ଏମାନଙ୍କ କାନ୍ଧରେ ଶାସନ ମଙ୍ଗ

ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ବାଧୀନ ନୂଆ ମନ୍ତ୍ରିମଣ୍ଡଳରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ୍‌ଦେଲେ ଆହୁରି ୧୩ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ କ୍ୟାବିନେଟ୍‌ ପ‌ାହ୍ୟା ମିଳିଥିବା ବେଳେ ୫ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ। ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରୁ ମାତ୍ର କେତେଜଣଙ୍କୁ ବାଦ୍‌ଦେଲେ ଅଧିକାଂଶ ପ୍ରାୟ ପ୍ରଥମକରି ନିର୍ବାଚିତ ହୋଇଛନ୍ତି। ତେବେ, ସେମାନଙ୍କ ନିକଟରେ ସଙ୍ଗଠନ ଓ ରାଜନୀତିରେ ଦୀର୍ଘ ଅଭିଜ୍ଞତା ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ତୃଣମୂଳ ସଙ୍ଗଠନରୁ ବାହାରି ନିଜର ଦକ୍ଷତା ବଳରେ ଆଜି ରାଜନୀତିର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି।
‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା…

ସୁରେଶ ପୂଜାରୀ
ବିଜେପି ନେତୃତ୍ବାଧୀନ ନୂଆ ମନ୍ତ୍ରିମଣ୍ଡଳରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ତେବେ ରିପୋର୍ଟ ଲେଖାଯିବା ଯାଏ ଶ୍ରୀ ପୂଜାରୀଙ୍କୁ କେଉଁ ବିଭାଗ ମିଳିବ ତାହା ଘୋଷଣା ହୋଇ ନ ଥିଲେ ହେଁ କ୍ୟାବିନେଟ ମନ୍ତ୍ରୀଙ୍କ ୧ ନଂ. ତାଲିକାରେ ତାଙ୍କ ନାମ ରହିଥିବାରୁ କୌଣସି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଚଳିତ ନିର୍ବାଚନରେ ଶ୍ରୀ ପୂଜାରୀ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୨୬ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ପରାଜିତ ‌କରି ବିଜୟୀ ହୋଇଛନ୍ତି। ବରଗଡ଼ ଜିଲ୍ଲା ସଦର ବ୍ଲକ ତୋରାରେ ଜନ୍ମିତ ଶ୍ରୀ ପୂଜାରୀ ସମ୍ବଲପୁରର ଜିଏମ୍‌ କଲେଜ, ଏଲ୍‌ ଆର୍‌ ଲ’ କଲେଜରେ ପାଠ ପଢ଼ିଛନ୍ତି। ପଦାର୍ଥ ବିଜ୍ଞାନରେ ଏସ୍‌ଏମ୍‌ସି, ଏଲ୍‌ଏଲ୍‌ବି, ଶ୍ରମ ଆଇନ୍‌ରେ ପିଜି ଡିପ୍ଳୋମା ଭଳି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଶ୍ରୀ ପୂଜାରୀ ଛାତ୍ର ଜୀବନରୁ ହିଁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ -୮୧ ମସିହାରେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ଗଙ୍ଗାଧର ମେହେର କଲେଜ ଛା‌ତ୍ର ସଂଘର ସଭାପତି ଭାବେ ନିର୍ବାଚିତ ‌ହୋଇଥିଲେ। ୧୯୯୨ ମସିହାରେ ସେ ସମ୍ବଲପୁର ମ୍ୟୁନିସିପାଲଟିର ଅଧ୍ୟକ୍ଷ ହୋଇଥିଲେ। ସେହିବର୍ଷ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ୧୯୯୩ ମସିହାରେ ରାଜ୍ୟ ସର୍ବନିମ୍ନ ପାରିଶ୍ରମିକ ବୋର୍ଡର ସଦସ୍ୟ, ୨୦୦୪-୨୦୦୬ ଯାଏ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯-୨୦୧୨ ମସିହା ଯାଏ ତ୍ରିପୁରାରେ ବିଜେପିର ପ୍ରଭାରୀ, ୨୦୧୨-୨୦୧୪ ଯାଏ ଜାତୀୟ ଟ୍ରେନିଂ ସେଲ୍‌ର ସଦସ୍ୟ ରହିଥିଲେ। ୨୦୦୦ରୁ ୨୦୦୩ ମସିହା ଯାଏ ସେ ରାଜ୍ୟ ବିଜେପିର ଉପ ସଭାପତି ଓ ୨୦୦୬ରୁ ୨୦୦୯ ମସିହା ଯାଏ ସଭାପତି ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି। ୨୦୧୯ରୁ ୨୦୨୪ ଯାଏ ସେ ବରଗଡ଼ ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପୃଥ୍ବୀରାଜ ହରିଚନ୍ଦନ
ଚିଲିକା ରାଜନୀତିରେ ଏକ ବିରଳ ସଂଯୋଗ। ‘ହରିଚନ୍ଦନ’ ପରିବାରଙ୍କ ଆହୁରି ଗୁରୁତ୍ବ ବଢ଼ିଯାଇଛି। ବାପା ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ତାଙ୍କର ବଡ଼ପୁଅ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନୂଆ ବିଜେପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଦାୟିତ୍ବ ମିଳିଛି।
