ଅନ୍ତିମ ସଂସ୍କାର ସମୟରେ ଶରତ କରଙ୍କୁସମ୍ମାନ ପ୍ରଦାନରେ ଅବହେଳା ମାମଲା: ହାଇକୋର୍ଟରେ ଜବାବ ଦାଖଲ ପାଇଁ ସରକାର ନେଲେ ସମୟ

କଟକ: ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ଅନ୍ତିମ ସଂସ୍କାର ସମୟରେ ଉପଯୁକ୍ତ ରାଷ୍ଟ୍ରୀୟ ମାର୍ଯାଦା ପ୍ରଦାନରେ ଅବହେଳା ପ୍ରସଂଗ ନେଇ ହାଇକୋର୍ଟରେ ଦାୟର ମାମଲାରେ ଜବାବ ରଖିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଦେବେନ୍ଦ୍ର କୁମାର ସାହୁଙ୍କ ଆବେଦନର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ସରକାରଙ୍କ ତରଫରୁ ସମୟ ଲୋଡ଼ା ଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬କୁ ଧାର୍ଯ୍ୟ କରାଯାଇଥିବା ବେଳେ ସରକାରଙ୍କୁ ଜବାବ ଦାଖଲ ପାଇଁ ନି‌ର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବତନ ବାଚସ୍ପତି ଓ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଶରତ କୁମାର କରଙ୍କର ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା। ଏହାପରେ ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। କିନ୍ତୁ ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାର ଯେଉଁ ସମ୍ମାନ ପ୍ରଦାନ କରିବା କଥା ତାହା ଦିଆଯାଇ ନଥିଲା। ଶରତ କୁମାର କର ବିଧାନସଭାର ବାଚସ୍ପତି ରହିବା ସହିତ କ୍ୟାବିନେଟ ମନ୍ତ୍ରୀ ଥିଲେ। ଏଥିସହିତ ସେ ଜଣେ ବିଶିଷ୍ଟ ସାହିତ୍ୟିକ, ଗବେଷକ ମଧ୍ୟ ଥିଲେ। ନିୟମ ଅନୁସାରେ ଶରତ କୁମାର କରଙ୍କ ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାର ଗାର୍ଡ ଅଫ୍ ଅନର ପ୍ରଦାନ କରିବା କଥା। କିନ୍ତୁ ଏପରି କରାଯାଇ ନଥିଲା। ଏହା ସାରା ରାଜ୍ୟବାସୀ ତଥା ବିଶେଷ କରି ମାହାଙ୍ଗା ଲୋକଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା ଥିଲା ଓ ଶରତ କୁମାର କରଙ୍କ ପ୍ରତି ଅସମ୍ମାନ ଘଟଣା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୂର୍ବତନ ବାଚସ୍ପତି ନୀଳକଣ୍ଠ ଦାସ, ମୁକୁନ୍ଦ ପ୍ରସାଦ ଦାସ, ସତ୍ୟପ୍ରିୟ ମହାନ୍ତି, ଯୁଧିଷ୍ଠିର ଦାସ, ବ୍ରଜମୋହନ ମହାନ୍ତିଙ୍କ ପରଲୋକ ପରେ ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାର ଉପଯୁକ୍ତ ସମ୍ମାନ ପ୍ରଦାନ କରିଥିଲେ।

ସେହିଭଳି ଭାବେ କରୋନା ମହାମାରୀ ସମୟରେ ପରଲୋକ ହୋଇଥିବା ପୂର୍ବତନ ମନ୍ତ୍ରୀ ସେକ୍ ମତଲୁବ ଅଲ୍ଲୀ, ବି‌ଷ୍ଣୁ ଦାସ, ପ୍ରଦୀପ ମହାରଥୀ, ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତି ଓ ଅଜିତ ଦାସଙ୍କ ପରଲୋକ ହୋଇଥିବା ବେଳେ ଅନ୍ତିମ ସଂସ୍କାର ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। କିନ୍ତୁ କେଉଁ କାରଣରୁ ଶରତ କୁମାର କରଙ୍କୁ ଏହି ସମ୍ମାନ ପ୍ରଦାନ କରାଗଲା ନାହିଁ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଅପ୍ରୀତିକର ଘଟଣା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଥିଲା। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ପ୍ରସଂଗରେ ମଧ୍ୟ ନିଜ ମତ ରଖିଥିଲେ। ଏଥିସହିତ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରିତ ହୋଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ଘଟଣା ମାହାଙ୍ଗାବାସୀଙ୍କ ମନରେ ଗଭୀର ଆଘାତ ଦେଇଥିଲା। ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ତାଙ୍କୁ ମରଣୋତ୍ତର ଭାବେ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବ, ଓଡ଼ିଶା ବିଧାନସଭା ସଚିବ, ଖୋର୍ଦ୍ଧା ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର