ସରକାରୀ ବାବୁ କରୁଛନ୍ତି ଟେଣ୍ଡର ଫିକ୍ସିଂ!

ନୂଆ ନୂଆ ସର୍ତ୍ତ, ୧୪.୯୯% କମ୍ ନିୟମ ତିଆରି କରୁଛି ଗଳାବାଟ

କଟକ : ସରକାରୀ ବାବୁଙ୍କ ଜରିଆରେ ଚାଲିଛି ଟେଣ୍ଡର ଫିକ୍ସିଂ। ରାଜ୍ୟରେ ଦାଦା, ଗ୍ୟାଙ୍ଗଷ୍ଟରଙ୍କୁ ପୁଲିସ ଜରିଆରେ ଦମନ ପରେ ଟେଣ୍ଡର ଫିକ୍ସିଂ ପାଇଁ ସରକାରୀ ନିୟମ ଆଳରେ ଯେଉଁ ଗଳାବାଟ ବାହାରିଛି, ତାହାକୁ ନେଇ ଏବେ ଏ ପ୍ରକାର ଅଭିଯୋଗ ବଢ଼ିବାରେ ଲାଗିଛି। ସରକାରଙ୍କ ବିଭିନ୍ନ ବିଭାଗରେ ଭିନ୍ନ ନିୟମ, ଟେଣ୍ଡର ଧାର୍ଯ୍ୟ ମୂଲ୍ୟଠାରୁ କମ୍‌ରେ କାମ ହାତେଇବାର ସୁଯୋଗ ଇତ୍ୟାଦି ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ଠିକାଦାର ଉପକୃତ ହେଉଛନ୍ତି। ପୂର୍ବରୁ କିଏ କାମ ନେବ, ସେ କଥା ଗ୍ୟାଙ୍ଗଷ୍ଟର୍ ନିର୍ଦ୍ଧାରଣ କରୁଥିଲେ। ଭୟରେ ଅନ୍ୟ ଠିକାଦାର କାମରୁ ଦୂରେଇ ରହୁଥିଲେ। ଏ ବ୍ୟବସ୍ଥା ସୁଧାରିବା ଯୋଜନାରେ ସରକାରଙ୍କ ଗୁଣ୍ଡା ଦମନ ନୀତିକୁ ସବୁ ମହଲରେ ସ୍ବାଗତ କରାଗଲା। ଅନ୍ୟପଟେ, ସରକାରୀ ନିୟମ ଆଉ ବ୍ୟବସ୍ଥା ଆଳରେ ଏବେ ସରକାରୀ ବାବୁମାନେ ପରୋକ୍ଷରେ ଠିକାଦାର ଚୟନ କରିବା ଘଟଣା ସଂପୂର୍ଣ୍ଣ ନୂଆ ଧରଣର ଅପରାଧକୁ ପ୍ରୋତ୍ସାହିତ କରିଚାଲିଛି।

ତଥ୍ୟ ଅନୁଯାୟୀ, ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗରେ ୮ କୋଟି ଟଙ୍କା ମୂଲ୍ୟର ଟେଣ୍ଡର କାମ ପାଇଁ କୌଣସି ସର୍ତ୍ତ ରହୁନାହିଁ। ଯେକୌଣସି ଯୋଗ୍ୟତା ପ୍ରାପ୍ତ ଠିକାଦାର ଏହି କାମ ପାଇଁ ଆବେଦନ କରିପାରିବେ। କିନ୍ତୁ, ସରକାରଙ୍କର ଅନ୍ୟ ବିଭାଗ ଯେମିତିକି ପିଡବ୍ଲୁଡି, ଆର ଆଣ୍ଡ୍‌ ବି ଇତ୍ୟାଦିରେ ଟେଣ୍ଡର ଆହ୍ବାନ ସମୟରେ ନିର୍ଦ୍ଦିଷ୍ଟ ସର୍ତ୍ତ ଯୋଡ଼ି ଦିଆଯାଉଛି। ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ପ୍ରକାରର ଅଭିଜ୍ଞତା ଥିଲେ ଜଣେ ଆବେଦନ କରିପାରିବ ବୋଲି ସର୍ତ୍ତ ରଖି ଦିଆଯାଉଛି। ଫଳରେ ଟେଣ୍ଡର ପାଇଁ କେବଳ କିଛି ନିର୍ଦ୍ଦିଷ୍ଟ ଠିକାଦାର ଆବେଦନ କରିବାକୁ ଯୋଗ୍ୟତା ହାସଲ କରୁଛନ୍ତି। ସରକାର ସି, ବି, ଏ, ସ୍ପେସାଲ୍ କ୍ଲାସ, ସୁପର କ୍ଲାସ୍ ଇତ୍ୟାଦି ବର୍ଗରେ ଠିକାଦାର ଲାଇସେନ୍ସ ପ୍ରଦାନ କରୁଛନ୍ତି। ଅର୍ଥାତ୍‌ ଯେଉଁ ମୂଲ୍ୟର ଟେଣ୍ଡର ହୋଇଥିବ, ଜଣେ ସେହି ବର୍ଗର ଲାଇସେନ୍ସ ପାଇଥିବା ଠିକାଦାର ଆବେଦନ କରିପାରିବ। ଗୋଟିଏପଟେ ଠିକାଦାରଙ୍କୁ ସରକାର ଲାଇସେନ୍ସ ଦେଉଥିବାବେଳେ ପୁଣି ଟେଣ୍ଡର ସମୟରେ ନୂଆ ତଥା ଆଶ୍ଚର୍ଯ୍ୟଜନକ ସର୍ତ୍ତ ଯୋଡ଼ି ଦିଆଯିବା ଘଟଣାଧୀରେ ଧୀରେ ବିବାଦର କାରଣ ହୋଇଛି। ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ନଜରରେ ରଖି ବିଭିନ୍ନ ବିଭାଗ ଏଭଳି ସର୍ତ୍ତ ଯୋଡ଼ୁଥିବା ଅଭିଯୋଗ ହେଉଛି।

PR1MA

ସେତେବେଳେ ୧ ଲକ୍ଷ ଟଙ୍କାର କାମ ଠିକାଦାରମାନେ ୧ ଲକ୍ଷ ୫ ଅଥବା ୧ ଲକ୍ଷ ୧୦ ହଜାର ଟଙ୍କାର‌େ ବି ହାତଉଥିଲେ। ଏବେ ସରକାର ଯେଉଁ କାମକୁ ୧ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ କଲେ, ତାହାକୁ ଠିକାଦାରମାନେ ୯୫ ଅଥବା ୯୦ ହଜାର ଟଙ୍କାରେ କରିବେ ବୋଲି ଟେଣ୍ଡର ଦାଖଲ କରୁଛନ୍ତି। ଏହି ପ୍ରକ୍ରିୟାରେ ରାଜକୋଷର ଲାଭ ହେଲା ବୋଲି ଆରମ୍ଭରୁ ବିଚାର କରାଗଲା। କିନ୍ତୁ; ଏ ଅସୁସ୍ଥ ପ୍ରତିଯୋଗିତା ଏତେ ବଢିବଲା ଯେ ସରକାର ବି ନିୟମ କରିଦେଲେ, ଜଣେ ଟେଣ୍ଡର ମୂଲ୍ୟଠାରୁ ସର୍ବାଧିକ ୧୪.୯୯ ପ୍ରତିଶତ କମ୍‌ରେ କାମ ନେବାକୁ ବି ଟେଣ୍ଡର ଆବେଦନ କରିପାରିବ। ଅର୍ଥାତ୍‌ ସରକାର ଯଦି ୧ ଲକ୍ଷ ଟଙ୍କାର କାମ ପାଇଁ ଟେଣ୍ଡର କରିଥି‌ବେ ତେବେ ଠିକାଦାର ତାହାକୁ ୮୫ ହଜାର ୦୧ ଟଙ୍କାରେ ବି ନେବାପାଇଁ ଆବେଦନ କରିପାରିବ। ସରକାର ଏଥିରେ ବି ଏକ ନିୟମ ଯୋଡ଼ିଦେଲେ। ୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନେଲେ ସରକାରଙ୍କ ନିକଟରେ କୌଣସି ଜମା ରାଶି ରଖିବାକୁ ପଡ଼ିବ ନାହିଁ। ଯଦି ୯.୯୯ ପ୍ରତିଶତ କମ ମୂଲ୍ୟରେ କାମ ନିଅନ୍ତି, ତେବେ ଯେତିକି ମୂଲ୍ୟ କମ୍ କରିଥିବେ ସେତିକି ଟଙ୍କା ସରକାରଙ୍କ ନିକଟରେ ଜମାଦେବେ। ଏଥିସହିତ, ୧୪.୯୯ ପ୍ରତିଶତ କମରେ କାମ ନେଲେ, ଯେତିକି ରାଶି ଟେଣ୍ଡର ମୂଲ୍ୟରୁ କମ୍‌ରେ ଦାଖଲ ହୋଇଥିବ ତା’ର ଦେଢ ଗୁଣ ଅର୍ଥ ସରକାରଙ୍କ ନିକଟରେ ଜମାଦେବେ ଏବଂ କାମ ସରିବା ପରେ ତାହା ଫେରିପାଇବେ। ଅର୍ଥାତ୍‌ ଯଦି ୧ ଲକ୍ଷ ଟଙ୍କାର କାମକୁ ଜଣେ ଠିକାଦାର ୮୫ ହଜାର ୦୧ ଟଙ୍କାରେ ନିଅନ୍ତି ତେବେ ତାଙ୍କୁ ସରକାରଙ୍କ ପାଖରେ କାମ ସରିବା ପର୍ଯ୍ୟନ୍ତ ୩୦ ହଜାର ପାଖାପାଖି ଟଙ୍କା ଜମା ରଖିବାକୁ ପଡ଼ିବ ଏବଂ ତାହା କାମ ସରିଲାବେଳକୁ ବିନା ସୁଧରେ ଫେରସ୍ତ ମିଳିବ। ଯଦି କାମ ୧୦ କୋଟି ଟଙ୍କାର ହୁଏ ତେବେ ୧୪.୯୯ ପ୍ରତିଶତ କମରେ ଟେଣ୍ଡର ନେଇଥିବା ଠିକାଦାର ସରକାରଙ୍କ ପାଖରେ ପ୍ରାୟ ୩ କୋଟିରୁ ଅଧିକ ଟଙ୍କା ଜମା ରଖିବେ ଏବଂ କାମ ସରିଲାବେଳକୁ ବିନା ସୁଧରେ ତାହା ଫେରିପାଇବେ। ଏହାବ୍ୟତୀତ ଜମାନତ ରାଶି ଅଲଗା ଦାଖଲ ହେବ। ଏତେ କୋଟି ଟଙ୍କା କେତେ ଜଣ ଠିକାଦାର ବିନା ସୁଧରେ ସରକାରଙ୍କ ପାଖରେ ଜମା ରଖି ପାରିବେ? ଏଭଳି ବ୍ୟବସ୍ଥାରେ ଗୋଟିଏପଟେ କାମର ମାନ କେତେ ଠିକ୍‌ ରହିବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଅଧିକ ମୂଲ୍ୟର ଟେଣ୍ଡର କାମ ପାଇଁ କେବଳ ହାତଗଣତି ଠିକାଦାର ସୁଯୋଗ ନେଇ ପାରୁଛନ୍ତି।