ଚିଲିକା ନିର୍ବାଚନମଣ୍ଡଳୀରେ ହରିଚନ୍ଦନ ପରିବାରର ଖ୍ୟାତି ଆଜିର କଥା ନୁହେଁ। କ୍ୟାବିନେଟ୍‌ ମନ୍ତ୍ରୀ ପୃଥ୍ବୀରାଜଙ୍କ ଜେଜେ ବାପା ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ଅମଳରୁ ପ୍ରଭାବ ରହି ଆସିଛି। ଅବିଭକ୍ତ ପୁରୀ ଜିଲ୍ଲା ଥିବାସମୟରେ ସ୍ବର୍ଗତ ହରିଚନ୍ଦନ ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବିରେ ଥିଲେ। ପରେପରେ ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟ ରାଜସ୍ବ ଏବଂ ଆଇନ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ବିଶ୍ବଭୂଷଣଙ୍କ ପରେ ବିଭୂତି ଶ୍ରୀଚନ୍ଦନ ଚିଲିକାରୁ ବିଜେପିର ନେତୃତ୍ବ ନେଇଥିଲେ। ଥରକୁ ଥର ସେ ମୋଟ୍ ତିନି ଥର ବିଜେପିର ବିଧାୟକ ଭାବେ ଚିଲିକାରୁ ନିର୍ବାଚିତ ହୋଇଥିଲେ। ଗଲା ୨୦୧୯ ନିର୍ବାଚନରୁ ବିଭୂତି ରାଜନୀତିରୁ ଦୂରେଇ ଯାଇଥିଲେ ଏବଂ ପୁତୁରା ପୃଥ୍ବୀରାଜ ହରିଚନ୍ଦନଙ୍କୁ ଚିଲିକାର ମଇଦାନ ଛାଡ଼ିଥିଲେ। ପ୍ରଥମ ପ୍ରତିଦ୍ବନ୍ଦ୍ବିତାରେ ପୃଥ୍ବୀରାଜଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ସେ ପରାଜିତ ହୋଇଥିଲେ। ପରାଜିତ ପରେ ବିଜେପିର କେନ୍ଦ୍ର ନେତୃତ୍ବ ତାଙ୍କୁ କୋଚିନ୍‌ ସିପ୍‌ ୟାର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ପୃଥ୍ବୀରାଜଙ୍କ ନେତୃତ୍ବ ରାଜ୍ୟ ରାଜନୀତିରେ ବି ପ୍ରତିଫଳିତ ହୋଇଥିଲା। ଚଳିତ ସାଧାରଣ ନିର୍ବାଚନରେ ପୃଥ୍ବୀରାଜ ଦ୍ବିତୀୟ ବାର ବିଜେପିରୁ ଟିକେଟ୍ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେ ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ୪୪୫୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ପ୍ରଥମଥର ବିଧାୟକ ହୋଇଥିଲେ ହେଁ ବିଜେପି ତାଙ୍କ ଉପରେ ଅତୁଟ ଭରସା କରିଛି। ତାଙ୍କୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମିଳିଛି।

ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ମୟୂରଭଞ୍ଜରୁ ୨ ଜଣ ସ୍ଥାନ ପାଇଥିବା ବେଳେ ମୋରଡ଼ା ବିଧାୟକ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି କ୍ୟାବିନେଟ୍‌ ପଦ। ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ୧୯୭୦ ମସିହାରେ ଖୁଣ୍ଟା ବ୍ଲକ୍‌ ଶିମିଳାବନ୍ଧ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ କୃଷ୍ଣଚନ୍ଦ୍ର। ଏବେ ସେ ବାରିପଦାରେ ପରିବାର ସହ ରହୁଛନ୍ତି। ତାଙ୍କ ପିତା ରାମଚନ୍ଦ୍ର ମହାପାତ୍ରଙ୍କର ଦେହାନ୍ତ ହୋଇ ସାରିଥିବା ବେଳେ ଘରେ ଅଛନ୍ତି ମା’ ଶିବପ୍ରିୟା, ପତ୍ନୀ ଅନୁରାଧା ଦେବତା ଓ ସ୍କୁଲରେ ପଢ଼ୁଥିବା ୨ ପୁଅ। କୁଶଳଦା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପରେ ବାରିପଦାସ୍ଥିତ ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟରୁ ବିଏଏମ୍‌ଏସ୍‌ ଓ ଆଇନ୍‌ ଶିକ୍ଷାରେ ସେ ସ୍ନାତକୋତ୍ତର କରିଛନ୍ତି। ଛାତ୍ର ଜୀବନରୁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଶ୍ବହିନ୍ଦୁ ପରିଷଦ ସହ ଜଡ଼ିତ ଥିଲେ। ୧୯୯୫ରୁ ବିଜେପିରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ୨ ଥର ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଓ ୨ ଥର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଜିଲ୍ଲା ସଭାପତି ଥିବାବେଳେ ୨୦୧୭ରେ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ୫୪ରୁ ୪୯ ଆସନ ହାସଲ କରି ରେକର୍ଡ କରିଥିଲା। ୨୦୧୯ରେ ସେ ମୋରଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜେଡିର ରାଜକିଶୋର ଦାସଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ, ତାଙ୍କ ନେତୃତ୍ବରେ ଲଢ଼ିଥିବା ବିଜେପି ୯ରୁ ୬ଟି ଆସନ ହା‌ତେଇଥିଲା। ୨୦୧୯ ନିର୍ବାଚନ ପରେ ସେ ରାଜ୍ୟ ବିଜେପି ସହରାଞ୍ଚଳ କମିଟିର ସଂଯୋଜକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଚଳିତ ନିର୍ବାଚନରେ ସେ ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ରବି ନାରାୟଣ ନାଏକ
