କଟକ: ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ଗୁଡିକର ତ୍ବରିତ ଶୁଣାଣି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରିଥିବା ବେଳେ ଏ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବା ଲାଗି ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ାଯାଇଛି। ପୂର୍ବରୁ ବି ଥରେ ସରକାରଙ୍କ ତରଫରୁ ଏ ପ୍ରସଙ୍ଗରେ ସମୟ ଲୋଡ଼ା ଯାଇଥିବା ବେଳେ ଆଜି ପୁଣି ମହଲତ ପାଇଁ ନିବେଦନ କରାଯାଇଥିଲା। ହାଇକୋର୍ଟ ଏହାକୁ ନେଇ ଅସନ୍ତୋଷବ୍ୟକ୍ତ କରିବା ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜାନୁଆରି ୧୧ରେ ଶୁଣାଣି ସମୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୪୨୩ ମାମଲା ବିଚାରାଧୀନ ଥିବା ସ୍ପଷ୍ଟ ହୋଇଥିବା ବେଳେ ଏହି ସଂଖ୍ୟା ହ୍ରାସ ପାଇଛି କି ନାହିଁ ସେ ନେଇ ହାଇକୋର୍ଟ ପ୍ରଶ୍ନ କରିଥିଲେ। ପୂର୍ବରୁ ଜାନୁଆରି ୧୧ରେ ମାମଲାର ଶୁଣାଣି ସମୟରେ ପ୍ରାଥମିକତା ଭିତ୍ତିରେ ଏହି ମାମଲା ଗୁଡ଼ିକର ତ୍ବରିତ ଫଏସଲା କରିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସତ୍ୟପାଠ ଦାଖଲ କରିବାକୁ ସରକାରୀ ଓକିଲଙ୍କୁ ଜାନୁଆରି ୧୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା ଏଯାଏ ସମ୍ଭବ ହୋଇପାରି ନାହିଁ। ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩, ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତ୍ବିରତ ଫଏସଲା ପ୍ରସଙ୍ଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିଲେ।