ସ୍ବାଧୀନତାର ମହାନାୟକ: ପ୍ରଫୁଲ୍ଲ ଚନ୍ଦ୍ର ଚାକି

ପ୍ରଫୁଲ୍ଲ ଚାକି ଓରଫ ଦିନେଶ ଚନ୍ଦ୍ର ରାୟ ଜାତୀୟତାବାଦ ଓ କ୍ରାନ୍ତିକାରୀ ଆଦର୍ଶର ଜଣେ ମୂର୍ତ୍ତିମନ୍ତ ପ୍ରତୀକ। ୧୮୮୮ ଡିସେମ୍ବର ୧୦ରେ ସେ ତତ୍‌କାଳୀନ ବ୍ରିଟିସ୍ ଶାସନାଧୀନ ବେଙ୍ଗଲ ପ୍ରେସିଡେନ୍ସିର ବୋଗ୍ରା ଜିଲ୍ଲା (ଆଜିର ବାଂଲାଦେଶ ଅନ୍ତର୍ଗତ) ରେ ଜନ୍ମଗ୍ରହଣ କରିଥିଲେ। ଭାରତକୁ ସ୍ବାଧୀନ ରୂପରେ ଦେଖିବାର ତୀବ୍ର ଅଭିଳାଷ ଅଳ୍ପ ବୟସରୁ ତାଙ୍କ ମନରେ ଜମାଟ ବାନ୍ଧିସାରିଥିଲା। ରଙ୍ଗପୁର ନେସ୍‌ନାଲ୍‌ ସ୍କୁଲ୍‌ରେ ପଢ଼ିବା ବେଳେ ଜିତେନ୍ଦ୍ରନାରାୟଣ ରାୟ, ଅବିନାଶ ଚକ୍ରବର୍ତ୍ତୀ, ଈଶାନ ଚନ୍ଦ୍ର ଚକ୍ରବର୍ତ୍ତୀ ପ୍ରମୁଖଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଜଣେ ବିପ୍ଳବୀର ଜୀବନ ଜିଇଁବାକୁ ବାଛିଥିଲେ। ବିପ୍ଳବୀ ବାରିନ ଘୋଷଙ୍କ ପ୍ରସ୍ତାବକ୍ରମେ ସେ କୋଲକାତା ଯାଇ ଯୁଗାନ୍ତର ନାମକ କ୍ରାନ୍ତିକାରୀ ଗୋଷ୍ଠୀରେ ଯୋଗ ଦେଇଥିଲେ। ଏହି ସଂଗଠନରେ ଯୋଗ ଦେବା ପରେ ତାଙ୍କୁ ପ୍ରଥମେ ପୂର୍ବ ବଙ୍ଗ ଓ ଆସାମର ପ୍ରଥମ ଉପ-ରାଜ୍ୟପାଳ ସାର୍‌ ଜୋସେଫ ଫୁଲର୍‌ଙ୍କୁ ଗୁଳି କରିବାର ଦାୟିତ୍ବ ମିଳିଥିଲା। ଦୁର୍ଭାଗ୍ୟବଶତଃ ସାର୍‌ ଜୋସେଫଙ୍କ ଯାତ୍ରାସୂଚୀରେ ପରିବର୍ତ୍ତନ ହେବାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିଲା। ପ୍ରଫୁଲ୍ଲ ଚାକିଙ୍କୁ ୧୯୦୮ରେ ଦ୍ବିତୀୟ ସୁଯୋଗ ମିଳିଲା। ଏଥର ସଂଗଠନ ପକ୍ଷରୁ ପ୍ରଫୁଲ୍ଲ ଚନ୍ଦ୍ର ଚାକିଙ୍କୁ ଖୁଦିରାମ ବୋଷଙ୍କ ସହିତ ବିହାରର ମୁଜାଫରପୁର ଯାଇ ଆଉ ଜଣେ ବ୍ରିଟିସ୍‌ ଅଧିକାରୀ (ମାଜିଷ୍ଟ୍ରେଟ୍ କିଙ୍ଗସ୍‍ଫୋର୍ଡ)ଙ୍କୁ ହତ୍ୟା କରିବାର ଦାୟିତ୍ବ ଦିଆଯାଇଥିଲା। କିଙ୍ଗସ୍‌‍ଫୋର୍ଡ ପୂର୍ବରୁ ବଙ୍ଗ ପ୍ରଦେଶରେ କାର୍ଯ୍ୟରତ ଥିବା ବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ। ଏହାର ପ୍ରତିଶୋଧ ସ୍ବରୂପ ବିପ୍ଳବୀମାେନ କିଙ୍ଗସ୍‍ଫୋର୍ଡଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। କିନ୍ତୁ ବ୍ରିଟିସ୍ ପ୍ରଶାସନକୁ ଏ ସୂଚନା ମିଳିବା ପରେ ତାଙ୍କୁ ବିହାରକୁ ବଦଳି କରି ନିଆଯାଇଥିଲା। ତେଣୁ ଖୁଦିରାମଙ୍କ ସହିତ ପ୍ରଫୁଲ୍ଲ ଚାକି ମୁଜାଫରପୁର ଯାଇଥିଲେ।

ଅସଲ ପରିଚୟ ଗୋପନ ରଖିବା ପାଇଁ ପ୍ରଫୁଲ୍ଲ ‘ଦୀନେଶ ଚନ୍ଦ୍ର ରାୟ’ ନାମ ବ୍ୟବହାର କରିଥିଲେ। ୧୯୦୮ ଏପ୍ରିଲ ୩୦ରେ ସେମାନେ ଯୋଜନା ଅନୁସାରେ ଏକ ଘୋଡ଼ା ଗାଡ଼ି ଉପରକୁ ବୋମା ଫିଙ୍ଗି ଘଟଣାସ୍ଥଳରୁ ଖସିଯାଇଥିଲେ। ତେବେ କିଙ୍ଗସ୍‍ଫୋର୍ଡ ଆଉ ଏକ ଗାଡ଼ିରେ ଯାଉଥିବାରୁ ବର୍ତ୍ତିଯାଇଥିଲେ। ବିସ୍ଫୋରଣରେ ଜଣେ ବ୍ରିଟିସ୍ ବାରିଷ୍ଟରଙ୍କ ପତ୍ନୀ ଓ ଝିଅଙ୍କର ମୃତ୍ୟୁ ହୋଇଥିଲା। ଖୁଦିରାମ ଓ ପ୍ରଫୁଲ୍ଲ ଭିନ୍ନ ଭିନ୍ନ ବାଟରେ ଘଟଣାସ୍ଥଳରୁ ଖସିଯାଇଥିଲେ। ସମସ୍ତିପୁର ପହଞ୍ଚିବା ପରେ ପ୍ରଫୁଲ୍ଲଙ୍କୁ ଜଣେ ରେଳବାଇ କର୍ମଚାରୀ ଆଶ୍ରୟ ଦେଇଥିଲେ। ପର ଦିନ ମୋକାମା ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ସେ ଚଢ଼ିଥିଲେ। କିନ୍ତୁ ସମାନ ଟ୍ରେନ୍‌ରେ ଯାତ୍ରା କରୁଥିବା ନନ୍ଦଲାଲ ବାନାର୍ଜୀ ନାମକ ପୁଲିସ ଅଧିକାରୀ ତାଙ୍କ ଉପରେ ସନ୍ଦେହ କରିଥିଲେ। ଟ୍ରେନ୍‌ଟି ମୋକାମା ଷ୍ଟେସନ୍‌ରେ ପହଞ୍ଚିବା ପରେ ନନ୍ଦଲାଲ ପ୍ରଫୁଲ୍ଲଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ। ତେବେ ପ୍ରଫୁଲ୍ଲ ଚାକି ପୁଲିସ ହାତରେ ଧରା ପଡ଼ିବା ଅପେକ୍ଷା ଆତ୍ମହତ୍ୟାକୁ ଶ୍ରେୟସ୍କର ମଣିଥିଲେ। ସେ ପାଖରେ ରଖିଥିବା ରିଭଲ୍‌ଭର୍ ସାହାଯ୍ୟରେ ନିଜକୁ ଗୁଳି କରିଥିଲେ। ଏହି କ୍ରମରେ ୧୮୦୯ ମେ ୧ରେ ପ୍ରଫୁଲ୍ଲ ନିଜର ନାମକୁ ଦେଶର କନିଷ୍ଠତମ ସହିଦଙ୍କ ତାଲିକାରେ ସାମିଲ କରିଥିଲେ। ତାଙ୍କ ମୃତଦେହକୁ କୋଲକାତା ନିଆଯାଇଥିଲା। ସେଠାରେ ଖୁଦିରାମ ବୋଷ ତାଙ୍କୁ ଚିହ୍ନଟ କରିଥିଲେ। ପରେ ଖୁଦିରାମ ବୋଷଙ୍କୁ ମଧ୍ୟ ଫାଶି ଦଣ୍ଡ ଦିଆଯାଇଥିଲା।

ସମ୍ବନ୍ଧିତ ଖବର