କୁଚିଣ୍ଡା ବିଧାନସଭା କ୍ଷେତ୍ର ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ରବି ନାରାୟଣ ନାଏକ କୁଚିଣ୍ଡା ବିଧାନସଭା କ୍ଷେତ୍ରର ପ୍ରଥମ ବିଧାୟକ ଭାବେ ମନ୍ତ୍ରୀ ହୋଇଛନ୍ତି। ୨୦୦୦ ଓ ୨୦୦୪ ମସିହାରେ ଗଠିତ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ବିଜେପି ପ୍ରାର୍ଥୀ ରବି ନାରାୟଣ ନାଏକଙ୍କୁ କୁଚିଣ୍ଡାବାସୀ ଜିତାଇଥିଲେ। ତଥାପି, ଶ୍ରୀ ନାଏକଙ୍କୁ ମନ୍ତ୍ରୀ ପଦ ନମିଳିବାରୁ କୁଚିଣ୍ଡାବାସୀଙ୍କୁ ନିରାଶ‌ ହେବାକୁ ପଡ଼ିଥିଲା। ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ କୁଚିଣ୍ଡାବାସୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ, ସେବର୍ଷ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ଶ୍ରୀ ନାଏକ ତୃତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ, ୨୦୧୯ ମସିହା ନିର୍ବାଚନରେ କିଶୋର ନାୟକଙ୍କ ବିଜୟ ସହିତ ପ୍ରଥମଥର ପାଇଁ ବିଜେଡି କୁଚିଣ୍ଡା ଆସନ ଅକ୍ତିଆର କରିଥିଲା। ମାତ୍ର, ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିନଥିଲା। ଚଳିତ ନିର୍ବାଚନରେ ବିଜେପି ସରକାର ଗଠନ ପରେ ଶ୍ରୀ ନାଏକଙ୍କୁ ଏଥର ମନ୍ତ୍ରୀପଦ ମିଳିଛି। ସେ ଶପଥ ଗ୍ରହଣ କରିବାପରେ ବାଣ ଫୁଟାଇ ଅଂଚଳବାସୀ ଖୁସି ମନାଇଛନ୍ତି। ପୁଅ ମନ୍ତ୍ରୀ ଭାବେ ଶପଥ ନେବାରୁ ରବିଙ୍କ ମା’ ଶୁଭ ନାଏକଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ୧୯୭୦ ମସିହାରେ ଖଣ୍ଡୋକଟା ଗାଁରେ ଜନ୍ମିତ ଶ୍ରୀ ନାଏକ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଖଣ୍ଡୋକଟା ସ୍କୁଲରେ ପାଠ ପଢ଼ିଥିଲେ। ହାଡ଼ିପାଲି ପଞ୍ଚାୟତ ହାଇସ୍କୁଲରୁ ମାଟ୍ରିକ ଏବଂ କୁଚିଣ୍ଡା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ ପରେ ରାଜନୀତିରେ ପାଦ ଥାପି ଥିଲେ। ସେ ଜଣେ ଭଲ ଫୁଟବଲ ଖେଳାଳି ଥିଲେ ଏବଂ ଅନେକ ଅନ୍ତଃକଲେଜ ଫୁଟବଲ ପ୍ରତିଯୋଗିତାରେ ଭାଗ ‌ନେଇଛନ୍ତି। ବାପା ଦଶରଥ ନାୟକ ଜଣେ ପାଲା ଗାୟକ ଏବଂ ମାତା ଗୃହିଣୀ। ପତ୍ନୀ କବିତା ଦଣ୍ଡପାଟ ଭୁବନେଶ୍ବରରେ ଶିକ୍ଷୟତ୍ରୀ ଅଛନ୍ତି।

କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳର ଲଢ଼ୁଆ ବିଜେପି ନେତା ତଥା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀପଦ ମିଳିଛି। ଏଥିସହ ଦୀର୍ଘ ୨୯ ବର୍ଷ ପରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ମନ୍ତ୍ରୀପଦ ହାସଲ କରିଛି। ଶ୍ରୀ ପାତ୍ର ଆର୍‌ଏସ୍‌ଏସ୍‌ର ଜ‌ଣେ କାର୍ଯ୍ୟକର୍ତ୍ତା ଏବଂ ଏମ୍‌.ଏ.ସି ଓ ଆଇନ ବିଭାଗର ଛାତ୍ର। ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ସେ ୮ ମାସ ଅଧ୍ୟାପନା କରିଥିଲେ। ଢେଙ୍କାନାଳରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଭାବେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ ‌ଶ୍ରୀ ପାତ୍ର ନିରବଚ୍ଛିନ୍ନ କାର୍ଯ୍ୟ କରି ଆସିଛନ୍ତି। ୧୯୯୫ ମସିହାରେ ପ୍ରଥମଥର ସେ ଗଁଦିଆ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ପରେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ହୋଇଥିଲେ। ତା’ ପରଠାରୁ ଚାରିଥର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତଥାପି ଦଳ ତାଙ୍କ ଉପରେ ଭରସା କରି ଚଳିତଥର ପ୍ରାର୍ଥୀ କରିଥିଲା। ଶ୍ରୀ ପାତ୍ର ବିଜେଡିର ସୁଧୀର ସାମଲଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ। ପୂର୍ବରୁ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ, ଜିଲ୍ଲା ସଭାପତି ଭାବେ ତାଙ୍କର ଦଳୀୟ ସଂଗଠନରେ ଅଭିଜ୍ଞତା ରହିଛି। ଏପରିକି ସେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ମଧ୍ୟ ଥିଲେ। ୧୯୯୦ ମସିହା ବାବ୍ରି ମସଜିଦ୍‌ ଭଙ୍ଗ‌ା ଘଟଣାରେ ଶ୍ରୀ ପାତ୍ର ଜେଲ୍‌ ଯାଇଥିଲେ। ଦୀର୍ଘବର୍ଷ ଧରି କୌଣସି ରାଜନୈତିକ ପଦପଦବିରେ ନଥାଇ ବି ସେ ସମସ୍ତଙ୍କ ସୁଖଦୁଃଖରେ ସାମିଲ୍‌ ହୋଇ ରହିଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଯାନିଯାତ୍ରା, ଉତ୍ସବରେ ସେ ସହରବାସୀଙ୍କ ସହ ଯୋଡ଼ି ହୋଇ ରହିଥିଲେ। ଶେଷରେ, ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀପଦ ମିଳିଛି। ସୂଚନାଯୋଗ୍ୟ ଯେ ୧୯୯୫ ମସିହାରେ କଂଗ୍ରେସର ନବୀନଚନ୍ଦ୍ର ନାରାୟଣ ଦାସ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କ ପରେ ଏହି ନିର୍ବାଚନମଣ୍ଡଳୀରୁ ଅନ୍ୟ କେହି ମନ୍ତ୍ରୀ ହୋଇନାହାନ୍ତି।

ନିତ୍ୟାନନ୍ଦ ଗଣ୍ଡ
ଉମରକୋଟ ଏନ୍‌ଏସି କାଉନସିଲର ଭାବେ ନିର୍ବାଚିତ ହୋଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୨୦୧୪ ନିର୍ବାଚନରେ ପରାଜୟ ପରେ ପରବର୍ତ୍ତୀ ଦୁଇଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଶେଷରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇ ଉମରକୋଟବାସୀଙ୍କ ୨୪ବର୍ଷ ଅପେକ୍ଷାର ଅନ୍ତ ଘଟାଇଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗାଁର ଗୋଟିଏ ଚାଷୀ ପରିବାରରେ ନିତ୍ୟାନନ୍ଦଙ୍କ ଜନ୍ମ। ଉଚ୍ଚଶିକ୍ଷା ନିମନ୍ତେ ଉମରକୋଟ ସହରକୁ ଆସିଥିଲେ। ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ପରେ ଜୟପୁର ମହାବିଦ୍ୟାଳୟରେ ଆଇନ ପଢ଼ିଥିଲେ। ଇତିହାସରେ ‌ସ୍ନାତକୋତ୍ତର ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଉମରକୋଟ କୋର୍ଟରେ ଆଇନଜୀବୀ ଭାବେ ପେସାଗତ ଜୀବନ ଆରମ୍ଭ କରିଥିଲେ। ୨୦୦୩ ମସିହାରେ ଉମରକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡରୁ କାଉନସିଲର୍‌ ଭାବେ ନିର୍ବାଚିତ ହୋଇ ରାଜନୀତିର ପ୍ରଥମ ସୋପାନ ଚଢ଼ିଥିଲେ। ୨୦୧୪ ମସିହାରେ ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା। ୨୦୧୯ ନିର୍ବାଚନରେ ମୋଦୀ ଲହର ଏବଂ ନିଜ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ସେ ପାଖାପାଖି ୧୦ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଯୁବ ତଥା ଉପାନ୍ତ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବାରୁ ଦଳ ତାଙ୍କୁ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଭଳି ଗୁରୁଦାୟିତ୍ବ ଦେଇଥିଲା। ୨୦୨୪ ନିର୍ବାଚନରେ ଦ୍ବିତୀୟଥର ବିଧାନସଭାକୁ ନିର୍ବାଚିତ ହେବାପରେ ରାଜ୍ୟ ‌କ୍ୟାବିନେଟ୍‌ରେ ନିତ୍ୟାନନ୍ଦଙ୍କୁ ସ୍ଥାନ ମିଳିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ଉମରକୋଟର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମୀ ରବି ସିଂ ମାଝୀ ବିଜୟୀ ହୋଇ ବି ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ନିତ୍ୟାନନ୍ଦଙ୍କ ୨୪ବର୍ଷ ପୂର୍ବରୁ ଉମରକୋଟ ବିଧାୟିକା ପରମା ପୂଜାରୀ ମନ୍ତ୍ରୀ ହୋଇଥିଲେ।

କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳର ଲଢ଼ୁଆ ବିଜେପି ନେତା ତଥା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀପଦ ମିଳିଛି। ଏଥିସହ ଦୀର୍ଘ ୨୯ ବର୍ଷ ପରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ମନ୍ତ୍ରୀପଦ ହାସଲ କରିଛି। ଶ୍ରୀ ପାତ୍ର ଆର୍‌ଏସ୍‌ଏସ୍‌ର ଜ‌ଣେ କାର୍ଯ୍ୟକର୍ତ୍ତା ଏବଂ ଏମ୍‌.ଏ.ସି ଓ ଆଇନ ବିଭାଗର ଛାତ୍ର। ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ସେ ୮ ମାସ ଅଧ୍ୟାପନା କରିଥିଲେ। ଢେଙ୍କାନାଳରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଭାବେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ ‌ଶ୍ରୀ ପାତ୍ର ନିରବଚ୍ଛିନ୍ନ କାର୍ଯ୍ୟ କରି ଆସିଛନ୍ତି। ୧୯୯୫ ମସିହାରେ ପ୍ରଥମଥର ସେ ଗଁଦିଆ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ପରେ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ହୋଇଥିଲେ। ତା’ ପରଠାରୁ ଚାରିଥର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତଥାପି ଦଳ ତାଙ୍କ ଉପରେ ଭରସା କରି ଚଳିତଥର ପ୍ରାର୍ଥୀ କରିଥିଲା। ଶ୍ରୀ ପାତ୍ର ବିଜେଡିର ସୁଧୀର ସାମଲଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ। ପୂର୍ବରୁ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ, ଜିଲ୍ଲା ସଭାପତି ଭାବେ ତାଙ୍କର ଦଳୀୟ ସଂଗଠନରେ ଅଭିଜ୍ଞତା ରହିଛି। ଏପରିକି ସେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ମଧ୍ୟ ଥିଲେ। ୧୯୯୦ ମସିହା ବାବ୍ରି ମସଜିଦ୍‌ ଭଙ୍ଗ‌ା ଘଟଣାରେ ଶ୍ରୀ ପାତ୍ର ଜେଲ୍‌ ଯାଇଥିଲେ। ଦୀର୍ଘବର୍ଷ ଧରି କୌଣସି ରାଜନୈତିକ ପଦପଦବିରେ ନଥାଇ ବି ସେ ସମସ୍ତଙ୍କ ସୁଖଦୁଃଖରେ ସାମିଲ୍‌ ହୋଇ ରହିଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଯାନିଯାତ୍ରା, ଉତ୍ସବରେ ସେ ସହରବାସୀଙ୍କ ସହ ଯୋଡ଼ି ହୋଇ ରହିଥିଲେ। ଶେଷରେ, ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀପଦ ମିଳିଛି। ସୂଚନାଯୋଗ୍ୟ ଯେ ୧୯୯୫ ମସିହାରେ କଂଗ୍ରେସର ନବୀନଚନ୍ଦ୍ର ନାରାୟଣ ଦାସ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କ ପରେ ଏହି ନିର୍ବାଚନମଣ୍ଡଳୀରୁ ଅନ୍ୟ କେହି ମନ୍ତ୍ରୀ ହୋଇନାହାନ୍ତି।

ବିଭୂତି ଭୂଷଣ ଜେନା
ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବିଭୂତି ଭୂଷଣ ଜେନା। ଗୋଳନ୍ଥରା ନିବାସୀ ବିଭୂତି ୨୦୦୯ରୁ ଲଗାତାର ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ଆସୁଥିଲେ। ତେବେ, ୩ଥର ପରାଜିତ ହେବାପରେ ଚତୁର୍ଥ ଥର(୨୦୨୪)ରେ ସେ ବିଧାୟକ ଭାବେ ନିର୍ବାଚିତ ହେବାସହିତ କ୍ୟାବିନେଟ୍‌ ମନ୍ତ୍ରୀ ପଦ ପାଇଛନ୍ତି। ବିଭୂତି ଆର୍‌ଏସ୍‌ଏସ୍‌ରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିଛି ଯୁବକଙ୍କୁ ଏକଜୁଟ୍‌ କରି ଗୋଳନ୍ଥରା ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରି ଲୋକଲୋଚନକୁ ଆସିଥିଲେ। ଏହାପରେ ସେ ୧୯୯୭ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ତାଙ୍କୁ ବିଜେପିର ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ମିଳିଥିଲା। ୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ ଦୁଇଥର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ପଦରେ ରହିଥିଲେ। ଏହାପରେ ୨୦୧୩ରେ ସେ ରାଜ୍ୟ ବିଜେପି ସମ୍ପାଦକ ମଧ୍ୟ ହୋଇଥିଲେ। ୨୦୨୧ମସିହାରେ ବିଭୂତିଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଭାବେ ମନୋନୀତ କରାଯାଇଥିଲା। ପ୍ରାୟ ୩ବର୍ଷ ପର୍ଯ୍ୟନ୍ତ ସେ ଜିଲ୍ଲା ସଭାପତି ଦାୟିତ୍ବରେ ରହିଥିଲେ। ପ୍ରକାଶଥାଉ କି ୧୯୯୬ ମସିହାରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନରେ ସାମିଲ ହୋଇ ସେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଥିଲେ।

ଡ. ମୁକେଶ ମହାଲିଙ୍ଗ
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ନବଗଠିତ ମନ୍ତ୍ରିମଣ୍ଡଳରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ଶ୍ରୀ ମହାଲିଙ୍ଗ ସଇନ୍ତଳା ବ୍ଲକ୍‌ରେ ନିଜ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ପଦ୍ମପୁର ଅଞ୍ଚଳ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁରରେ ଆଞ୍ଚଳିକ ଅଧିକାରୀ ଭାବେ ସରକାରୀ ଚାକିରି କରୁଥିଲେ। ୨୦୧୯ ମସିହା ନିର୍ବାଚନ ପୂର୍ବରୁ ସେ ଲୋଇସିଂହା ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟ ଶିବିର କରି ରୋଗୀଙ୍କୁ ମାଗଣା ଓୗଷଧ ବଣ୍ଟନ କରୁଥିଲେ। ପରେ ସେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ୨୦୧୯ରେ ବିଜେପିରେ ଯୋଗଦେଇଥିଲେ। ସେଇବର୍ଷ ବି ଲୋଇସିଂହା ଆସନରୁ ଲଢ଼ି ବିଧାୟକ ହୋଇଥିଲେ। ଏଥର ବି ଦଳ ତାଙ୍କୁ ଦ୍ବିତୀୟଥର ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ସୁଯୋଗ ଦେଇଥିଲା ଏବଂ ସେ ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଥିଲେ। ରୋଚକ କଥା ହେଲା, ଅତୀତରେ ଲୋଇସିଂହା ଆସନରୁ ଯିଏ ବି ଶାସକ ଦଳରୁ ବିଜୟୀ ହୋଇଛନ୍ତି (ରମାକାନ୍ତ ସେଠଙ୍କ ବ୍ୟତୀତ) ସମସ୍ତେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)

ପ୍ରଦୀପ ବଳସାମନ୍ତ
କ୍ରୋମାଇଟ୍‌ର ଭଣ୍ଡାର ଥିବା ସୁକିନ୍ଦାରେ ବଦଳିଯାଇଛି ରାଜନୈତିକ ସମୀକରଣ। ୩୫ ବର୍ଷ ଧରି କ୍ଷମତାରେ ରହିଥିବା ପ୍ରଫୁଲ୍ଲ ଘଡ଼ାଇ ଓ ପ୍ରୀତିରଂଜନ ଘଡ଼ାଇଙ୍କ ହାତରୁ ଖସିଯାଇଛି ସୁକିନ୍ଦା ନିର୍ବାଚନମଣ୍ଡଳୀ। ବିଜେପିରୁ ପ୍ରଦୀପ ବଳସାମନ୍ତ ଏଠାରୁ ପ୍ରଥମଥର ପାଇଁ ବିଧାୟକ ଭାବେ ବିଜୟୀ ହେବାପରେ ଆଜି ତାଙ୍କୁ ବୋନସ୍‌ ଭାବେ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିବା ପ୍ରଦୀପ ବଳସାମନ୍ତଙ୍କ ଘର ସୁକିନ୍ଦାରେ। ତାଙ୍କ ପିତା ହେଉଛନ୍ତି ସ୍ବର୍ଗତ ନବଘନ ବଳସାମନ୍ତ। ସୁକିନ୍ଦାଗଡ଼ର ଜମିଦାର ପରିବାରରେ ତାଙ୍କର ଜନ୍ମ। ସାହସିକତା ପାଇଁ ସୁକିନ୍ଦାର ତତ୍‌କାଳୀନ ରାଜା ତାଙ୍କ ପରିବାରକୁ ବଳସାମନ୍ତ ଉପାଧି ଦେଇଥିଲେ। ପ୍ରଦୀପଙ୍କ ଜେଜେବାପା ସ୍ବର୍ଗତ ରଘୁନାଥ ବଳ ଜମିଦାର ପ୍ରଥା ଉଚ୍ଛେଦ ପରେ ସେଠାକାର ପ୍ରଥମ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୨୫ ବର୍ଷ ହେଲା ପ୍ରଦୀପ ଓ ତାଙ୍କ ସାନଭାଇ ରମଣିରଞ୍ଜନ ସୁକିନ୍ଦା ଅଞ୍ଚଳର ପ୍ରତ୍ୟକ୍ଷ ରାଜନୀତି ସହ ଜଡ଼ିତ ଅଛନ୍ତି। ରମଣିରଞ୍ଜନ ୨୦୦୨-୨୦୦୭ ପର୍ଯ୍ୟନ୍ତ ୩୮ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ରହିଥିଲେ। ୨୦୧୪ରେ ପ୍ରଦୀପ ସୁକିନ୍ଦା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଏହାପରେ ୨୦୧୯ରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଦୁଇଥର ହାରିବା ପରେ ବି ପ୍ରଦୀପ ହାର୍ ମାନିନଥିଲେ। ସୁକିନ୍ଦା ଅଞ୍ଚଳରେ ଲୋକଙ୍କ ପାଇଁ କାମ କରି ସେ ଲୋକପ୍ରିୟ ହୋଇପାରିଥିଲେ।
ନୂତନ ଭାବେ ମନ୍ତ୍ରୀପଦ ପାଇଥିବା ପ୍ରଦୀପ ବଳସାମନ୍ତ ୧୯୭୩ରେ ସୁକିନ୍ଦା ଜଗନ୍ନାଥ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଛନ୍ତି। ୨୦୦୮ରେ ସେ କଲମ୍ବୋ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି।

ସୂର୍ଯ୍ୟବଂଶୀ ସୂରଜ
ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଓଡ଼ିଶାର ସର୍ବକନିଷ୍ଠ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ ହେଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଏକମାତ୍ର ପୁତ୍ର। ପିତା ବିଷ୍ଣୁଙ୍କ ଅକାଳ ବିୟୋଗ ପରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ। ଭଦ୍ରକ ନୂଆବଜାର ମଞ୍ଜୁରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ପରେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ କରିଥିଲେ ସୂରଜ। ସେ ଆଇନ ଶିକ୍ଷାରେ ସ୍ନାତକ ମଧ୍ୟ କରିଛନ୍ତି। ସୁଦୂର ବେଲଜିୟମରେ ଚାକିରି ଛାଡ଼ି ହାଇଦ୍ରାବାଦର ଏକ ପ୍ରତିଷ୍ଠିତ କମ୍ପାନିରେ ସିଭିଲ ଇଞ୍ଜିନିୟର ଓ ପରେ ଧାମରା ବନ୍ଦରରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ରାଜନୀତି କ୍ଷେତ୍ରରେ ବାପାଙ୍କୁ ସହାୟତା କରିବା ପାଇଁ ସେ ଚାକିରି ଛାଡ଼ି ଦେଇଥିଲେ। ପିତା ବିଷ୍ଣୁଙ୍କ ବିୟୋଗ ପରେ ୨୦୨୨ ନଭେମ୍ବରରେ ଧାମନଗର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡିର ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିଲେ। ମାତ୍ର ୨୭ ବର୍ଷ ବୟସରେ ନିର୍ବାଚିତ ହୋଇ ବିଧାନସଭାର ସର୍ବକନିଷ୍ଠ ବିଧାୟକ ବିବେଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କୁ ୮୦୯୫ ଭୋଟ୍‌ରେ ପରାସ୍ତ କରି ଦ୍ବିତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଥିବା ସୂରଜ ନିଜର ନେତୃତ୍ବ ଦକ୍ଷତା ଓ ବାକ୍‌ପଟୁତା ପାଇଁ ବେଶ୍‌ ଜଣାଶୁଣା। ମନ୍ତ୍ରୀ ହେବାପରେ ଜନ୍ମମାଟି ତିହିଡ଼ି ବ୍ଲକ୍‌ ଭାଟପଡା ପଞ୍ଚାୟତ ମଙ୍ଗରାଜପୁର ଗାଁ ସମେତ ଭଦ୍ରକ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।

ସମ୍ପଦ ଚନ୍ଦ୍ର ସ୍ବାଇଁ
ଜଗତସିଂହପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ପାରାଦୀପରୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ଯୁବ ନେତା ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କୁ ମନ୍ତ୍ରୀ ପଦ ମିଳିଛି। ରାଜ୍ୟ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ) ଭାବେ ସମ୍ପଦ ଶପଥ ଗ୍ରହଣ କରିଛନ୍ତି। ପାରାଦୀପ ରଙ୍ଗିଆଗଡ଼ର ବାସିନ୍ଦା ୩୮ ବର୍ଷୀୟ ସମ୍ପଦ ସ୍ବାଇଁ ୨୦୦୯ରେ ଏମବିଏମରେ ଡିଗ୍ରି ହାସଲ କରିବାପରେ କିଛିଦିନ ଚାକିରି କରିଥିଲେ। ପରେ ପାରାଦୀପ ଫେରି ପରିବାରର ବ୍ୟବସାୟ ବୁଝିଥିଲେ। ପାରାଦୀପର ବିଭିନ୍ନ ଅଞ୍ଚଳ ବୁଲିବା ସମୟରେ ସାଧାରଣ, ଗରିବ, ଖଟିଖିଆଙ୍କ ସମସ୍ୟା ଦେଖି ରାଜନୀତିକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ ପଦାର୍ପଣ ନିର୍ବାଚନରେ ବିଜେପିରୁ ବିଧାୟକ ଟିକେଟ ପାଇ ଲଢ଼ିବା ସହ ୩୫ ହଜାରରୁ ଅଧିକ ଭୋଟ ପାଇ ଚର୍ଚ୍ଚାକୁ ଆସିଥିଲେ। ସେହି ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ବି ସମାଜସେବାରୁ ନିବୃତ୍ତ ହୋଇ ନ ଥିଲେ। ମୋ ପରିବାର ନାରା ଦେଇ ପ୍ରତି ଘରେ ପହଞ୍ଚି ପାରିଥିଲେ। ଚଳିତ ନିର୍ବାଚନରେ ପୁଣି ବିଜେପିରୁ ପ୍ରାର୍ଥୀ ହୋଇ ନିକଟତମ ପ୍ରତିଦ୍ବନ୍ଦୀ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ପ୍ରାୟ ୪ ଦଶନ୍ଧି ଧରି ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ନେତା ଦାମୋଦର ରାଉତଙ୍କ ପରିବାର ହାତରେ ରହିଆସିଥିବା କ୍ଷମତାର ଅନ୍ତ ଘଟାଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମ୍ପଦ।

ଗୋକୁଳାନନ୍ଦ ମଳିକ
