ସେଲ୍‌ଫ ଫାଇନାନ୍ସିଂ ପାଠ୍ୟକ୍ରମ କାଣ୍ଟଛାଣ୍ଟ ନିଷ୍ପତ୍ତିରୁ ଓହରିଲେ ସରକାର

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ କାଣ୍ଟଛାଣ୍ଟ ହେବା ନେଇ ରାଜଭବନରୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଗତ ୧୨ ତାରିଖରେ ଚିଠି ଲେଖିଥିଲେ। ବିଶ୍ବବିଦ୍ୟାଳୟ କୁଳପତି କିମ୍ବା ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା ହୋଇଥିଲା କି ନାହିଁ, ମନ୍ତ୍ରୀ ଅରୁଣ ସାହୁ ଏ ସଂକ୍ରାନ୍ତରେ କି ନିର୍ଦେଶ ଫାଇଲରେ ଦେଇଛନ୍ତି, ତାହା ଜଣାପଡିନାହିଁ। କିନ୍ତୁ ଏହି ନିର୍ଦେଶକୁ ଆଜ୍ଞାଧୀନ ଛାତ୍ର ଭାବେ ପାଳନ କଲେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା। ବିଭାଗରେ ଚିଠି ପହଞ୍ଚିବା କ୍ଷଣି ଗତ ୧୬ ତାରିଖରେ ଶ୍ରୀ କୋରକୋରା ୧୩ଟି ବିଶ୍ବବିଦ୍ୟାଳୟ ଲାଗି ୮ ଜଣ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ କଲେ। କିଏ କେଉଁ ବିଶ୍ବବିଦ୍ୟାଳୟ ଦାୟିତ୍ବରେ ରହି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ କାଣ୍ଟଛାଣ୍ଟର ତଦାରଖ କରିବେ ସେନେଇ ସ୍ପଷ୍ଟ କରିଦେଲେ।

ଏହି ପ୍ରସଙ୍ଗକୁ ନେଇ ବିବାଦ ମୁଣ୍ଡ ଟେକିଲା। ରାଜ୍ୟରେ ଛାତ୍ର ଆନ୍ଦୋଳନ ବଢୁଥିବା ଦେଖି ଛାତ୍ର କଂଗ୍ରେସ ସିଧାସଳଖ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଟାର୍ଗେଟ କରିଥିଲା। ରାଜ୍ୟ ସରକାର ବି ଅକଳରେ ପଡ଼ିଗଲେ। ବିବାଦ ଅଧିକ ଘନେଇବା ପରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ କୋରକୋରା ଆଜି ଆଉ ଏକ ଚିଠି ଲେଖି ୧୬ ତାରିଖରେ ଜାରି କରିଥିବା ନିର୍ଦେଶରୁ ଓହରିଛନ୍ତି। ସମ୍ପୃକ୍ତ ୮ ଅଧିକାରୀଙ୍କୁ ଚିଠି ଲେଖି ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବାକୁ କହିଛନ୍ତି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ବନ୍ଦ କରିବା ଲାଗି ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ବାରମ୍ବାର ପ୍ରସ୍ତାବ ଦେଇଥିଲେ। କୁଳପତି ସମ୍ମିଳନୀରେ ବି ଏ ପ୍ରସ୍ତାବ ଉଠିଛି। ମାତ୍ର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନ ନେବାକୁ ରାଜ୍ୟ ସରକାର ମତପୋଷଣ କରିଥିଲେ। ବିଭାଗୀୟ ମନ୍ତ୍ରୀ ଶ୍ରୀ ସାହୁ ମଧ୍ୟ ଏଭଳି ନିଷ୍ପତ୍ତି ସପକ୍ଷରେ ନ ଥିଲେ। ଏମିତି ସମୟରେ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ ନିର୍ଦେଶ ଆସିଗଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଯିଏ ଉଚ୍ଚଶିକ୍ଷା ବିଭାଗ ସଚିବ ସିଏ। ଅର୍ଥାତ୍‌ ଦୁଇଟି ଯାକ ପ୍ରମୁଖ ପଦବିରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାଶ୍ବତ ମିଶ୍ର ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ ଯେଉଁଟା କାର୍ଯ୍ୟକାରୀ ହୋଇପାରୁ ନାହିଁ ରାଜଭବନ କାର୍ଯ୍ୟାଳୟ ଦ୍ବାରା ତାହାକୁ କରିବା ଦିଗରେ ସେ ପଦକ୍ଷେପ ନେଉଥିବା ସରକାରୀସ୍ତରରେ ଜୋରଦାର ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର