ଭୁବନେଶ୍ବର: ପିଲା ନ ହେବାରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଥିଲା। ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ ସରକାର। ଏବେ ବିଦ୍ୟାଳୟ କୋଠାଗୁଡ଼ିକ ଭୂତକୋଠି ପାଲଟିଛି। କେଉଁଠି କୋଠା ଅଧା ଗଢ଼ା ତ ଅବସ୍ଥାରେ ଅଛି ତ, ଆଉ କେଉଁଠି କ୍ୟାମ୍ପସ ପାଲଟିଛି ଆବର୍ଜନାର ପାହାଡ଼। ରାଜ୍ୟର ୫୬୩୭ ବିଦ୍ୟାଳୟରେ ଏବେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଉପସ୍ଥାନ କମ୍‌ ଦର୍ଶାଇ ଏସବୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଥିଲା। ଏଭଳି ଏକ ପୃଷ୍ଠଭୂମିରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଶ୍ରଣ କରାଯାଇଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲିବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ତର୍ଜମା ଆରମ୍ଭ କରିଥିବା ସୂଚନା ମିଳୁଛି। ନିଜେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏହି ତଥ୍ୟ ଅଭିଭାବକ ମହଲକୁ ଆଶ୍ବସ୍ତ କରିଛି। ହେଲେ ଏହା ଏବେ କିଭଳି କାର୍ଯ୍ୟକାରୀ କରାଯିବ, ସେ ସଂକ୍ରାନ୍ତରେ ସରକାର ଏଯାଏ କୌଣସି ସ୍ପଷ୍ଟ ଚିତ୍ର ରଖିନାହାନ୍ତି।

Advertisment

ତଥ୍ୟ ଅନୁସାରେ, ୨୦୨୦ ମାର୍ଚ୍ଚ ୧୧ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଏବଂ ପରବର୍ତ୍ତୀ ସମୟରେ ଡିସେମ୍ବର ୧୪ରେ ସଂଶୋଧିତ ବିଜ୍ଞପ୍ତି ଆଧାରରେ ରାଜ୍ୟରେ କମ୍‌ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲା। ପ୍ରଥମେ ୪୦ରୁ କମ୍‌ ପିଲା ଥିବା ରାଜ୍ୟର ୧୪ ହଜାର ୩୮୨ଟି ବିଦ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ସାରା ରାଜ୍ୟରେ ବିରୋଧର ସ୍ବର ଶୁଣିବାକୁ ମିଳିଥିଲା। ଯେଉଁଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା କମିଟି ଅନୁଧ୍ୟାନ କରିବା ପରେ ୮ହଜାର ୨୭୨ଟି ବିଦ୍ୟାଳୟ ବନ୍ଦ କରିବାକୁ ସୁପାରିସ କରିଥିଲେ। ମାତ୍ର କମିଟିର ରିପୋର୍ଟ ଉପରେ ଜନ ପ୍ରତିନିଧି ଓ ବିଧାୟକମାନେ ଲିଖିତ ଆପତ୍ତି ଜଣାଇବା ପରେ ରାଜ୍ୟସ୍ତରୀୟ କମିଟି ୭,୭୭୨ଟି ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିରେ ମଧ୍ୟ କେଁ ଦେଖାଦେଇଥିଲା। ଉପାନ୍ତ ତଥା ପଛୁଆ ଅଞ୍ଚଳରେ ୧୭୨୪ଟି ସ୍କୁଲ ବନ୍ଦ ହେବା ଦ୍ବାରା ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବା

ମିଶ୍ରଣ ସ୍କୁଲଗୁଡ଼ିକୁ ଖୋଲିବାକୁ ତର୍ଜମା ଚାଲିଛି: ମନ୍ତ୍ରୀ
ଏଯାଏ ମିଶ୍ରଣ ହୋଇଛି ୫୬୩୭ ପ୍ରାଥମିକ ବିଦ୍ୟାଳୟ
ଗଜପତି ଜିଲ୍ଲା ମୋହନା ବ୍ଲକରେ ସର୍ବାଧିକ ୧୧୧ ସ୍କୁଲ

ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତାହାକୁ ନଜରରେ ରଖି ସ୍କୁଲ ମିଶ୍ରଣ ନିୟମରେ ସଂଶୋଧନ କରାଯାଇଥିଲା ଏବଂ ୬,୦୪୮ଟି ବିଦ୍ୟାଳୟ ବନ୍ଦ କରିବାକୁ ୨୦୨୦ ଡିସେମ୍ବରରେ ନିଷ୍ପତ୍ତି ହୋଇଥିଲା। ସେଥିମଧ୍ୟରୁ ଏବେ ସୁଦ୍ଧା ୫୬୩୭ ବିଦ୍ୟାଳୟ ମିଶ୍ରଣ ସରିଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।
ଏହି କ୍ରମରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ସର୍ବାଧିକ ୧୧୧ଟି ବିଦ୍ୟାଳୟ ମିଶ୍ରଣ ହୋଇଥିବା ବେଳେ ଉକ୍ତ ଜିଲ୍ଲାର ରାୟଗଡ଼ା ବ୍ଲକରେ ୮୩, ଗୁମ୍ମାରେ ୫୫, ଗୋସାଣିରେ ୪୨, ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୫୦, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରିରେ ୬୫, ବୌଦ୍ଧର କଣ୍ଟାମାଳରେ ୪୧, କଟକ ଜିଲ୍ଲା ମାହାଙ୍ଗାରେ ୫୧, ନିଆଳିରେ ୪୬, ନିଶ୍ଚିନ୍ତକୋଇଲିରେ ୪୦, ଯାଜପୁର ଜିଲ୍ଲା କୋ‌ରେଇରେ ୫୨, ବଡ଼ଚଣାରେ ୪୯, ଜଗତ୍‌ସିଂହପୁର ଜିଲ୍ଲାର ଏରସମାରେ ୪୨, କେନ୍ଦ୍ରାପଡ଼ା ବ୍ଲକରେ ୪୬, ସୋନପୁର ବ୍ଲକରେ ୪୬ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହ ସୁଦ୍ଧା ମିଶ୍ରଣ କରାଯାଇଛି। ବାକି ବ୍ଲକଗୁଡ଼ିକରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇଛି। ୨୫ଟି ବ୍ଲକରେ ମାତ୍ର ଗୋଟିଏ ଲେଖାଏ ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶିଛି। କେବଳ ପ୍ରାଥମିକ ବିଦ୍ୟାଳୟ ନୁହେଁ, ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ରହିଥିବାରୁ ସେଗୁଡ଼ିକରେ ମଧ୍ୟ ତାଲା ପକାଇବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଇତିମଧ୍ୟରେ ପାଖାପାଖି ତିନିବର୍ଷ ବିତିଲାଣି। ନିର୍ମାଣାଧୀନ ବିଦ୍ୟାଳୟ ଭିତ୍ତିଭୂମିର ସରକାର ସଦୁପଯୋଗ କରିପାରିନାହାନ୍ତି। ବନ୍ଦ ହୋଇପଡ଼ିଥିବା ବିଦ୍ୟାଳୟ କ୍ୟାମ୍ପସ, କୋଠା, ଆସବାବପତ୍ର ପଡ଼ିରହିଥିଲେ ହେଁ ସେଥିପ୍ରତି କାହାର ଧ୍ୟାନ ନାହିଁ। ଅନ୍ୟପକ୍ଷରେ ବିଦ୍ୟା​ଳୟ ବନ୍ଦ ସଂକ୍ରାନ୍ତ ସରକାରଙ୍କ ନିଷ୍ପତ୍ତି ପରିଣାମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଘରଠାରୁ ବିଦ୍ୟାଳୟ ଦୂରତା ଅଧିକ ହେଉଥିବାରୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷା ଗ୍ରହଣ ପରେ ଆଉ ପାଠପଢ଼ା ପ୍ରତି ମନ ବଳାଉନାହାନ୍ତି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥିତି ଅଧିକ ଜଟିଳ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। କେଉଁଠି ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ପରିଚାଳନା କମିଟି ସଦସ୍ୟ ରାସ୍ତାକୁ ଆସିଛନ୍ତି ତ ଆଉ କେତେବେଳେ ଛାତ୍ରଛାତ୍ରୀ। ସମସ୍ୟା ଜଟିଳ ହେଉଛି। ଏଣୁ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସରକାର ନିଷ୍ପତ୍ତିର ପୁନଃବିଚାର କରିବା ସହିତ ବନ୍ଦ ବିଦ୍ୟାଳୟ ଖୋଲିବା ସଂପର୍କରେ ତର୍ଜମା ଚଳାଇଥିବା ସୂଚନା ମିଳିଛି।