ବୁଗୁଡ଼ା ବ୍ଲକ୍‌ ସଂକୁରୁ ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମର ଗୋକୁଳା ନନ୍ଦ ମଳିକ (ମିଟୁ)। ଚାଷୀ ପରିବାରରେ ଜନ୍ମ ନେଇଥିବା ଗୋକୁଳାନନ୍ଦ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଓ ନଗୁଡୁ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କଲା ପରେ ଭୁବନେଶ୍ୱରରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ଉଚ୍ଚଶିକ୍ଷା ସମାପ୍ତ ପରେ ସେଠାରେ ହିଁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ରାଜନୀତିରେ ରୁଚି ରଖିଥିବାରୁ ୨୦୧୧ ମସିହାରେ ସେ ଗାଁକୁ ଫେରି ଆସି କଂଗ୍ରେସ ଦଳରେ ଯୋଗଦେଇଥିଲେ। ବୁଗୁଡ଼ା ବ୍ଲକ୍‌ରେ ଦୁର୍ବଳ ହୋଇପଡ଼ିଥିବା କଂଗ୍ରେସ ଦଳକୁ ସଜାଡି ସଂକୁରୁ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିଜୟ ଲାଭ କରିଥିଲେ। ୨୦୧୨ମସିହାରେ ସେ ବୁଗୁଡ଼ା ବ୍ଲକ୍‌ ଅଧକ୍ଷ ଭାବେ ଦାୟିତ୍ୱ ନେଇଥିଲେ। ତେବେ, ୨୦୧୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଟିକେଟ୍‌ ପାଇ ପୋଲସରା ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହେବାପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରୁ ପୋଲସରାର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ଲଗାତାର ଦୁଇଥର ପରାଜିତ ହେବାପରେ ମଧ୍ୟ ଧୈର୍ଯ୍ୟ ନହରାଇ ଚଳିତ ନିର୍ବାଚନରେ ତାଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଶ୍ରୀକାନ୍ତ ସାହୁଙ୍କୁ ୨୦ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ଏଥିସହିତ, ନୂଆ ମନ୍ତ୍ରିମଣ୍ଡଳରେ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଭାବେ ସାମିଲ୍‌ କରାଯାଇଛି। ସେ ମନ୍ତ୍ରୀ ପଦ ପାଇବାରେ ବୁଗୁଡ଼ା ମାଟିର ପ୍ରଥମ ବ୍ୟକ୍ତି।

ଇଂ.ଗଣେଶ ରାମସିଂ ଖୁଣ୍ଟିଆ
ମୟୂରଭଞ୍ଜ ଜିଲ୍ଲା ଯଶିପୁର ବିଧାନସଭା କ୍ଷେତ୍ରରୁ ଲଗାତାର ଦ୍ବିତୀୟଥର ପାଇଁ ବିଧାୟକ ହୋଇଥିବା ଇଂ.ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦ। ବହୁ ପ୍ରତିକୂଳ ପରିସ୍ଥିତିରୁ ଆସି ରାଜନୀତି‌ରେ ସଫଳତାର ଶିଡ଼ି ଚଢ଼ିଛନ୍ତି ଶ୍ରୀ ଖୁଣ୍ଟିଆ। ତାଙ୍କ ପୈତୃକ ଘର ଶିମିଳିପାଳ ବନାଞ୍ଚଳର ଅସ୍ତକୁଆଁର ପଞ୍ଚାୟତ ବଳରାମପୁର ଗ୍ରାମରେ। ବାଲ୍ୟାବସ୍ଥାରେ ସେ ନିଜ ପିତାମାତାଙ୍କୁ ହରାଇଥିଲେ। ବହୁ କଷ୍ଟରେ ଶିମିଳିପାଳ ଠାକୁରଗୋଡ଼ା ଆବାସିକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ପରେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ପୂର୍ତ୍ତ ବିଭାଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଚାକିରି ଛାଡ଼ି ୨୦୧୯ରେ ସେ ଯଶିପୁର ଆସନରୁ ପ୍ରଥମ ଥର ବିଧାୟକ ହୋଇଥିଲେ। ପ୍ରଥମ କାର୍ଯ୍ୟକାଳ ସମୟରେ ଶିମିଳିପାଳ ଭଳି ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟର ଉନ୍ନତୀକରଣ, ବିଦ୍ୟୁତ୍‌ ଓ ପାନୀୟ ଜଳଯୋଗାଣ ଆଦି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହୋଇଥିଲା। ଆଦିବାସୀଙ୍କ ଭାଷା, ସାମାଜିକ ଓ ସାଂସ୍କୃତିକ ସୁରକ୍ଷା ପାଇଁ ସେ ନିରନ୍ତର କାର୍ଯ୍ୟ କରିଥିଲେ। ହୋ’ ଭାଷାକୁ ଓଡ଼ିଶାରେ ଦ୍ୱିତୀୟ ରାଜଭାଷାର ମାନ୍ୟତା ଦେବାକୁ ସେ ବିଧାନସଭାରେ ଅନେକ ଥର ସ୍ବର ଉଠାଇଛନ୍ତି। ଆଦିବାସୀ ଭୋଟରଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ଓ ପ୍ରବଳ ଲୋକପ୍ରିୟତା ହିଁ ତାଙ୍କୁ ଚଳିତ ନିର୍ବାଚନରେ ଜିତିବାରେ ସହାୟକ ହୋଇଥିଲା। ବିଜେଡିର ଚକ୍ରଧର ହେମ୍ବ୍ରମ୍‌ଙ୍କୁ ୩୪,୬୬୬ ଭୋଟ୍‌ରେ ହରାଇ ଶ୍ରୀ ଖୁଣ୍ଟିଆ ନିଜ ରାଜନୈତିକ ପରାକାଷ୍ଠାର ପ୍ରମାଣ ଦେଇଛନ୍ତି।

ସମ୍ବନ୍ଧିତ ଖବର