କୃଷି କ୍ଷେତ୍ରର ସମସ୍ୟାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍: କୃଷିର ବିକାଶ ସ୍ଲୋଗାନ୍ରେ ସୀମିତ
କୃଷି ବିଭାଗର ଖର୍ଚ୍ଚଦାବି ପାରିତ, କେନ୍ଦ୍ର ଆମ ହକ୍ ଦେଉନି: କୃଷି ମନ୍ତ୍ରୀ
ଭୁବନେଶ୍ବର : କୃଷି ଓ କୃଷକର ବିକାଶ କେବଳ ଶାସକ ଦଳର ସ୍ଲୋଗାନ୍ରେ ସୀମିତ ହୋଇଛି। କ୍ଷେତ୍ର ସ୍ତରକୁ ଗଲେ ବିକାଶ କେତେ ହୋଇଛି, ତାହା ଜଳ ଜଳ ଦେଖାଯାଉଛି। ନା ଜଳସେଚନ ଅଛି ନା ମଣ୍ଡିରେ ବ୍ୟବସ୍ଥା ଠିକ୍ ଅଛି। ଅଣଧାନ ଫସଲକୁ ଯଥେଷ୍ଟ ପ୍ରୋତ୍ସାହନ ମିଳୁନି। ଶିକ୍ଷିତ ବର୍ଗଙ୍କୁ ସରକାର ଚାଷ ପ୍ରତି ଆକୃଷ୍ଟ କରିପାରୁନାହାନ୍ତି। ଗୁରୁବାର ଦିନ ବିଧାନସଭାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଏମିତି ସମାଲୋଚନା କରିଥିଲେ ବିରୋଧୀ ଦଳ ବିଧାୟକମାନେ। ବିରୋଧୀକୁ ଜବାବ ଦେଇ ଶାସକ ଦଳ କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପର ରଙ୍ଗୀନ ଚିତ୍ର ଦେଖାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀଙ୍କ ପାଇଁ ଦରଦ ନାହିଁ। ଚାଷୀ ଶୋଷିତ ହେଉଛି। ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଦୈନନ୍ଦିନ ଜୀବନର ସବୁ ଜିନିଷ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ଉଚ୍ଚଶିକ୍ଷିତ ଯୁବବର୍ଗ ଯେପରି ଚାଷ ପ୍ରତି ଆକର୍ଷିତ ହେବେ, ସେ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ନାଉରୀ ନାୟକ କହିଲେ, ରାଜ୍ୟରେ କୃଷି ସ୍ଥିତି ସଙ୍ଗୀନ। ବର୍ଷା ନହେଲେ ମରୁଡ଼ି ହେଉଛି। ଚାଷୀ ଛଟପଟ ହେଉଛନ୍ତି। ସରକାରଙ୍କ ସ୍ଲୋଗାନ୍ ବର୍ଷାରେ ଚାଷୀଙ୍କ ସ୍ବପ୍ନ ଧୂଳିସାତ ହୋଇଗଲାଣି। ମୁକେଶ ମହାଲିଙ୍ଗ କହିଲେ, କୃଷିରେ ଖର୍ଚ୍ଚ କମିଛି। ଏଗ୍ରିକଲ୍ଚର୍ ମାର୍କେଟିଂ ବୋର୍ଡ ସ୍ଥାଣୁ ପାଲଟିଯାଇଛି। ମିଲେଟ୍ ମିସନ୍ ବିଫଳ ହୋଇଛି। ବିଭିନ୍ନ ଉତ୍ପାଦ ପାଇଁ ପ୍ରକ୍ରିୟାକରଣ ୟୁନିଟ୍ କରାଯାଉନି। ବଲାଙ୍ଗୀରରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ତୁରନ୍ତ ପ୍ରତିଷ୍ଠା ପାଇଁ ସେ ଦାବି କରିଥିଲେ। ନିତ୍ୟାନନ୍ଦ ଗଣ୍ଡ ଓ ଗଣେଶ ରାମସିଂହ ଖୁଣ୍ଟିଆ ଆଲୋଚନାରେ ଭାଗ ନେଇଥିଲେ।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଲେ, କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଡିଣ୍ଡିମ ପିଟୁଛନ୍ତି। ରାଜ୍ୟରେ କେତେ କୃଷକ ଓ କୃଷି ଶ୍ରମିକ ଅଛନ୍ତି, ତାହାର ଗଣନା କରାଯାଇଛି କି? ଗତ ୨୨ ବର୍ଷରେ ରାଜ୍ୟରେ କେତେ ଚାଷ ଜମି ଓ କେତେ ଚାଷୀ କମିଛନ୍ତି, ତାହାର ହିସାବ ସରକାର ରଖିଛନ୍ତି କି? ୨୨ ବର୍ଷର ଶାସନ ଭିତରେ ମଣ୍ଡିରେ ଛାତ ପକାଇ ନପାରିବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଯେତିକି ଡ୍ୟାମ୍ ଅଛି, ସବୁ କଂଗ୍ରେସ ସରକାର ଅମଳରେ ହୋଇଥିଲା। କିନ୍ତୁ ବିଜେଡି ସରକାର ତାହା ପରେ କିଛି କରିନାହାନ୍ତି। ଜଳସେଚନର ସୁବିଧା ନଥିବାରୁ ଚାଷୀମାନେ ଅଧିକ ହଇରାଣ ହେଉଛନ୍ତି। ସୁରେଶ ରାଉତରାୟ କହିଥିଲେ, ସରକାର ଖାଲି ପୁରସ୍କାର ଗୋଟାଇବାରେ ବ୍ୟସ୍ତ। ପଇସା ଦେଲେ ବହୁ ପୁରସ୍କାର ମିଳୁଛି। କୃଷି ବିଭାଗରେ କର୍ମଚାରୀ ସଙ୍କଟ ହୋଇଛି। ବ୍ଲକ୍ ଓ ଜିଲ୍ଲା ସ୍ତରରେ ଚାଷୀଙ୍କୁ ଆଉ ତାଲିମ୍ ଦିଆଯାଉନି। କେବଳ ଟଙ୍କିକିଆ ଚାଉଳ ଯୋଗାଇ ସରକାର ଚାଷୀଙ୍କ ଉନ୍ନତି କରିଦେଲେ ବୋଲି ଭାବୁଛନ୍ତି। ଧାନ ବାଦ୍ ଅନ୍ୟ ଫସଲ ଉପରେ ସରକାର ଗୁରୁତ୍ବ ଦେବାକୁ ସେ ଦାବି କରିଥିଲେ।
