ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ ଉପରେ ବିଧାନସଭାରେ ଆଜି ଦ୍ବିତୀୟ ଦିନ ପାଇଁ ଆଲୋଚନା ହୋଇଥିଲା। କଂଗ୍ରେସର ବରିଷ୍ଠ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଆଲୋଚନାରେ ଭାଗ ନେଇ କହିଲେ, ଗତ ବର୍ଷ ବଜେଟ୍‌ ଅର୍ଥରୁ ୭୦% ଖର୍ଚ୍ଚ ହୋଇଥିଲା। ସରକାର ବଜେଟ୍‌ର ଆକାର ବଡ଼ କହୁଛନ୍ତି। କିନ୍ତୁ ଖର୍ଚ୍ଚ କରିପାରୁ ନାହାନ୍ତି। ଲୋକଙ୍କୁ ବୋକା ବନାଉଛନ୍ତି। ସରକାର ବଳକା ବଜେଟ୍‌ କଥା କହୁଛନ୍ତି। କିନ୍ତୁ ବହୁ ପଦବି ଖାଲି ପଡ଼ିଛି। ମୁଣ୍ଡ ପିଛା ଋଣ ବଢ଼ିଚାଲିଛି। ରାଜ୍ୟ ଭିତରେ ଲୋକଙ୍କୁ କାମ ଯୋଗାଇ ପାରୁ ନାହାନ୍ତି। ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ ସରକାର ଏକପ୍ରକାର ବାଧ୍ୟ କରୁଛନ୍ତି। ପଦ୍ମପୁରକୁ ନୂଆ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କିନ୍ତୁ ବଜେଟ୍‌ରେ ନୂଆ ଜିଲ୍ଲା ପାଇଁ ଟଙ୍କାଟିଏ ବ୍ୟବସ୍ଥା ବି ନାହିଁ। କଂଗ୍ରେସ ସଭ୍ୟ ଅଧିରାଜ ପାଣିଗ୍ରାହୀ ଦାଦନ ସମସ୍ୟା ଉଠାଇ ସରକାରଙ୍କୁ ସମା‌ଲୋଚନା କରିଥିଲେ। ଦାଶରଥୀ ଗମାଙ୍ଗୋ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସମସ୍ୟା କଥା ଉଠାଇ ସରକାରଙ୍କୁ ଘେରିଥିଲେ।

Advertisment

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ସରକାର ଏହି ବଜେଟ୍‌ ମାଧ୍ୟମରେ ନିର୍ବାଚନୀ ବିଗୁଲ୍‌ ବଜାଇଛନ୍ତି। ଓଡ଼ିଶାର ବିକାଶ ପାଇଁ ଠୋସ୍ ଯୋଜନା ନାହିଁ। କେବଳ ଭୋଟ୍‌ ବ୍ୟାଙ୍କ କରି ବିଜେଡିକୁ ଜିତାଇବା ପାଇଁ ଏଥିରେ ପ୍ରୟାସ କରାଯାଇଛି। ରାଜ୍ୟ ସରକାର ଯେତେ ଯୋଜନା କରୁଛନ୍ତି, ତାହାର ଠିକ୍ ରୂପାୟନ ହୋଇପାରୁନି। ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ କରି ଶିଳ୍ପାୟନ ନାଁରେ ସରକାର ବୃଥା ଆସ୍ଫାଳନ କରୁଛନ୍ତି। ହସ୍ପିଟାଲ୍‌ରେ ‌ରୋଗୀ ସଂଖ୍ୟା‌ ବଢ଼ୁଛି, କିନ୍ତୁ ଡାକ୍ତର ନାହାନ୍ତି। ଡିଏମ୍‌ଏଫ୍‌ ପାଣ୍ଠିରେ ହକି ଷ୍ଟାଡିୟମ୍‌ ଓ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ବିଜେପି ବିଧାୟିକା କୁସୁମ ଟେଟେ କହିଲେ, କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କହି ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ମୋଦୀ ସରକାର ଯେତିକି ଦେଉଛନ୍ତି, ଏଠି ତାହା ଖର୍ଚ୍ଚ କରିପାରୁ ନାହାନ୍ତି।

ଶାସକ ଦଳ ସଭ୍ୟମାନଙ୍କ ଯୁକ୍ତି ଥିଲା, ଏହା ଯୁଗାନ୍ତକାରୀ ବଜେଟ୍‌। ଅଭିବୃଦ୍ଧି ଧାରା ଆହୁରି ଆଗକୁ ଯିବ। ଶିକ୍ଷା, ସ୍ବାସ୍ଥ୍ୟ ପରି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇଛି। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ହୋଇଛି। ଓଡ଼ିଶାର ଚାଲିଥିବା ପରିବର୍ତ୍ତନରେ ସମ‌ସ୍ତେ ସହଯୋଗ କରିବାକୁ ସେମାନେ ନିବେଦନ କରିଥିଲେ। ଶାସକ ଦଳ ପକ୍ଷରୁ ଦେବୀ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ବେହେରା, ଧ୍ରୁବ ସାହୁ, ଜ୍ୟୋତି ପାଣିଗ୍ରାହୀ, ପ୍ରଣବ ବଳବନ୍ତରାୟ, ପ୍ରଭୁ ଜାନି, ପିତମ ପାଢ଼ୀ ଆଲୋଚନାରେ ଭାଗ ନେଇଥିଲେ।