ଅଭିଯୋଗ ହେଉଛି ଯେ, ଟେଣ୍ଡର ମୂଲ୍ୟଠାରୁ କମ୍‌ରେ କାମ ହାତେଇବା ପାଇଁ ଠିକାଦାରଙ୍କ ମଧ୍ୟରେ ଅସୁସ୍ଥ ପ୍ରତିଯୋଗିତା ଜାଣିଜାଣି ସୃଷ୍ଟି କରିବା ବି ଏବେ ନୂଆ ଢଙ୍ଗରେ ଫିକ୍ସିଂ ପାଇଁ‌ କ୍ଷେତ୍ର ପ୍ରସ୍ତୁତ କରୁଛି।

ଏ ସଂପର୍କରେ ସ୍ପେଶାଲ୍ କ୍ଲାସ୍ ଠିକାଦାର ଜିତେନ୍ଦୁ ମହାନ୍ତି କହିବା ଅନୁଯାୟୀ ଏଭଳି ବ୍ୟବସ୍ଥାରେ ଧୀରେ ଧୀରେ ଅସୁସ୍ଥ ପରମ୍ପରା ବଢ଼ିବାରେ ଲାଗିଛି। କାମ କରିବା ପାଇଁ ଅନେକ ଠିକାଦାର ଏବେ ଆଉ ସାହସ କୁଳାଇ ପାରୁ ନାହାନ୍ତି। ଯଦି ସରକାର ଗୋଟିଏ କାମର ମୂଲ୍ୟ ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରୁଛନ୍ତି ତେବେ ତାହାକୁ ଜଣେ ୮୫ ହଜାର ଟଙ୍କାରେ କରିପାରିବ ବୋଲି କହିଲେ, ସେଥିପାଇଁ କେମିତି ସୁଯୋଗ ମିଳୁଛି? ଏହାର ଅର୍ଥ ସରକାରଙ୍କ କାମ ମୂଲ୍ୟ ଆକଳନ କରିବା ଠିକ୍‌ ହେଉ ନାହିଁ। ସରକାରଙ୍କ ଆକଳନ ଠାରୁ ଠିକାଦାରଙ୍କ ଆକଳନ କେମିତି କମ୍ ହେଉଛି? ଏହା ବି ତଦନ୍ତ ଆଉ ଅନୁଧ୍ୟାନର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ୟପଟେ, ଏ ସଂପର୍କରେ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ଦାସ କହିଛନ୍ତି ଯେ ସିଧାସଳଖ ଦେଖିଲେ ଏଥିରେ ରାଜକୋଷକୁ ଫାଇଦା ହେଉଥିବା ଅନୁଭବ ହେଉଛି। କିନ୍ତୁ ବାସ୍ତବ ସ୍ଥିତି ଟିକେ ଓଲଟା ବୋଲି ସ୍ବୀକାର କରିବାକୁ ପଡ଼ିବ। କମ୍ ମୂଲ୍ୟରେ ଠିକା କାମ ହାତଉଥିବା ଠିକାଦାର କିଭଳି କାମ କରୁଛନ୍ତି, ତାହାର ଯାଞ୍ଚ ହେବା ଆବଶ୍ୟକ। ସରକାର ବି ଏ ପ୍ରସଙ୍ଗକୁ ଅଧିକ ସମୀକ୍ଷା କରିବା ଆବଶ୍ୟକ ବୋଲି ଇଂଜିନିୟର ଦାସ କହିଛନ୍ତି।

ସମ୍ବନ୍ଧିତ ଖବର