାୟଣ ପ୍ରଧାନ, ରାଜକିଶୋର ଦାସ, ମୁକେଶ ପାଲ ଓ ରଘୁନାଥ ଗମାଙ୍ଗୋ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର