ସ୍ଲଟ୍‌ ବୁକିଂ ସ୍ଥିତି ନେଇ ସରକାର ଦେବେ ସତ୍ୟପାଠ, ୩୧ରେ ପରବର୍ତ୍ତୀ ଶୁଣାଣି

କଟକ : ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍(ଏଚ୍‌ଏସ୍‌ଆର୍‌ପି) ଲଗାଇବା ପାଇଁ ସମୟସୀମା ଅକ୍ଟୋବର ୩୧ ରହିଥିବା ବେଳେ ସ୍ଲଟ୍‌ ବୁକିଂର କ’ଣ ସ୍ଥିତି ରହିଛି, ସେ ନେଇ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ପରିବହନ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯେଉଁ ଗାଡି ଗୁଡ଼ିକର ଏଚ୍‌ଏସ୍‌ଆର୍‌ପି କ୍ଷତିଗ୍ରସ୍ତ ହୋଇଥିବ ବା ଭାଙ୍ଗି ଯାଇଥିବ, ସେଗୁଡ଼ିକରେ ନମ୍ବର ପ୍ଲେଟ୍‌ ବଦଳ ପ୍ରସଙ୍ଗରେ କ’ଣ ବ୍ୟବସ୍ଥା ରହିଛି ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ.ମୁରଲୀଧର ଓ ଜଷ୍ଟିସ୍‌ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସମସ୍ତ ଜନସେବା ଓ ମୋ ସେବା କେନ୍ଦ୍ରଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ବୁକିଂ ପାଇଁ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନମ୍ବର ପ୍ଲେଟ୍‌ ବୁକିଂ ପାଇଁ ଲୋକମାନଙ୍କ ପାଇଁ କିଛି ସମସ୍ୟା ନାହିଁ। ତେବେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ‌୨୦୨୨ ଡିସେମ୍ବର ଯାଏ ଏଚ୍‌ଏସ୍‌ଆର୍‌ପି ବୁକିଂ ପାଇଁ ସ୍ଲଟ୍‌ ଉପଲବ୍ଧ ନାହିଁ। ରାଜ୍ୟ ସରକାର ଏଚ୍‌ଏସ୍‌ଆର୍‌ପି ପ୍ରସଂଗରେ ୨୦୨୨ ଅକ୍ଟୋବର ୬ରେ ପରିବହନ କମିସନରଙ୍କୁ ଲେଖିଥିବା ଏକ ଚିଠିର କପି ମଧ୍ୟ ଆବେଦନକାରୀଙ୍କ ତରଫରୁ ଦାଖଲ କରାଯାଇଥିଲା। ହାଇକୋର୍ଟଙ୍କ ସେପ୍ଟେମ୍ବର ୩୦ର ନିର୍ଦ୍ଦେଶ ପରେ ଏହି ଚିଠି ଜାରି କରାଯାଇଥିଲା।

ସେହିଭଳି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ନିର୍ଦ୍ଦେଶନାମା ପ୍ରସଙ୍ଗରେ ଆବେଦନକାରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‌ଯେଉଁ ଗାଡ଼ିର ଏଚ୍‌ଏସ୍‌ଆର୍‌ପି ଭାଙ୍ଗି ଯାଇଥିବ ବା କ୍ଷତିଗ୍ରସ୍ତ ହେଇଥିବ ତାହା ବଦଳ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟ ପରିବହନ କମିସନରଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ଓଡ଼ିଶାରେ ଏହି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ, ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବାରୁ ଅକ୍ଟୋବର ୩୧ର ସମୟସୀମା ଶେଷ ହେବାପରେ ସାଧାରଣ ଲୋକମାନେ ଏଚ୍‌ଏସ୍‌ଆର୍‌ପି ଲାଗି ନଥିବାରୁ ଧାର୍ଯ୍ୟ ଜରିମାନା ଦେବାକୁ ବାଧ୍ୟ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଙ୍ଗରେ କେବେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ଆଜି ସରକାରଙ୍କୁ ପଚାରିଥିଲେ। ପରିବହନ କମିସନରଙ୍କ ନିକଟରୁ ତଥ୍ୟ ମିଳିବା ପରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ଏଥିସହିତ ସମୟସୀମା ଶେଷ ହେବାପରେ ୬ ମାସ ଯାଏ କ୍ୟାମେରା ବା ଅନ୍ ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ କୌଣସି ଏଚ୍‌ଏସ୍‌ଆର୍‌ପି ଲାଗି ନଥିବା ଗାଡ଼ିରୁ ଜରିମାନା ଅାଦାୟ କରାଯିବ ନାହିଁ। କେବଳ ମାନୁଆଲ ବ୍ୟବସ୍ଥାରେ ଏଚ୍‌ଏସ୍‌ଆର୍‌ପି ନିୟମ ମାନୁ ନଥିବା ଗାଡି ଗୁଡିରୁ ଜରିମାନା ଅାଦାୟ କରାଯିବ। ଅକ୍ଟୋବର ୩୧ ନିର୍ଦ୍ଦି‌ଷ୍ଟ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ଲଗାଇବା ପାଇଁ ସମୟସୀମା ରହିଥିବା ବେଳେ ମାମଲାର ଏହି ତାରିଖ ଦିନ ସାଢ଼େ ଦଶଟାକୁ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ପବିତ୍ରମୋହନ ଖଟୁଆ ଓ ମାଧବ ମହାନ୍ତିଙ୍କ ତରଫରୁ ଆଇନଜୀବୀ କାଜଲ ସାହୁ ଏହି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର