ଦଳିତଙ୍କ ବିକାଶ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ: ବିଜେପି

ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ବିଜେଡି ଦଳିତଙ୍କ ଭୋଟ୍‌ରେ ଓଡ଼ିଶାରେ କ୍ଷମତାକୁ ଆସିଥିଲେ ହେଁ ଦଳିତଙ୍କ ବିକାଶ ପାଇଁ କୌଣସି ଆନ୍ତରିକତା ଦେଖାଉନାହିଁ। ବରଂ ଦଳିତଙ୍କୁ ଶୋଷଣ କରି, ଧୋକା ଦେଇ ସାଂଘାତିକ ଅପରାଧ କରୁଛି ବୋଲି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ସଂଜୟ ନିର୍ମଳ କହିଛନ୍ତି।

ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଶ୍ରୀ ନିର୍ମଳ କହିଛନ୍ତି ଯେ, ଓଡ଼ିଶା ସରକାର ଦଳିତଙ୍କୁ ନ୍ୟାୟ ଦେବାରେ ବିଫଳ। ଦଳିତଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ରାଜ୍ୟ ସରକାର ଅଲଗା ଯୋଜନାରେ ଖର୍ଚ୍ଚ କରୁଛନ୍ତି।

ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ଅନ୍ୟ ରାଜ୍ୟଗୁଡ଼ିକ ଅନୁସୂଚିତ ଜାତି କମିସନ ଗଠନ କରିସାରିଥିବାବେଳେ ଅଦ୍ୟାବଧି ଓଡ଼ିଶାରେ ଅନୁସୂଚିତ ଜାତି କମିସନ ଗଠନ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଦଳିତ ବିରୋଧୀ ମନୋଭାବର ପରିଚୟ।

ଏହି କାର୍ଯ୍ୟକ୍ରମରେ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ନୂଆପଡ଼ା ଜିଲ୍ଲାର ସ୍ବର୍ଗତଃ ଜଗଦୀଶ ଚୌହାନଙ୍କ ପରିବାରକୁ ରାଜ୍ୟ ସରକାର ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରନ୍ତୁ। ମୋର୍ଚ୍ଚାର ସାଧାରଣ ସଂପାଦକ ତଥା ବିଧାୟକ ମୁକେଶ ମହାଲିଙ୍ଗ ରାଜନୈତିିକ ଚିଠା ଉପସ୍ଥାପନା କରିଥିବାବେଳେ, ମୋର୍ଚ୍ଚା ଉପସଭାପତି ତଥା ବିଧାୟକ ସନାତନ ବିଜୁଳି ଏବଂ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଚିଠା ପ୍ରସ୍ତାବ ସଂକଳନ କରିଥିଲେ। ଏହି ଅବସରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଘବ ମଲ୍ଲିକ, ରାକେଶ ମଲ୍ଲିକ, ରବି ବେହେରା, ମନୋଜ ବେହେରା, ଚନ୍ଦନ ସ୍ୱରାଜ, ରାମବିଶି ଦିଗାଲ, ମନିଜର ଆର୍ଯ୍ୟ, ଦୁର୍ଗା ଚରଣ ତନ୍ତୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କଳ୍ପନା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର