ବାଲେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସୋମବାର ବାଲେଶ୍ବର ଗସ୍ତରେ ଆସି ଫକୀରମୋହନ ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିବା ସହିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ପରେ ସେ ଅପରାହ୍ନ ୪ଟାରେ ଭୀମପୁରା କୋଶମ୍ବନଗରସ୍ଥିତ ବାଲେଶ୍ବରୀ ହସ୍ତକଳା କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ବାମପଦା, ନୀଳଗିରି, କୋଶମ୍ବନଗର, ଅରଡ଼ବଜାର, ନଲମଗଂଜ ପ୍ରଭୃତି ଅଂଚଳର ଜଉକଣ୍ଢେଇ ଶିଳ୍ପୀଙ୍କ ଦ୍ବାରା ଆୟୋଜିତ ଜଉକଣ୍ଢେଇ ପ୍ରଦର୍ଶନୀକୁ ଦେଖିବା ସହିତ ଶିଳ୍ପୀମାନଙ୍କୁ ଜଉକଳାର ପ୍ରଚାରପ୍ରସାର ସମ୍ପର୍କରେ ପଚାରି ବୁଝିଥିଲେ।
ହସ୍ତକଳା କେନ୍ଦ୍ରରେ ସେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ଚାଖିଥିଲେ। ଶିଳ୍ପୀ କେଶୁ ଦାସଙ୍କ ସମେତ ଅନ୍ୟାନ୍ୟ ଜଉ କଣ୍ଢେଇ ଶିଳ୍ପୀ ଓ ନୂଆ ବାଲେଶ୍ବର ଉନ୍ନୟନ ପରିଷଦର କର୍ମକର୍ତ୍ତାମାନେ ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ରାଜ୍ୟପାଳଙ୍କୁ ଜଉରେ ନିର୍ମିତ କଳାକୃତି, ଆକର୍ଷଣୀୟ ରେମୁଣା କଂସାବାସନ ଏବଂ ଅନ୍ୟାନ୍ୟ ଉପହାର ପ୍ରଦାନ କରାଯାଇଥିଲା। ଏହା ପରେ ସେ ସହଦେବଖୁଂଟାସ୍ଥିତ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ସହ କିଛି ସମୟ ବିତାଇଥିଲେ। ପିଲାମାନଙ୍କ ହସରେ ସ୍ବୟଂ ପ୍ରଭୁ ଜଗନ୍ନାଥଙ୍କ ପ୍ରତିରୂପ ଦେଖିପାରୁଥିବା କହି ଏହା ତାଙ୍କ ପାଇଁ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ବୋଲି ସେ କହିଥିଲେ।
ଜଉକଣ୍ଢେଇ ପ୍ରଦର୍ଶନୀ ଦେଖିଲେ, ଓଡ଼ିଆ ପାରମ୍ପରିକ ଖାଦ୍ୟ ଚାଖିଲେ
ବାଳାଶ୍ରମର ପରିଚାଳନା ସମ୍ପର୍କରେ ବୁଝିବା ସହିତ ପିଲାମାନଙ୍କୁ ପାଖରେ ବସାଇ ଭଲମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଏହା ପରେ ପରେ ସେ ଶାନ୍ତିକାନନ ଗସ୍ତ କରି ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶାନ୍ତିକାନନରେ ପ୍ରବେଶ କରିବା ସମୟରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ଓ ରେବତୀ ସାହିତ୍ୟ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନାଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ଫକୀରମୋହନଙ୍କ ସ୍ୱହସ୍ତ ନିର୍ମିତ ପ୍ରତିମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରି ତତ୍କାଳୀନ ସମୟରେ ଯେଉଁପରି ଆନନ୍ଦ ମିଶ୍ରଙ୍କ ଦ୍ୱାରା ଫକୀରମୋହନ ନିଜର ପ୍ରତିମୂର୍ତ୍ତି ନିର୍ମାଣ କରି ଯାଇଛନ୍ତି ବୋଲି ଖବର ଜାଣିବା ପରେ ସେ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ। ଫକୀରମୋହନଙ୍କ ନିର୍ମିତ ସର୍ବଧର୍ମ ସମନ୍ୱୟ ସ୍ତମ୍ଭକୁ ମଧ୍ୟ ଅବଲୋକନ କରି ସେଥିରେ ଥିବା ଓଡ଼ିଆ ଲିପିକୁ ସହଜରେ ପାଠ କରିଥିଲେ।
/sambad/media/post_attachments/wp-content/uploads/2022/07/19-9.jpg)
ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ରାଜ୍ୟପାଳଙ୍କୁ ଫକୀରମୋହନଙ୍କର ଏକ ପ୍ରତିଛବି ଉପହାର ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପିଡି-ଡିଆର୍ଡିଏ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ପୁଲିସ ଅଧିକାରୀ ରାଜ୍ୟପାଳଙ୍କ ବାଲେଶ୍ବର ଗସ୍ତ ସମୟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଦୀପକ ବୋଷ, ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ, କୋଷାଧ୍ୟକ୍ଷ ତପନ ରାୟ, ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଡକ୍ଟର ସାରଙ୍ଗଧର ତ୍ରିପାଠୀ, ସ୍ଥାନୀୟ କାଉନ୍ସିଲର ସନ୍ଧ୍ୟାରାଣୀ ଜେନା, ସ୍ମୃତି ଦାସ, ଦୀପକ ଦାସ, ଡ. ଭାଗବତ ପ୍ରସାଦ ଦାସ, ଡ. ଶିରୀଶ ଚନ୍ଦ୍ର ଜେନା, ନିବାରଣ ଜେନା, ରାଜେଶ ଗିରି, ଲକ୍ଷ୍ମୀକାନ୍ତ ବେହେରା,ଡକ୍ଟର, କୁମାର ଗୋପାଲ, ଅର୍ଚ୍ଚନା ନନ୍ଦୀ, ଶ୍ରୀରୂପା ମଞ୍ଜରୀ ସେନ, ରମାକାନ୍ତ ମହାନ୍ତି, ଭାଗବତ ସାହୁ, ହାଡ଼ିବନ୍ଧୁ ପାତ୍ର, ଦେବେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/18-8.jpg)