ଶାସକ ଦଳ ପକ୍ଷରୁ ଯୁକ୍ତି କରାଯାଇଥିଲା, ରାଜ୍ୟ ସରକାର ଚାଷକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ସେଥି ପାଇଁ ସ୍ବତନ୍ତ୍ର କୃଷି ବଜେଟ୍ କରିଛନ୍ତି। ଓଡ଼ିଶାକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିସାରିଲାଣି। ଚାଷ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବାରୁ ରାଜ୍ୟରେ ଉତ୍ପାଦନ ବଢ଼ିଛି। ଶିକ୍ଷିତ ଯୁବଗୋଷ୍ଠୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। କୃଷି ଶିଳ୍ପକୁ ମଧ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଶାସକ ଦଳର ସଭ୍ୟ ଅମର ଶତପଥୀ, ଧ୍ରୁବ ସାହୁ, ରାଜକିଶୋର ଦାସ, ସ୍ବରୂପ ଦାସ, ସୌଭିକ ବିଶ୍ବାଳ, ରଘୁନାଥ ଗମାଙ୍ଗୋ ଓ ଜଗନ୍ନାଥ ନାଏକ ଆଲୋଚନାରେ ଭାଗ ନେଇଥିଲେ।
ଆଲୋଚନାର ଉତ୍ତରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିରୋଧୀଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, କୃଷି କ୍ଷେତ୍ରକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। କୃଷିର ବିକାଶ ନେଇ ବିରୋଧୀ ଦଳ ରାଜନୀତି ନ କରନ୍ତୁ। କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ବ୍ୟୟବରାଦ ୪% ବଢ଼ାଇଥିଲା ବେଳେ ଆମ ରାଜ୍ୟରେ ୨୧% ବଢ଼ିଛି। କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ଆମର ହକ୍ ଦେଉନାହାନ୍ତି। ୩ ବର୍ଷ ହେଲା ଆମ ପ୍ରାପ୍ୟ ମିଳିନି। ଏ ସମ୍ପର୍କରେ ବିଜେପି ସଭ୍ୟମାନେ କେନ୍ଦ୍ର ସରକାରଙ୍କୁ କୁହନ୍ତୁ। ଉଭୟ ୟୁପିଏ ଓ ଏନ୍ଡିଏ ସରକାର ସମୟରେ ଓଡ଼ିଶାକୁ କୃଷିକର୍ମଣ ପୁରସ୍କାର ମିଳିଛି। କୃଷି ବିଭାଗର ସଫଳତା ସମ୍ପର୍କରେ ମନ୍ତ୍ରୀ କହିଥିଲେ, ଚଳିତ ବର୍ଷ କୃଷି ବିଭାଗ ପାଇଁ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଓଡ଼ିଶା ଏବେ ଫସଲ ଉତ୍ପାଦନ କ୍ଷେତ୍ରରେ କେବଳ ସ୍ବାଲମ୍ବୀ ନୁହେଁ, ବରଂ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ କ୍ଷୁଦ୍ରଶସ୍ୟ ପ୍ରୋତ୍ସାହନ ମାଧ୍ୟମରେ ପୁଷ୍ଟି ନିରାପତ୍ତା ଯୋଗାଇବା ପାଇଁ ୨୦୧୬-୧୭ରୁ କ୍ଷୁଦ୍ରଶସ୍ୟ ମିସନ୍ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ। କୃଷିର ତ୍ବରିତ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ୨୦୨୨-୨୩ରେ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ ୨୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟରେ ୩୦ଟି ସ୍ଥାୟୀ ଓ ୩୦ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ମିସନ ଶକ୍ତି ସହଭାଗିତାରେ ଆଗାମୀ ୩ ବର୍ଷରେ ୨ ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବାର ଲକ୍ଷ୍ୟ ରହିଛି।