ପୁଣି ଶୀତଳଷଷ୍ଠୀ ଯାତ୍ରା ସହିତ ସରକାରଙ୍କ ଖେଳ
ଅନୁଦାନ ଦେଲେନି, ସାଂସ୍କୃତିକ ଦଳ ପାଇଁ ବି ମନା କଲେ
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସହିତ ପୁଣି ସରକାରୀ ବାବୁମାନଙ୍କ ଖେଳ ଆରମ୍ଭ ହୋଇଯାଇଛି। ଶୀତଳଷଷ୍ଠୀ ଯାତ୍ରା ଇତିମଧ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ମିଳୁଥିବା ଅନୁଦାନରାଶି ଏଯାଏ ମିଳିପାରିନାହିଁ। ଅନୁଦାନ ରାଶି ଏଥର ମିଳିବ କି ନାହିଁ, ସେନେଇ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ନିରବତାକୁ ନେଇ ଶୀତଳଷଷ୍ଠୀ ଯାତ୍ରା ମିଳିତ କ୍ରିୟାନୁଷ୍ଠାନ କମିଟି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। କରୋନା ଯୋଗୁ ଦୁଇ ବର୍ଷ ପର୍ଯ୍ୟନ୍ତ ଶୀତଳଷଷ୍ଠୀ ଯାତ୍ରା କେବଳ ବିଧିରକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ହଟିବା ପରେ ଚଳିତ ବର୍ଷ ପୁଣି ପୂର୍ବ ଭଳି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମୟ ଗଡ଼ିବା ସହିତ ଖର୍ଚ୍ଚ ବି ବଢ଼ୁଛି। ପ୍ରାୟତଃ ସବୁ ଜିନିଷର ଦରଦାମ ବୃଦ୍ଧି ଯୋଗୁ ପୂର୍ବାପେକ୍ଷା ଏଥର ସବୁଯାତ୍ରା କମିଟିର ବଜେଟ୍ ବଢ଼ିଛି। ଏସବୁକୁ ଦୃଷ୍ଟିରେ ଶୀତଳଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ସଂସ୍କୃତି ମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରମୁଖଙ୍କୁ ଭେଟି ପୂର୍ବାପେକ୍ଷା ଅଧିକ ଅନୁଦାନ ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏଥି ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ାର ଶୋଭାଯାତ୍ରା ପାଇଁ ୩ଟି ଲେଖାଏଁ ସାଂସ୍କୃତିକ ଦଳ ମଧ୍ୟ ଯୋଗାଇବା ନିମନ୍ତେ ସଂସ୍କୃତି ବିଭାଗକୁ ଅନୁରୋଧ କରିଥିଲେ।
ସଂସ୍କୃତି ବିଭାଗ ଏହି ପ୍ରସ୍ତାବରେ ରାଜି ହୋଇଥିଲା। ବିଭାଗୀୟ ନିର୍ଦ୍ଦେଶକ ଏହି ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିବା ସଂକ୍ରାନ୍ତରେ କିଛିଦିନ ତଳେ ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ସୂଚନା ଦିଆଯାଇଥିଲା। ମାତ୍ର, ପରବର୍ତ୍ତୀ ସମୟରେ ମନା କରି ଦିଆଯାଇଛି। ମଂଚ କାର୍ଯ୍ୟକ୍ରମ ହେଲେ କେବଳ ସାଂସ୍କୃତିକ ଦଳଗୁଡ଼ିକ ପଠାଇଯାଇପାରିବ ବୋଲି କହାଯାଇଛି। ଶୋଭାଯାତ୍ରାରେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସାଂସ୍କୃତିକ ଦଳଗୁଡ଼ିକୁ ପଠାଯାଇପାରିବ ନାହିଁ ବୋଲି ସରକାରୀ ବାବୁମାନେ ଏବେ କହୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଗରୁ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ଦଳ ପଠାଇଥିବା ବେଳେ ଏଥର ମନା କରିଦେବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଅସନ୍ତୋଷ ବ୍ୟକ୍ତ କରିଛି।
କମିଟିର ସଭାପତି ସୁଶାନ୍ତ ପୁରୋହିତ, ସରୋଜ ଦଲପତ, ପାର୍ଥସାରଥୀ ମିଶ୍ର, ଫଣିଭୂଷଣ ମିଶ୍ର ପ୍ରମୁଖ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଶୀତଳଷଷ୍ଠୀ ଯାତ୍ରା ସହିତ ପାତରଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି। ଯାତ୍ରା ସମୟରେ ନଦେଇ ପଛରେ ଅନୁଦାନ ଦେଲେ କି ଲାଭ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟ ଅନ୍ୟ ଅଂଚଳର କାର୍ଯ୍ୟକ୍ରମ ପାଇଁ ଗୋଟିଏ ନୀତି ଓ ଶୀତଳଷଷ୍ଠୀ ଯାତ୍ରା ବେଳକୁ ଆଉ ଗୋଟିଏ ନୀତି ଅବଳମ୍ବନ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।