ଜୟପୁର: ଚାଷ ଜମି ପଡିଆ ପଡିଛି। ପାଣି ଅଭାବରୁ ଜମି ଟାଙ୍ଗରା ପାଲଟିଛି। ପମ୍ପ ଘର ଅଛି କିନ୍ତୁ ମୋଟର ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ୪ ବର୍ଷ ହେଲାଣି ଜମିରେ ଘାସ ମଧ୍ୟ କଅଁଳିନି। କର୍ମଚାରୀ ଅଛନ୍ତି କିନ୍ତୁ ବସିବା ପାଇଁ ଉତ୍ତମ କାର୍ଯ୍ୟାଳୟ ବି ନାହିଁ। କୋଠା ସବୁ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡ଼ିଛି। ପ୍ରାଣୀ ବିଭାଗର ଅବହେଳା ଯୋଗୁଁ ଅଲୋଡା ହୋଇପଡ଼ିଛି ଜୟପୁର ବ୍ଲକ ରଣ୍ଡାପାଲି ଘାସ ବିହନ ଉତ୍ପାଦନ କେନ୍ଦ୍ର। ଯେଉଁ ଉଦ୍ଦେଶ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା ତାହା ନିଜ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି। ଘାସ ବିହନ ଉତ୍ପାଦନ ବନ୍ଦ ପଡିଥିବା ବ‌େଳେ କାର୍ଯ୍ୟାଳୟ ଏବେ ଭୂତକୋଠି ପାଲଟିଛି। ପ୍ରଶାସନ କେବେ ଏଥିପ୍ରତି ଦୃଷ୍ଟି ଦେବ ଓ ଟାଙ୍ଗରା ଜମିରେ ଘାସ କଅଁଳିବ ତାହା ଦେଖିବାକୁ ବାକି ରହିଛି।

Advertisment

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୪୦ ବର୍ଷରୁ ଅଧିକ ଦିନ ପୂର୍ବେ ଜୟପୁର ବ୍ଲକ ରଣ୍ଡାପାଲି ଅଞ୍ଚଳରେ ଗାଈ ଖାଦ୍ୟ ଉତ୍ପାଦନ ଓ ଏହାର ପ୍ରଶିକ୍ଷଣ ପାଇଁ ଏକ ସଂସ୍ଥା ଖୋଲିଥିଲା। ଯେଉଁଠାରେ ବିଭିନ୍ନ ଗୋଖାଦ୍ୟ ଜାତୀୟ ଗଛ ଉତ୍ପାଦନ କରି ଲୋକଙ୍କୁ ପ୍ରଦାନ କରାଯାଉଥିଲା ଓ ଗୃହପାଳିତ ପଶୁ ପାଳନ କରାଯାଉଥିଲା। ପରବର୍ତ୍ତୀ ସମୟରେ ସେହି ସଂସ୍ଥା ନିଜର କାର୍ଯ୍ୟ ସୁଚାର ରୂପେ ତୁଲାଇ ପାରିନଥିବା ବେଳେ ସେ ପ୍ରାଣୀ ସମ୍ପଦ ବିଭାଗକୁ ହସ୍ତାନ୍ତର କରିଥିଲେ। ସେଠାରେ ଗୋଟିଏ କାର୍ଯ୍ୟାଳୟ ଗୃହ, ୪ଟି ଗୋଦାମ, ଗୋଟିଏ ଗ୍ୟାରେଜ ଓ ୫ଟି କ୍ବାର୍ଟର୍ସ ଘର ନିର୍ମାଣ ହୋଇଥିଲା।

୩୦ ଏକର ଜମିରେ ଘାସ ବିହନ ଉତ୍ପାଦନ କରାଯିବ, ସ୍ଥାନୀୟ ଚାଷୀଙ୍କୁ ଘାସ ଚାଷ ପାଇଁ ତାଲିମ ପ୍ରଦାନ କରାଯିବ ଓ ଘାସ ଚାରା ଦିଆଯିବ ବୋଲି ଲକ୍ଷ୍ୟ ରହିଥିଲା। ଯାହା ଫଳରେ ଚାଷୀ ଦାନା ବଦଳରେ ଗାଈକୁ ଘାସ ଅଧିକା ପରିମାଣରେ ‌ଦେବେ, ଗାଈ ସୁସ୍ଥ ରହିବ ଓ ଅଧିକା କ୍ଷୀର ଦେବ। ଏଭଳି ଭାବେ ପ୍ରାଣୀ ବିଭାଗ ପକ୍ଷରୁ କିଛି ବର୍ଷ ଘାସ ଚାଷ ହେବା ସହ ମକା, ବରଗ‌ୋଟି ଓ ମାଣ୍ଡିଆ ଚାଷ ମଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ଚାରିପଟେ ଥିବା ପାଚେରୀ ନଷ୍ଟ ହୋଇଯାଇଥିଲା। ଏହାର ସୁରକ୍ଷା ହୋଇପାରି ନଥିଲା, ଅବାଧ ପଶୁ ପ୍ରବେଶ ଯୋଗୁଁ ଗଛପତ୍ର ନଷ୍ଟ ହେବାରେ ଲାଗିଥିଲା। ଏଥିସହ କାର୍ଯ୍ୟାଳୟ  ବି ଭାଙ୍ଗି ନଷ୍ଟ ହେବାରେ ଲାଗିଥିଲା। ଏଭଳି ଭାବେ କିଛି ବର୍ଷ ପରେ ଘାସ ବିହନ ଉତ୍ପାଦନ ଧୀରେ ଧୀରେ ବନ୍ଦ ହୋଇଯାଇଥିଲା।

