ସମ୍ବଲପୁର: ଶନିବାର ସମ୍ବଲପୁରରେ ପହଞ୍ଚିଥିବା ରାଜ୍ୟ ପୁଲିସ୍ ମୁଖ୍ୟ ସୁନୀଲ ବଂଶଲ ରବିବାର ରାତିରେ ବି ଏଠାରେ ରହିଛନ୍ତି। ଅର୍ଥାତ୍ ସେ ସୋମବାର ବି ଏଠାରେ ରହି ସ୍ଥିତିର ସମୀକ୍ଷା କରିବେ। ରବିବାର ଡିଜିପିଙ୍କ ସହ ରାଜ୍ୟ ପ୍ରଶାସନର ଅନ୍ୟତମ ଶୀର୍ଷ ଅଧିକାରୀ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଛନ୍ତି। ପୁଲିସ୍ ମୁଖ୍ୟ ତିନିଦିନ ଧରି ସମ୍ବଲପୁରରେ ରହିବା ଏହି ଘଟଣାର ଗୁରୁତ୍ବକୁ ସୂଚାଉଛି। ସମ୍ବଲପୁରରେ ହୋଇଥିବା ହିଂସାକୁ ସରକାର ଅତି ଗୁରୁତ୍ବର ସହ ନେଇଛନ୍ତି। ଏହି ହିଂସାରେ ପ୍ରଶାସନର ବିଫଳତା ବାହାରକୁ ଫୁଟିକି ଦିଶିଥିଲା।

Advertisment

ଏବେ ଏହାକୁ ଭରଣା କରିବା ପାଇଁ ପୁଲିସ୍ ଓ ପ୍ରଶାସନର ଶୀର୍ଷ ଅଧିକାରୀମାନଙ୍କୁ ଏଠାରେ ଶିବିର କରିବାକୁ ପଡ଼ିଛି ବୋଲି ତଥ୍ୟାଭିଜ୍ଞମାନେ ମତ ଦେଉଛନ୍ତି। ବର୍ତ୍ତମାନ ଝାରସୁଗୁଡ଼ା ଉପନିର୍ବାଚନଠାରୁ ଆରମ୍ଭ କରି ରାଜ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିଲେ ବି ସବୁକୁ ପଛରେ ପକାଇ ସରକାର ଏବେ ସମ୍ବଲପୁର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ବିଗତ ଦିନରେ ଏଠାରେ ଓକିଲ ଆନ୍ଦୋଳନକୁ ବି ପୁଲିସ୍ ପ୍ରଶାସନ ଠିକ୍ରେ ପରିଚାଳନା କରିପାରି ନଥିଲା। ସେହି କାରଣରୁ ଉପୁଜିଥିବା ହିଂସା ଯୋଗୁଁ ବହୁ ଆଇନଜୀବୀଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଉକ୍ତ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ଏବେ ଧାର୍ମିକ ଉତ୍ସବବେଳେ ସହର ସାରା ତୁମୁଳ କାଣ୍ଡ ସରକାରଙ୍କ ନିଦ ହଜାଇ ଦେଇଛି। ଏହାଦ୍ବାରା ଉଭୟ ପକ୍ଷ କ୍ଷତି ସହିଛନ୍ତି ଓ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ବିରୋଧୀ ଦଳମାନେ ଏଥିରୁ ରାଜନୈତିକ ଲାଭ ଉଠାଇବାକୁ ଜୋରଦାର ପ୍ରୟାସ କରୁଛନ୍ତି। ଏଭଳି ସ୍ଥିତିରେ ପରିସ୍ଥିତିକୁ ସମ୍ଭାଳି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବା, ୫ ଦିନ ଧରି ବହୁବିଧ ସମସ୍ୟା ଭୋଗୁଥିବା ସହରବାସୀଙ୍କ ବିଶ୍ବାସ ଜିତିବାକୁ ଏହି ପ୍ରମୁଖ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଥିବା ଆଲୋଚନା ହେଉଛି।