ବାଘାଯତୀନଙ୍କୁ ଝୁରୁଛି କପ୍ତିପଦା ମାଟି: ସ୍ମୃତିରକ୍ଷା ପାଇଁ ଉଦ୍ୟମ କରୁନାହାନ୍ତି ସରକାର

କପ୍ତିପଦା: ଆଜି ସହିଦ ବାଘାଯତୀନଙ୍କ ୧୦୮ତମ ବଳିଦାନ ଦିବସ। ଭାରତର ସ୍ବାଧୀନତା ସଂଗ୍ରାମରେ ଏହି ମହାନ ଯୋଦ୍ଧାଙ୍କ ଅନନ୍ୟ ପରାକ୍ରମକୁ ସ୍ମରଣ କରୁଛନ୍ତି ଦେଶବାସୀ। ଏହି ବିପ୍ଳବୀଙ୍କ କର୍ମଭୂମି ଥିଲା କପ୍ତିପଦା ବ୍ଲକ୍‌ର ମହୁଲଡ଼ିହା ଗାଁ ପାଖ ମୟୂରହୁଡ଼ା ପାହାଡ଼ ଓ ପୋଡ଼ାଡ଼ିହାର ଗଡ଼। ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଏଇଠାରେ ସେ ଦେଇଥିଲେ ସଂଗ୍ରାମର ଗୁରୁମନ୍ତ୍ର। ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଗରିଲା ଯୁଦ୍ଧର ପ୍ରଶିକ୍ଷଣ ଦେଉଥିଲେ ବାଘାଯତୀନ। ତାଙ୍କ ସହଚର ସାଜିଥିଲେ ଚିତ୍ତପ୍ରିୟ ରାୟ ଚୌଧୁରୀ, ଜ୍ୟୋତିଷ ଚନ୍ଦ୍ର ପାଲ, ନରେନ୍ଦ୍ର ଦାସଗୁପ୍ତ ଓ ମନୋରଂଜନ ସେନ୍‌ଗୁପ୍ତା।

କୁହାଯାଏ ଇଂରେଜମାନଙ୍କ ସହିତ ସମ୍ମୁଖ ଯୁଦ୍ଧ ପାଇଁ ଜର୍ମାନୀରୁ ଜଳପଥରେ ବାଲେଶ୍ବର ବନ୍ଦରକୁ ଅସ୍ତ୍ରଶସ୍ତ୍ର ମଗାଇଥିଲେ ବାଘାଯତୀନ। ତେବେ ତାଙ୍କ ରଣନୀତିକୁ ଜାଣିପାରି ୧୯୧୫ ମସିହା ସେପ୍ଟେମ୍ବର ୫ ତାରିଖ ଦିନ ତତ୍କାଳୀନ ପୁଲିସ କମିଶନର ଚାର୍ଲସ୍‌ ଟେର୍ଗାଟ୍, ଗୁଇନ୍ଦା ବିଭାଗ ମୁଖ୍ୟ ଡେନ୍‌ହାମ୍‌ ଓ ବାଲେଶ୍ବରର ତତ୍କାଳୀନ ଜିଲ୍ଲାପାଳ କପ୍ତିପଦାକୁ ଆସି ବାଘାଯତୀନଙ୍କୁ ଖୋଜିଥିଲେ। ସେତେବେଳକୁ ଇଂରେଜମାନଙ୍କ ଘେରାବନ୍ଦୀ ପାର୍‌ ହୋଇ ବାଘାଯତୀନ ଓ ସାଥୀ କଲିକତା ଚାଲିଯିବାକୁ ଉଦ୍ୟମ କରିଥିଲେ। ‌ତେବେ ବାଟରେ ଷଡ଼ଯନ୍ତ୍ରର ଶିକାର ହୋଇ ବାଲେଶ୍ବର ଜିଲ୍ଲା ରେମୁଣା ଚଷାଖଣ୍ତର ଦେଶୁଁଆ ପୋଖରୀ ଆଡ଼ିରେ ନିଜ ୪ ସାଥୀଙ୍କ ସହ ଇଂରେଜ ସୈନ୍ୟଙ୍କ ସମ୍ମୁଖ ହୋଇଥିଲେ। ତେବେ ସେମାନେ ହାର୍‌ ମାନି ନଥିଲେ। ଦେଶୁଆଁପୋଖରୀ ଆଡ଼ି ହୋଇଥିଲା ରକ୍ତରଂଜିତ। ସେଇଠି ହୋଇଥିଲା ସଂଗ୍ରାମର ଶେଷଯୁଦ୍ଧ। ୧୯୧୫ ମସିହା ସେପ୍ଟେମ୍ବର ମାସ ୧୦ ତାରିଖ ୫ ସଂଗ୍ରାମୀଙ୍କ ବଳିଦାନ ଦେଶର ସ୍ବାଧୀନତା ପାଇଁ ନୂଆ ବାଟ ଦେଖାଇଲା ସତ; କିନ୍ତୁ ଦେଶ ଚିରଦିନ ପାଇଁ ହରାଇଲା ନିଜ ସଂଗ୍ରାମୀ ମହାପୁରୁଷମାନଙ୍କୁ।

ବୀରମାଟି କପ୍ତିପଦା ଆଜି ବି ଝୁରୁଛି ସେମାନଙ୍କୁ। ହେଲେ ସେମାନଙ୍କ ସ୍ମୃତିସ୍ବରୂପ ଏକ ସ୍ମୃତି ମଣ୍ତପ ଓ ପାଖରେ ଥିବା ୨ଟି କେନ୍ଦୁଗଛ ବ୍ୟତୀତ ଏବେ ଆଉ କିଛି ନାହିଁ। ୧୯୦୭ରୁ ୧୯୧୫ ମସିହା ପର୍ଯ୍ୟନ୍ତ କପ୍ତିପଦା ଯେଉଁ ସଂଗ୍ରାମୀମାନଙ୍କ ସାଧନର କ୍ଷେତ୍ର ଥିଲା, ସେ କ୍ଷେତ୍ରକୁ ଲଗାତର ଅଣଦେଖା କରୁଛନ୍ତି ସରକାର। ତାଙ୍କ ସ୍ମୃତିକୁ ମନେରଖିବା ପାଇଁ ସୁଦୂର ପଶ୍ଚିମବଙ୍ଗରୁ ପ୍ରତିବର୍ଷ ସଂଗ୍ରାମର ପଟୁଆର ନେଇ ଅଭିଯାତ୍ରୀ ଦଳ ଏହି ମାଟିକୁ ଛୁଟି ଆସୁଥିଲେ ବି ରାଜ୍ୟ ସରକାର ପୀଠର ଉନ୍ନତି ପାଇଁ ଉଦ୍ୟମ ନକରିବା ପରିତାପର ବିଷୟ।

ସମ୍ବନ୍ଧିତ ଖବର