କଟକ: ସ୍କୁଲ୍ ମିଶ୍ରଣ ପ୍ରସଙ୍ଗରେ ସରକାର ନେଇଥିବା ନିଷ୍ପତ୍ତି କାଏମ୍ ରହିଛି। ପୂର୍ବରୁ ଏ ସଂପର୍କିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ୨୦୨୧, ମେ ୪ରେ ରଦ୍ଦ କରିଥିବାବେଳେ ସେହି ରାୟ ଉପରେ ଆଜି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦାୟର ରିଟ୍ ଅପିଲକୁ ବିଚାର ପାଇଁ ଗ୍ରହଣ କରିବା ସହିତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ଜଣିକିଆ ବିଚାରପତିଙ୍କ ମେ ୪ର ରାୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି। ଯଦି କୌଣସି ପକ୍ଷ ସ୍କୁଲ ମିଶ୍ରଣ ନିଷ୍ପତ୍ତି ସଂପର୍କିତ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି, ସେ ଗ୍ରିଭାନ୍ସ ରିଡ୍ରେସାଲ ସେଲର ଦ୍ବାରସ୍ଥ ହୋଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା ଯେ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍କୁଲ୍ ମିଶ୍ରଣ ସଂପର୍କିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜାତୀୟ ଶିକ୍ଷାନୀତି ଆଧାରରେ ସରକାର ଜନହିତରେ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଏପରି ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ ବୋଲି ଗଣଶିକ୍ଷା ବିଭାଗ ଦର୍ଶାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୪କୁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦ରୁ କମ୍ ସଂଖ୍ୟାର ଛାତ୍ରଛାତ୍ରୀ ଥିବା ସ୍କୁଲ୍ଗୁଡ଼ିକୁ ନିକଟବର୍ତ୍ତୀ ପ୍ରମୁଖ ସ୍କୁଲରେ ମିଶ୍ରଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ୨୦୨୦, ମାର୍ଚ୍ଚ ୧୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ଜିଲ୍ଲାରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏପରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଶତାଧିକ ମାମଲା ରୁଜୁ ହୋଇଥିଲା। ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ ୪ରେ ରଦ୍ଦ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶିତ ୨୦୨୦, ମାର୍ଚ୍ଚ ୧୧ର ମୂଳ ବିଜ୍ଞପ୍ତି ସହିତ ପରବର୍ତ୍ତୀ ସମୟରେ ୨୦୨୦, ଡିସେମ୍ବର ୧୪ରେ ପ୍ରକାଶିତ ବିଜ୍ଞପ୍ତିକୁ ଏହି ରାୟରେ ରଦ୍ଦ କରାଯାଇଥିଲା। ମିଶ୍ରଣ ପୂର୍ବର ଅବସ୍ଥାରେ ଆବେଦନକାରୀ ସ୍କୁଲକୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସ୍କୁଲ ଗୁଡିକ କିପରି ସୂଚାରୁ ଭାବେ କାର୍ଯ୍ୟ କରିବ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥା ସରକାର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ରାୟ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବାବେଳେ ଗଣଶିକ୍ଷା ବିଭାଗ ବରିଷ୍ଠ ଷ୍ଟାଣ୍ଡିଂ କାଉନସିଲ ସନ୍ଦୀପ ପରିଡା, ଷ୍ଟାଣ୍ଡିଂ କାଉନସିଲ ଦୀପ୍ତିରଂଜନ ମହାପାତ୍ର ଓ ସୋନକ ମିଶ୍ର ସହୟତା କରୁଥିଲେ। ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେତେକ ସ୍କୁଲ୍ ନିଜର ନାମ ଲେଖାଇଥିବବେଳେ ପୁଣି ସେମାନଙ୍କୁ ନେଇ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/high-court-new-india-express.jpg)