ଭୁବନେଶ୍ବର: ରାଜ୍ୟରେ ଅନେକ ରାସନ କାର୍ଡରେ ଭୂତ ହିତାଧିକାରୀ ସାମିଲ ଥିବା ଅଭିଯୋଗ ପରେ ରାଜ୍ୟ ସରକାର ରାସନ କାର୍ଡଧାରୀଙ୍କ ତଥ୍ୟକୁ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ହିଁ ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ଆବଦେନ କରିଥିବା ହିତାଧିକାରୀଙ୍କୁ କାର୍ଡ ଯୋଗାଇବା କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପାତ୍ର କହିଛନ୍ତି କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୯୨.୬୬ଲକ୍ଷ ପରିବାରର ୩କୋଟି ୨୫ଲକ୍ଷ ୯୩ହଜାର ୮୭୫ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ୬ଲକ୍ଷ ୧୯ହଜାର ୮୩୬ଟି ପରିବାର ଆବେଦନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୭ହଜାର ୭୪ ପରିବାର, କଟକ ଜିଲ୍ଲାରୁ ୫୦,୬୮୬, ବାଲେଶ୍ବରରୁ ୬୫,୮୫୫, ପୁରୀରୁ ୪୮,୬୬୦, କେନ୍ଦ୍ରାପଡ଼ାରୁ ୪୨,୧୬୭, ଖୋର୍ଦ୍ଧା ଜିଲ୍ଲାରୁ ୨୯୨୯୮, ସୁନ୍ଦରଗଡ଼ରୁ ୨୮,୭୫୬, ନୟାଗଡ଼ରୁ ୨୫,୪୨୬ ଓ ଦେବଗଡ଼ରୁ ୪୦୫୦ଜଣ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ନୂତନ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ ଓ ୧୦ଟି ବାଦ୍ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଏହି ମାନଦଣ୍ଡ ଆଧାରରେ ଉପଯୁକ୍ତ ତଦନ୍ତ କରାଯିବ। ଯୋଗ୍ୟ ବିବଚେିତ ଆବେଦନକାରୀଙ୍କୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ହିତାଧିକାରୀ ଚୟନର ସର୍ବୋଚ୍ଚ ସୀମାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ସ୍ଥାନରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି।