ଅନୁଗୁଳ: ପରିବେଶ ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ବାନ। ଏଥିପାଇଁ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ କ୍ଲାଇମେଟ୍‌ କ୍ଲବ୍‌ ଗଠନ କରାଯିବ। ପଞ୍ଚାୟତର ପରିବେଶ ସୁରକ୍ଷା ଦିଗରେ ଏହି କ୍ଲବ୍‌ କାମ କରିବ ବୋଲି ଘୋଷଣା କରିଛନ୍ତି ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ। ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ଶରଧାପୁର ଗ୍ରାମ୍ୟ ଜଙ୍ଗଲରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ପୌରୋହିତ୍ୟ କରି ବିଧାୟକ ଶ୍ରୀ ପ୍ରଧାନ ଏଥିପାଇଁ ନିଜସ୍ବ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରିବେଶ ସୁରକ୍ଷା ଦିଗରେ ଭଲ କାମ କରି ଆଠମଲ୍ଲିକ ସାରା ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ‘ସମ୍ବାଦ’ର ଏହି ଉଦ୍ୟମକୁ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି।

Advertisment

ବିଧାୟକ କହିଥିଲେ, ଆଠମଲ୍ଲିକରେ ଶିଳ୍ପ ଓ କଳକାରଖାନା ନ ଥିଲେ ମଧ୍ୟ ଜିଲ୍ଲାର ଅନ୍ୟ ଅଞ୍ଚଳ ପାଇଁ ଏଠାରେ ପ୍ରଦୂଷଣ ବଢ଼ୁଛି। ଜଙ୍ଗଲରେ ଖାଦ୍ୟ ନ ପାଇବାରୁ ହାତୀ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏପଟେ ଭୂତଳ ଜଳସ୍ତର ହ୍ରାସ ପାଉଛି। ଏହାର ମୁକାବିଲା ପାଇଁ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହା ବାଦ୍‌ ଆମ ଜୀବନଶୈଳୀ ବଦଳାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଠମଲ୍ଲିକକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବା ଦିଗରେ ପଦକ୍ଷେପ ନିଆଯିବ। ଆସନ୍ତା ୫ ବର୍ଷ ଭିତରେ ଅତି କମ୍‌ରେ ୫୦ ପ୍ରତିଶତ ଜମିକୁ ଜଳସେଚିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେହିପରି ପ୍ରତି ପଞ୍ଚାୟତରେ ଅଧିକ କମ୍ପୋଷ୍ଟ ପିଟ୍‌ କରି ଜୈବିକ ଚାଷ ଉପରେ ଫୋକସ୍‌ କରାଯିବ। ଏପଟେ ବିଭିନ୍ନ ନଦୀ ଓ ନାଳ କୂଳରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଫଳରେ ମୃତ୍ତିକା କ୍ଷୟ କମିବା ସହ ନଦୀର ଗତିପଥ ବାରମ୍ବାର ବଦଳିବ ନାହିଁ। ଏଥିନେଇ ସେ ବନବିଭାଗ ସହ ଆଲୋଚନା କରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ବିକାଶମୂଳକ କାମ ଓ ପରିବେଶ ସୁରକ୍ଷା ଭିତ‌ରେ ସମନ୍ବୟ ରକ୍ଷା ପାଇଁ ପ୍ରତି ପଞ୍ଚାୟତରେ ଏକ କ୍ଲାଇମେଟ୍‌ କ୍ଲବ୍‌ ରହିବ। ଏଥିରେ ଜନ ପ୍ରତିନିଧିଙ୍କ ସହ ଯୁବକ, ମହିଳା ଓ ବିଭିନ୍ନ ବର୍ଗର ଲୋକେ ରହିବେ। ସେମାନେ ପରିବେଶଜନିତ ସବୁ କାମର ହିସାବ ରଖିବା ସହ ପରିବେଶ ସୈନିକ ପରି କାମ କରିବେ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବିଧାୟକ ଦୃଢ଼ତାର ସହ କହିଛନ୍ତି।

ଅନୁଗୁଳ ସରକାରୀ ସ୍ବୟଂଶାସିତ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ପ୍ରଦୂଷଣ ପ୍ରସଙ୍ଗ କୌଣସି ନିର୍ଦ୍ଦିଷ୍ଟ ସୀମା ଭିତରେ ଆଉ ନାହିଁ ବୋଲି କହିଥିଲେ। ଏବେ ବନ୍ୟପ୍ରାଣୀଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ହୋଇଛି। ଏହାକୁ ନଜରରେ ରଖି ଆମକୁ ପଦକ୍ଷେପ ନେବାକୁ ହେବ। ପରିବେଶବିତ୍‌ ପ୍ରସନ୍ନ ବେହେରା କହିଥିଲେ, ବିକାଶମୂଳକ କାମ ପାଇଁ ଆମେ ପରିବେଶ ନଷ୍ଟ କରିବାରୁ ଏହାର କୁଫଳ ଭୋଗିବାକୁ ପଡ଼ୁଛି। ଏପଟେ ଜଙ୍ଗଲ ପରିଚାଳନା ଓ ଜମି ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯାଉନି। ଜଙ୍ଗଲରେ ଆମ୍ବ, ପଣସ, ଆମ୍ବ, ବେଲ, ବାଉଁଶ ଗଛ ନାହିଁ। ଏଥିପାଇଁ ହାତୀ ଜନବସତିମୁହାଁ ହେଉଥିବା ସେ କହିଛନ୍ତି। ଅନୁଗୁଳର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ବି‌ଶୋୟୀ କହିଥି‌ଲେ, ସାରା ଅନୁଗୁଳକୁ ଅମ୍ଳଜାନ ଯୋଗାଉଥିବା ସାତକୋଶିଆ ଜଙ୍ଗଲ ଏବେ ବିପଦରେ। ଏହି ଜଙ୍ଗଲ କ୍ଷୟ ପାଇଁ ଅନୁଗୁଳ ଜିଲ୍ଲାର ପରିବେଶ ପ୍ରଭାବିତ ହେଉଥିବା ସେ କହିଥିଲେ। ସେହିପରି ପରିବେଶବିତ୍‌ ସୁଶୀଲ ପ୍ରଧାନ ଓ ବୀରେନ କୁମାର ପ୍ରଧାନ ପରିବେଶକୁ ବଞ୍ଚାଇବା ପାଇଁ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ବ ଦେଇଥିଲେ।