ଭୁବନେଶ୍ବର: ‘ରାଜ୍ୟପାଳଙ୍କ ପୁଅଙ୍କ ଗୁଣ୍ଡାଗିରି ଚଳିବ ନାହିଁ’, ‘ଓଡ଼ିଆ ପୁଅକୁ ସୁରକ୍ଷା ଆମର ଦାବି’, ‘ଓଡ଼ିଆ ପୁଅର ଅପମାନ ଚଳିବ ନାହିଁ’, ‘କୁଆଡ଼େ ଗଲା ସରକାରଙ୍କ ଓଡ଼ିଆ ଅସ୍ମିତା’...। ଏମିତି ନାରାବାଜିରେ ଆଜି କମ୍ପିଥିଲା ବିଧାନସଭା ଗୃହ। ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ସ୍ବର ଏକ ଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଦିନତମାମ ଗୃହ ଚାଲିପାରିଲାନି। ଅପରାହ୍ନରେ ବିଜେଡି ସଭ୍ୟ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ି ମାଇକ୍ ଭାଙ୍ଗି ଦେଇଥିଲେ।
ଆଜି ପୂର୍ବାହ୍ନରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିବା ପାଇଁ ଠିଆ ହେଲେ। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ ଘୋଷଣା କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ଡାକିଲେ। ଏପଟେ ଶ୍ରୀମତୀ ମଲ୍ଲିକ କହିଥିଲେ, ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଏଏସ୍ଓଙ୍କୁ ମାଡ଼ ମାରିଥିଲେ ବି କାହିଁକି ତାଙ୍କୁ ଗିରଫ କରାଯାଉ ନାହିଁ। ଏଠି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା? ଏହାପରେ ବିଜେଡି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସରକାର ବିରୋଧରେ ନାରାବାଜି କରି ଏଏସ୍ଓଙ୍କୁ ମାଡ଼ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ଉତ୍ତର ଦାବି କରିଥିଲେ। ମାତ୍ର ଗୋଟିଏ ମିନିଟ୍ରେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ। ତେବେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଅନୁପସ୍ଥିତ ଥିଲେ। ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଗୃହ ମଧ୍ୟ ଭାଗକୁ ଚାଲି ଆସିଲେ ବିଜେଡି ଓ କଂଗ୍ରେସ ସଭ୍ୟମାନେ। ସରକାର ବିରୋଧରେ ସ୍ଲୋଗାନ୍ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କଲେ। ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଭ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କଲେ। କିନ୍ତୁ ସେମାନେ ଶୁଣି ନଥିଲେ। ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇ ଗର୍ଜନ ତର୍ଜନ କଲେ। ଏହି ସମୟରେ ଶାସକ ଦଳର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର କହିଲେ, ଆଜି ବିଜେଡି ବିଧାୟକମାନେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରୁଛନ୍ତି। କିନ୍ତୁ ଅତୀତକୁ ଦେଖିଲେ ତାଙ୍କ ଦଳର ନେତାମାନେ ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧରେ ସଂପୃକ୍ତ ଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ର ଘଟଣାରେ ବିଜେଡି ବିଧାୟକମାନେ କୁଆଡ଼େ ଯାଇଥିଲେ? ଏବେ ସେମାନେ ଜାଣିଶୁଣି ଗୃହ ଅଚଳ କରୁଛନ୍ତି। ବିଜେପି ସଭ୍ୟ ଟଙ୍କଧର ତ୍ରିପାଠୀ ମଧ୍ୟ ବିରୋଧୀ ଦଳକୁ ସମାଲୋଚନା କରିଥିଲେ। କିନ୍ତୁ ବିରୋଧୀ ସଭ୍ୟମାନେ ଏତେ ଜୋର୍ରେ ନାରାବାଜି କରୁଥିଲେ ଯେ ତାଙ୍କର କଥା ଶୁଣାଯାଇ ନଥିଲା। ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା କରି ବାଚସ୍ପତି ୧୧ଟା ୩୬ରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।
୪ଟାରେ ବି ଦୃଶ୍ୟ ବଦଳି ନଥିଲା। ବିରୋଧୀ ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା ଜାରି ରଖିଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପାଇଁ ଆଗତ କରିଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାହାକୁ ସମର୍ଥନ କରିଥିଲେ। ଶ୍ରୀ ମହାଲିଙ୍ଗ ଆଲୋଚନା କରୁଥିଲା ବେଳେ ବିରୋଧୀଙ୍କ ନାରାବାଜି ଜାରି ରହିଥିଲା। ବିଜେଡି ସଭ୍ୟ ଯୋଗେଶ ସିଂହ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ି ଯାଇଥିଲେ। ଧ୍ରୁବ ସାହୁ ମାଇକ୍ ଛିଣ୍ଡାଇ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ୪ଟା ୨୮ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହ ବାହାରେ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଥିଲେ ଯେ ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିଲେ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏଏସ୍ଓଙ୍କ ସହ କ’ଣ ଆଲୋଚନା କଲେ ତାହା ଜଣାପଡ଼ିଲାନି। ଓଲଟା ଏଏସ୍ଓଙ୍କୁ ବଦଳି କରିଦିଆଗଲା। ଏହି ଘଟଣାରେ ଆଇନ ମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି। ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହୁଛନ୍ତି। କେଉଁଠି ଫୌଜଦାରୀ ମାମଲାର ତଦନ୍ତ ଜିଲ୍ଲାପାଳ କରନ୍ତି କି? ଏସ୍ପି, ଆଇଆଇସି କୁଆଡ଼େ ଗଲେ? ଏଏସ୍ଓଙ୍କୁ କି ପ୍ରକାର ନ୍ୟାୟ ଦିଆଯାଇଛି, ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, ଗୃହରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ। କିନ୍ତୁ ବିଜେଡି-ବିଜେପି ଜାଣିଶୁଣି ବିଧାନସଭା ବନ୍ଦ କରିଦେଉଛନ୍ତି। ଓଡ଼ିଆ ସ୍ବାଭିମାନ ପାଇଁ ଆଲୋଚନା ହେବା ଦରକାର। ଆଲୋଚନା ହେଲେ ହିଁ ସବୁ ସ୍ପଷ୍ଟ ହୋଇଯିବ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, ଯେଉଁମାନେ ଦିନେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କରିଦେଇଥିଲେ ସେମାନେ କଣ ଆଇନଶୃଙ୍ଖଳା କଥା କହିବେ? ଗୋଟିଏ ପଟେ ସେମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। କିନ୍ତୁ ଗତକାଲି ତାଙ୍କ ବିରୋଧୀ ଦଳର ନେତା ଗୃହରେ କେଉଁ ଭାଷାରେ ନିଜ ମତ ରଖିଲେ? ଜଣେ ଅଣଓଡ଼ିଆ ରିମୋଟ୍ରେ ସେମାନେ ଚାଲିବେ। ସେମାନେ କ’ଣ ଆମକୁ ଓଡ଼ିଆ ଅସ୍ମିତା ଶିଖାଇବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/1647368094_1644603585_odisha-legislative-assembly-750x430-1.jpg)