ସିଧାସଳଖ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବେ ସରକାର

ଓଏମ୍ଏଚ୍‌ଏସ୍‌ ନିୟମରେ ସଂଶୋଧନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ଏଣିକି ସ୍ବାସ୍ଥ୍ୟ ବିଭାଗରେ ସିଧାସଳଖ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି କରାଯିବ। ସହକାରୀ ସର୍ଜନ୍ ବଦଳରେ ଯେଉଁମାନେ ପିଜି ଶେଷ କରିଛନ୍ତି ସେମାନଙ୍କୁ ବିଶେଷଜ୍ଞ ଡାକ୍ତରଭାବେ ନିଯୁକ୍ତି ମିଳିବ। ଏଥିପାଇଁ ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ବା ଓଏମ୍‌ଏଚ୍‌ଏସ୍‌ ନିୟମ ୨୦୧୭ରେ କିଭଳି ସଂଶୋଧନ କରାଯିବ ତାହା ସଂପର୍କରେ ପ୍ରସ୍ତାବ ଦେବା ଲାଗି ରାଜ୍ୟ ସରକାର ଆଜି ଏକ ୭ଜଣିଆ କମିଟି ଗଠନ କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ଅଧୀନରେ ନିଯୁକ୍ତି ସମୟରେ ପିଜି କରିଥିଲେ ମଧ୍ୟ ତାଙ୍କୁ ବିଶେଷଜ୍ଞ ଡାକ୍ତର ବଦଳରେ ସହକାରୀ ସର୍ଜନ ଭାବେ ନିଯୁକ୍ତି ଦିଆଯାଉଥିଲା। ପରବର୍ତୀ ସମୟରେ ବିଭାଗ ପକ୍ଷରୁ ଯେଉଁ ଡାକ୍ତରମାନେ ପିଜି କରିଛନ୍ତି ସେହି ବିଭାଗରେ ବିଶେଷଜ୍ଞ ଡାକ୍ତରଭାବେ ଘୋଷଣା କରୁଥିଲେ। ଏଥିପାଇଁ ପିଜି ଡାକ୍ତରଙ୍କୁ କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ଏସବୁ କାରଣ ପାଇଁ ଅନେକ ପିଜି ଡାକ୍ତର ସରକାରୀ ବଦଳରେ ଘରୋଇ ଡାକ୍ତରଖାନା‌ରେ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ। ତେଣୁ ପିଜି ଡାକ୍ତରମାନଙ୍କୁ ସରକାରୀ କ୍ଷେତ୍ରକୁ ଆକୃଷ୍ଟ କରିବା ଲାଗି ଏବେ ସିଧାସଳଖ ବିଶେଷଜ୍ଞ ଡାକ୍ତରଭାବେ ନିଯୁକ୍ତି କରାଯିବ। ମ‌ାତ୍ର ସିଧାସଳଖ ନିଯୁକ୍ତି ପରେ ସେମାନଙ୍କର ଏକ ସ୍ବତନ୍ତ୍ର କ୍ୟାଡର ରହିବ ନା ପୂର୍ବରୁ ପ୍ରଚଳିତ କ୍ୟାଡରରେ ସେମାନେ କାର୍ଯ୍ୟ କରିବେ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଗଠିତ କମିଟିରେ ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶକ ଅଧ୍ୟକ୍ଷ ରହିଛନ୍ତି। ଏହାସହ ସ୍ବତନ୍ତ୍ର ସଚିବ(ଏମ୍‌ଏସ୍‌), ସ୍ବତନ୍ତ୍ର ସଚିବ ତଥା ଏଫ୍‌ଏ, ଡିଏମ୍‌ଇଟି, ଡିଏଚ୍‌ଏସ୍‌, ଡିପିଏଚ୍‌ ସଦସ୍ୟ ଥିବା ବେଳେ ଅତିରିକ୍ତ ସଚିବ(ଏମ୍‌ଏସ୍‌) ସଦସ୍ୟ ଆବାହକ ରହିଛନ୍ତି। କମିଟିର ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ବିଶେଷଜ୍ଞ, ଜନସ୍ବାସ୍ଥ୍ୟ ଓ ସ୍ବାସ୍ଥ୍ୟ ପରିଚାଳନା ଉପରେ ଗୁରୁତ୍ବ ଦେଉଛନ୍ତି। ଓଏମ୍‌ଏଚ୍‌ଏସ୍‌ କ୍ୟାଡରରେ ସିଧାସଳଖ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତିର ବ୍ୟବସ୍ଥା ନାହିଁ। କମିଟି ଖୁବଶୀଘ୍ର ଏ ସଂପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର