ସରକାରଙ୍କ ସଂକଳ୍ପ: କୀଟ ଓ ଜଳବାହିତ ରୋଗରେ କାହାରିକୁ ମରିବାକୁ ଦିଆଯିବନି

ମ୍ୟାଲେରିଆ ପାଇଁ ଦମନ କାର୍ଯ୍ୟକ୍ରମ ୨୦୩୦-୩୧ ପର୍ଯ୍ୟନ୍ତ ବୃଦ୍ଧି, ସବୁ ଜିଲ୍ଲା ଓ ସବ୍‌ଡିଭିଜନ୍‌ରେ ଲଗାଯିବ ଏଲିସା ଟେଷ୍ଟ୍‌ ମେସିନ୍‌

ଭୁବନେଶ୍ବର: ଚଳିତ ବର୍ଷ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନୀ ଏନ୍‌ସେଫାଲାଇଟିସ୍‌, ଡାଇରିଆ ଓ ହେପାଟାଇଟିସ୍‌ରେ କାହାରିକୁ ମରିବାକୁ ଦିଆଯିବନି। କୀଟବାହିତ ଓ ଜଳବାହିତ ରୋଗ ନିୟନ୍ତ୍ରଣ ନେଇ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଅନ୍ତଃବିଭାଗୀୟ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ୍‌-୧୯ ସଂକ୍ରମଣ ପ୍ରତିହତ ପାଇଁ ସାମାଜିକ ଦୂରତା ସହିତ ନିଆଯାଉଥିବା ସତର୍କତା କାର୍ଯ୍ୟକ୍ରମ ସହିତ ଏକାସଙ୍ଗେ ମଧ୍ୟ ଏସବୁ ରୋଗ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଯାଇଛି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଜାରି ରହିଥିବା ‘ଦମନ’ କାର୍ଯ୍ୟକ୍ରମକୁ ଆସନ୍ତା ୨୦୩୦-୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହାସହିତ ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍‌ରେ ମ୍ୟାଲେରିଆ ପରୀକ୍ଷା ପାଇଁ ଏଲିସା ମେସିନ୍‌ ଲଗାଯିବ।

ମ୍ୟାଲେରିଆ ନିରାକରଣ କରିବାରେ ସାରା ଦେଶରେ ଓଡ଼ିଶା ରେକର୍ଡ଼ କରିଛି। ବର୍ଷା ଋତୁରେ ଜୀବାଣୁ ଜନିତ ସଂକ୍ରମଣ ରୋଗ ବ୍ୟାପିବାର ସମ୍ଭାବନା ରହିଛି। କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ସରକାର ସଂଗ୍ରାମ ଜାରି ରଖିଥିବାବେଳେ ଏହି ସମୟରେ ଅନ୍ୟ ସଂକ୍ରମିତ ରୋଗ ଯେପରି କାୟା ବିସ୍ତାର ନ କରେ ସେଥିପାଇଁ ଦୃଢ଼ ପଦକ୍ଷେପ ନେବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ, ଗୃହ ଓ ନଗର ଉନ୍ନୟନ, ଶ୍ରମ ଓ ନିୟୋଜନ, ଜଙ୍ଗଲ ଓ ପରିବେଶ, ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା, ଏସ୍‌ସି-ଏସ୍‌ଟି, କୃଷି, ପ୍ରାଣୀ ସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ, ଇସ୍ପାତ ଓ ଶିଳ୍ପ ଏବଂ ବାଣିଜ୍ୟ ଓ ପରିବହନ ବିଭାଗଗୁଡ଼ିକ ଏ ଦିଗରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ପୁଣି ଥରେ ଆସନ୍ତା ୧୦ ବର୍ଷ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମ୍ୟାଲେରିଆ ପାଇଁ ଏଲିସା ଟେଷ୍ଟ୍‌ ବ୍ୟବସ୍ଥା ଆଗରୁ ଥିବା ମେଡିକାଲ୍‌ କଲେଜ ସମେତ ନୂଆକରି ହୋଇଥିବା ୪ଟି ମେଡିକାଲ୍‌ କଲେଜରେ ରାଜ୍ୟ ରେଫରାଲ୍‌ ଲାବୋରେଟରିଜ୍‌ ପ୍ରତିଷ୍ଠା କରାଯିବ। ‘ଦମନ’ କାର୍ଯ୍ୟକ୍ରମ ଯୋଗୁଁ ମ୍ୟାଲେରିଆ ନିୟନ୍ତ୍ରଣରେ ସଫଳତା ମିଳିଥିବା ସେ କହିଛନ୍ତି। କୀଟବାହିତ ରୋଗକୁ ଜୈବିକ ପଦ୍ଧତିରେ ନିୟନ୍ତ୍ରଣ କରିବା ପାଇଁ ମ୍ୟାଲେରିଆ ପ୍ରବଣ ଜିଲ୍ଲାର ଜଳାଶୟରେ ଅଧିକକୁ ଅଧିକ ମଶା ଲାର୍ଭା ଖାଉଥିବା ମାଛ ଯାଆଁଳ ଉତ୍ପାଦନ କରିବା ପାଇଁ ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ୨୦ ଲକ୍ଷ ମଶାରି ମହଜୁଦ୍‌ ରଖାଯିବ। ଗାଁ କଲ୍ୟାଣ ସମିତି, ଆଶା, ଏଏନ୍‌ଏମ୍‌ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକ କ୍ଷମତା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହି ଅବସରରେ ସ୍ବତନ୍ତ୍ର ଶାସନ ସଚିବ ଶାଳିନୀ ପଣ୍ଡିତ ମ୍ୟାଲେରିଆ ନିରାକରଣ ପରିସଂଖ୍ୟାନ ଦେଇ କହିଛନ୍ତି, ୨୦୧୮ରେ ୮୧% ଓ ୨୦୧୯ରେ ୪୧%କୁ କମାଇବାରେ ରାଜ୍ୟ ସଫଳତା ପାଇଛି। ୨୦୧୭ରେ ୩ ଲକ୍ଷ ୪୭ ହଜାର ୮୬୦ ମ୍ୟାଲେରିଆ ସଂକ୍ରମଣଙ୍କ ଭିତରୁ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ରେ ୬୬ ହଜାର ୩୧୧ଜଣଙ୍କ ଭିତରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ରେ ୩୯ ହଜାର ୫୦୦ ଜଣ ସଂକ୍ରମିତ ହୋଇଥିଲେ। ୨୦୨୦ ଏପ୍ରିଲ୍‌ ସୁଦ୍ଧା ୧୧ ହଜାର ୩୦୨ ଜଣ ମ୍ୟାଲେରିଆ ରୋଗରେ ପୀଡ଼ିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ମ୍ୟାଲେରିଆ ଶୂନ୍ୟ ହୋଇଥିବାରୁ ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ୩୨ଟି ବ୍ଲକ୍‌ରେ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ.ଅଜିତ ମହାନ୍ତି ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଏସ୍‌ସି-ଏସ୍‌ଟି ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର