ଭୁବନେଶ୍ବର : ରାଜ୍ୟରେ ମଣ୍ଡିଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଚାଷୀ ଅମଳ କରୁଥିବା ଧାନକୁ ଉପଯୁକ୍ତ ଦରରେ ବିକ୍ରି କରିପାରୁନି। ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଅଭାବରେ ରହି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସରକାର ଚାଷୀ ଆତ୍ମହତ୍ୟାକୁ ଫାଙ୍କି ଦେଉଛନ୍ତି। ବାସ୍ତବରେ ଚାଷୀଙ୍କ ସମସ୍ୟା ନେଇ ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କୁ ଏମିତି କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ।
‘ଧାନ ପଡ଼ିଛି ମଣ୍ଡିରେ, ଲୁହ ଝରୁଛି ଚାଷୀ ଆଖିରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ରାଜ୍ୟରେ ଚାଷୀମାନେ ଧାନର ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମନଇଚ୍ଛା କଟ୍ନି ଛଟ୍ନି ଚାଲିଛି। ମଣ୍ଡିରେ ଉନ୍ନତମାନର ଭିତ୍ତିଭୂମି ପ୍ରସ୍ତୁତ ନାହିଁ। ଟୋକନ୍ ପାଇଁ ଚାଷୀମାନେ ଅଧିକ ସମସ୍ୟାର ସାମ୍ନା କରୁଛନ୍ତି। ଋଣ ବୋଝରେ ଭାରାକ୍ରାନ୍ତ ଚାଷୀ ଆତ୍ମହତ୍ୟା ପନ୍ଥା ଆପଣାଉଛି। କିନ୍ତୁ ସରକାର ଆତ୍ମହତ୍ୟାକୁ ଫାଙ୍କି ଦେଉଛନ୍ତି ଓ କୃତ ଚାଷୀଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଦେଉନାହାନ୍ତି। ବୌଦ୍ଧ ଜିଲ୍ଲାର ଚାଷୀ ଧରଣୀ ମେହେରଙ୍କ ମୃତ୍ୟୁ ପ୍ରସଙ୍ଗକୁ ଶ୍ରୀ ମାଝୀ ଉଠାଇଥିଲେ। ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ ଟୋକନ୍ ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ସୁବାସ ପାଣିଗ୍ରାହୀ ଧାନ ମଣ୍ଡିରେ ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ।
କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ମିଲ୍ ମାଲିକଙ୍କୁ ମଣ୍ଡିରେ ପ୍ରବେଶ ବାରଣ କଲେ ବହୁ ସମସ୍ୟା ସମାଧାନ ହୋଇଯିବ। ସେମାନଙ୍କ ଉପସ୍ଥିତିରେ ହିଁ କଟ୍ନି ଛଟ୍ନି ହେଉଛି। ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଏମ୍ଏସ୍ପିକୁ ୨୯୩୦ କଲେ ନାହିଁ। ଏପରିକି ବିଧାନସଭାର ଗୃହ କମିଟିକୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ଦେଲେନି। ଓଡ଼ିଶା ସରକାର ଏମ୍ଏସ୍ପି ଉପରେ ଚାଷୀଙ୍କୁ ବୋନସ୍ ଦେଉ ନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୋଷଣରେ ଚାଷୀ ତଳିତଳାନ୍ତ ହୋଇଗଲେଣି। ଟୋକନ୍ ପରିଚାଳନା ରାଜ୍ୟ ସ୍ତରରୁ ନ ହୋଇ ଜିଲ୍ଲା ସ୍ତରରେ କରିବାକୁ ସେ ଦାବି କରିଥିଲେ। ତାରା ପ୍ରସାଦ ବାହିନୀପତି କହିଲେ, ୨/୩ ମାସ ଯାଏ ଚାଷୀ ଟଙ୍କା ପାଉନି। ବୌଦ୍ଧର ଚାଷୀ ଧରଣୀଧର ମେହେରଙ୍କ ଟୋକନ୍ ଲାପ୍ସ ହେବା କଥା ସତ କି? ପାକ୍ସଗୁଡ଼ିକ ୨% ସବ୍ସିଡି ନେଉଛନ୍ତି, କିନ୍ତୁ ମଣ୍ଡିର ଭିତ୍ତିଭୂମି ସଜାଡ଼ୁ ନାହାନ୍ତି। କେନ୍ଦ୍ର-ରାଜ୍ୟ ଲଢ଼େଇରେ ଚାଷୀ ଫସିଯାଉଛନ୍ତି।
