ଭୁବନେଶ୍ବର: ପଞ୍ଚାୟତ ସ୍ତରରେ କେତେ ସଙ୍ଗରୋଧ କକ୍ଷ, କୋଭିଡ୍ କେୟାର କେନ୍ଦ୍ର ଓ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର ଖୋଲାଗଲା ? କେତେ ପ୍ରବାସୀ ଶ୍ରମିକ ସେଠାରେ ରହିଲେ ? ସେମାନଙ୍କ ପାଇଁ କେତେ ଖର୍ଚ୍ଚ ହେଲା? ଏ ଟଙ୍କା ସରକାର ଆଣିଲେ କେଉଁଠୁ? କେତେ ଜଣ ପ୍ରବାସୀ ଶ୍ରମିକ ଶ୍ରମ କାର୍ଯ୍ୟାଳୟରେ ପଞ୍ଜୀକରଣ କଲେ ? କରୋନା ମହାମାରୀ ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ବିଭାଗର ପ୍ରସ୍ତୁତି କ'ଣ ଓ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ଆକଳନ କରିଛି ? ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକୁ କାହିଁକି ହଠାତ ବନ୍ଦ କରିଦିଆଗଲା ? କରୋନା ପାଇଁ କେଉଁ ସହରାଞ୍ଚଳରେ କେତେ ଲୋକ ଜୀବିକା ହରାଇ ଗରିବ ହୋଇଛନ୍ତି ?
ଆଜି ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କରୋନା ମହାମାରୀ ସମ୍ପର୍କିତ ଏମିତି ଲିଖିତ ପ୍ରଶ୍ନ କରିଥିଲେ ବହୁ ବିଧାୟକ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ଦେଶ୍ୟରେ ଉଭୟ ଶାସକ ଓ ବିରୋଧୀଙ୍କ ପକ୍ଷରୁ ଏପରି ପ୍ରଶ୍ନ ଗଦା କରାଯାଇଥିଲା। କିନ୍ତୁ ଉଭୟ ମନ୍ତ୍ରୀଙ୍କ ପାଖରେ ଏହାର ସିଧାସଳଖ ଉତ୍ତର ନ ଥିଲା। ଅଧିକାଂଶ ପ୍ରଶ୍ନର ଧାଡ଼ିକିଆ ଉତ୍ତର ଥିଲା, 'ତଥ୍ୟ ସଂଗ୍ରହ କରାଯାଉଛି'।
ଶ୍ରମ ମନ୍ତ୍ରୀ ସଭ୍ୟମାନଙ୍କୁ ଜଣାଇଛନ୍ତି ଯେ କୋଭିଡ୍-୧୯ ଯୋଗୁ ଲକ୍ଡାଉନ୍ ଘୋଷଣା ପରେ ୮,୫୩,୭୭୭ ପ୍ରବାସୀ ଶ୍ରମିକ ଫେରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କୁଶଳୀ କେତେ ଓ ଅଣକୁଶଳୀ କେତେ, ତାହାର ହିସାବ ସେ ଦେଇପାରି ନାହାନ୍ତି। କେତେ ଜଣ ପ୍ରବାସୀ ଶ୍ରମିକ ଶ୍ରମ କାର୍ଯ୍ୟାଳୟରେ ପଞ୍ଜୀକରଣ କରିଥିଲେ, ତାହାର ତଥ୍ୟ ବି ମନ୍ତ୍ରୀ ତାଙ୍କ ଉତ୍ତରରେ ଦେଇ ନାହାନ୍ତି। ବ୍ଲକ୍ୱାରି ଶ୍ରମିକ ଓ ପ୍ରବାସୀଙ୍କ ତଥ୍ୟ ସଂଗ୍ରହ କରାଯାଉଛି କହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।
ଯେଉଁ ଶ୍ରମିକମାନେ ଫେରିଥିଲେ, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସରକାର ଜୀବିକା ଉପାର୍ଜନ ନିଶ୍ଚିତ କରାଇଛନ୍ତି ବୋଲି ପ୍ରଶ୍ନରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇପାରିନାହାନ୍ତି ଶ୍ରମ ମନ୍ତ୍ରୀ। କାମଚଳା ଢଙ୍ଗରେ ଉତ୍ତର ଦେଇଛନ୍ତି, ସେମାନଙ୍କୁ ସରକାର ବିଭିନ୍ନ ବିଭାଗରେ ପ୍ରଚଳିତ ଯୋଜନା ମାଧ୍ୟମରେ ଜୀବିକା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି।
କାମଧନ୍ଦା ନ ପାଇ ଇତି ମଧ୍ୟରେ କେତେ ଜଣ ଓଡ଼ିଆ ଶ୍ରମିକ ପୁନର୍ବାର ଅନ୍ୟ ରାଜ୍ୟର କର୍ମସ୍ଥଳୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ? ଏ ପ୍ରଶ୍ନର ଉତ୍ତର ମଧ୍ୟ ସରକାରଙ୍କ ପାଖରେ ନାହିଁ। ମନ୍ତ୍ରୀ ସିଧା ଜଣାଇ ଦେଇଛନ୍ତି ଯେ ଏ ସମ୍ବନ୍ଧରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। କେନ୍ଦ୍ର ସରକାର କେତେ ଦେଲେ ଓ ସେଥିରେ ଗରିବ ଉପକୃତ ହେଲେ ? ଏହାର ହିସାବ ସରକାର ଏ ଯାଏ କରି ନାହାନ୍ତି। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଏହାର ତଥ୍ୟ ସଂଗ୍ରହ କରାଯାଉଛି।
ସହରାଞ୍ଚଳରେ ବାବଦରେ ନଗର ଉନ୍ନୟନ ମନ୍ତ୍ରୀ କିଛି ତଥ୍ୟ ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଜଣାଇଛନ୍ତି ଯେ ୧୧୪ ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳକୁ ସଙ୍ଗରୋଧ କେନ୍ଦ୍ର, ଟିଏମ୍ସି ଓ କୋଭିଡ୍ ନିୟନ୍ତ୍ରଣ ସଂକ୍ରାନ୍ତୀୟ ଅନ୍ୟ ବାବଦକୁ ୧୪ କୋଟି ୮୩ ଲକ୍ଷ ୭୯ ହଜାର ୪୪୫ ଟଙ୍କା(ଏସ୍ଆର୍ସି ଗ୍ରାଣ୍ଟ୍) ଦିଆଯାଇଛି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପି ସଭ୍ୟ ମୋହନ ଚରଣ ମାଝୀ, ମୁକେଶ ମହାଲିଙ୍ଗ ଓ ଶଙ୍କର ଓରାମ ପ୍ରମୁଖ କରୋନା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ କରି ତଥ୍ୟ ମାଗିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Assembly.jpg)