୧୦ ବର୍ଷରୁ ଅଧିକା ସମୟ ପରେ ଗତ ୨୦୧୪ଠାରୁ ପୁଣି ଘାସ ଉତ୍ପାଦନ ପାଇଁ ଯୋଜାନ ଆରମ୍ଭ ହୋଇଥିଲା। ସେଠାରେ ୫ ଏକର ଜମିରେ ନେପିୟର ଘାସ ଚାଷ କରାଗଲା। ଜୟପୁର ବ୍ଲକର ବହୁ ‌ଚାଷୀ ଗାଈ ପାଇଁ ଘାସ କିଣି ନେଉଥିଲେ ଏବଂ ଘାସର ଚାରା ନେଇ ଚାଷ ମଧ୍ୟ ଆରମ୍ଭ କରିଥ‌ିଲେ। ଏଥିସହ ୧୦ ଏକର ଜମିରେ ମକା ଚାଷ କରାଯାଉଥିଲା, ମକା ଗଛ ସହ ବିହନକୁ ମଧ୍ୟ ଚାଷୀ କିଣି ନେଉଥିଲେ। ଏଥିସହ ଚାଷୀମାନେ ସେଠାକୁ ଆସିଲେ ସୁଦାନ ଘାସ, ସିରଟ୍ରା, ପାରା ଘାସ, ସୁବାବୁଲ୍, ସଜନା, ସେଣ୍ଟ୍ରାସୀମା ଓ ପୁସାଚାରି ଭଳି ବିଭିନ୍ନ ଗୋଖାଦ୍ୟ ଚାଷର ପ୍ରଣାଳୀ ବିଷୟରେ ତାଲିମ ପ୍ରଦାନ କରାଯାଉଥିଲା। କିନ୍ତୁ ସେହି କ୍ବାର୍ଟର୍ସ କାନ୍ଥ ଓ ଛାତ ଭାଙ୍ଗି ଯିବାରୁ କୌଣସି କର୍ମଚାରୀ ରହିପାରିନଥିଲେ। ଏଥିସହ କାର୍ଯ୍ୟାଳୟ ଗୃହ ମଧ୍ୟ ନଷ୍ଟ ହେବାରେ ଲାଗିଲା। ସ୍ବଳ୍ପ ବର୍ଷାରେ ସେଠାରେ ପାଣି ଗଳି ନଷ୍ଟ ହୋଇଗଲା। କର୍ମଚାରୀ ସେଠାରେ ନ ରହିବାରୁ ତିନି ବର୍ଷ ଘାସ ଓ ମକା ଚାଷ ପରେ ପୁଣି ଧୀରେ ଧୀରେ ତାହା ମଧ୍ୟ ବନ୍ଦ ହେବାରେ ଲାଗିଲା।

ଏବେ ପମ୍ପ ଖରାପ ହୋଇ ପଡିଛି ତାହାର ମରାମତି ହୋଇପାରୁ ନାହିଁ। କର୍ମଚାରୀ ପାଣି ପିଇବା ପାଇଁ ନଳକୂପର ସୁବିଧା ବି ନାହିଁ। ଘାସ ଚାଷ ହେଲେ ପାଣି ଯୋଗାଇବା ପାଇଁ ରହିଥିବା ପାଇପ ନଷ୍ଟ ହୋଇଗଲାଣି। ୨୦୧୭ରୁ ଚାଷ ନହୋଇ ସମସ୍ତ ଜମି ଟାଙ୍ଗରା ପାଲଟି ଯାଇଛି ଓ ଅନାବନା ଗଛ ଭର୍ତ୍ତି ହୋଇ ରହିଛି। ୬ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏସ୍‌ଏଏଫ୍‌ଡିଓ, ୨ ଜଣ ଏସ୍‌ଓ ଓ ଜଣେ ଚୌକିଦାର ଅଛନ୍ତି। ଭିତ୍ତିଭୂମିର ଅଭାବ ଯୋଗୁଁ ଘାସ ଚାଷ ହୋଇପାରୁ ନାହିଁ। ଫଳରେ ଚାଷୀ ଘାସ ଚାଷ ପାଇଁ ବିହନ ପାଇପାରୁ ନଥିବା ନେଇ ପ୍ରକାଶ କରିଛନ୍ତି।