ଶାସକ ଦଳ ସଭ୍ୟମାନଙ୍କ ଯୁକ୍ତି ଥିଲା, ରାଜ୍ୟ ସରକାର ଧାନ କିଣା?କୁ ବ୍ୟବସ୍ଥିତ କରିଛନ୍ତି। ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ଉପରେ ଯୋଗାଣ ନିଗମର ୧୧,୮୩୫ କୋଟି ଟଙ୍କାରୁ ଅଧିକ ବାକି ଅଛି। ଏହି ଟଙ୍କା ପାଇବାରେ ବିଳମ୍ବ ହେଉଥିଲେ ବି ରାଜ୍ୟ ସରକାର ଚାଷୀଙ୍କୁ ଠିକ୍ ସମୟରେ ପ୍ରାପ୍ୟ ଦେବାରେ ହେଳା କରୁନାହାନ୍ତି। ବିଜେପି ସଭ୍ୟମାନେ ଏଠି କୁମ୍ଭୀର କାନ୍ଦଣା ନ କାନ୍ଦି ଏମ୍ଏସ୍ପି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ କୁହନ୍ତୁ। ପଦ୍ମନାଭ ବେହେରା, ଅମର ଶତପଥୀ ଓ ରମେଶ ଚନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇଥିଲେ।
ଆଲୋଚନାର ଉତ୍ତର ରଖି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଲେ, ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଚାଷୀଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହିତ ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି। ଧାନ ସଂଗ୍ରହ ପାଇଁ ଆଗୁଆ ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ୨୦୧୪-୧୫ ଖରିଫ ବିପଣନ ବର୍ଷରୁ ଆରମ୍ଭ କରାଯାଇଛି। ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାହୁଥିବା ଚାଷୀମାନେ ସେମାନଙ୍କର କୃଷି ସେବା ସମବାୟ ସମିତିରେ ଆଗୁଆ ପଞ୍ଜୀକରଣ କରୁଛନ୍ତି। ଧାନ କ୍ରୟର ସମସ୍ତ କାଗଜାତ ପ୍ରସ୍ତୁତି ପି-ପାସ୍ ଆପ୍ଲିକେସନ୍ ସହାୟତାରେ କମ୍ପ୍ୟୁଟରୀକୃତ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେଉଛି। ଧାନ ବିକ୍ରି ମୂଲ୍ୟର ପ୍ରତ୍ୟକ୍ଷ ହସ୍ତାନ୍ତର ଚାଷୀଙ୍କ ବ୍ୟାଙ୍କ ଜମା ଖାତାକୁ ଅନ୍ଲାଇନ ପ୍ରକ୍ରିୟାରେ ଦିଆଯାଉଛି। ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ, କ୍ରିୟାଶୀଳ ଓ ଚାଷୀ-ଅନୁକୂଳ କରାଯାଇଛି। ଧାନ ନଉଠିବା ଯୋଗୁ ଧରଣୀ ମେହେରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ। ବିଭାଗ ପକ୍ଷରୁ ଏହାର ଯାଞ୍ଚ୍ କରାଯାଇଥିଲା। ତାଙ୍କର ଧାନ କିଣାସରିଥିଲା।
ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ଚାଷୀଙ୍କ ସମସ୍ୟା ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା ବେଳେ ଗୃହରେ ଅତ୍ୟନ୍ତ ଦୁର୍ବଳ ଉପସ୍ଥାନ ଦେଖିବାକୁ ମିଳିଥିଲା। ୨୦ରୁ ୨୫ ଜଣ ସଭ୍ୟଙ୍କ ଉପସ୍ଥିତିରେ ଦେଢ଼ ଘଣ୍ଟା ଆଲୋଚନା ହୋଇଥିଲା।