ପୁରୀ: ଦିନକୁ ଦିନ ଶ୍ରୀମନ୍ଦିର ସେବାୟତଙ୍କ ଉତ୍ସୃଙ୍ଖଳିତ ବ୍ୟବହାର ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ଚରମ ବିଶୃଙ୍ଖଳା ହେଉଛି। ଦିନେ ଦିନେ ମହାପ୍ରଭୁ ଖାଡ଼ା ଓପାସରେ ରହୁଛନ୍ତି। ଗତକାଲିର ଘଟଣା କୋଟି କୋଟି ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି। ତଥାପି ଏହି ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ ବଳାଉନି ଶ୍ରୀମନ୍ଦିର ପ୍ରଶାସନ। ଗଣମାଧ୍ୟମ ଆଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ବାହାସ୍ଫୋଟ ମାରୁଛନ୍ତି ସତ, କିନ୍ତୁ ପରେ ସତେ ଯେପରି କେଉଁ ଅଦୃଶ୍ୟ ଚାପ ଆଗରେ ନିରବଦ୍ରଷ୍ଟା ସାଜୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ଆଚରଣକୁ ଭକ୍ତ ମହଲ ବି ତୀବ୍ର ସମାଲୋଚନା କରିଛନ୍ତି। ମହାପ୍ରଭୁ ବିଶ୍ବନିଅନ୍ତା। ତାଙ୍କ ସହ ଏଭଳି ବ୍ୟବହାର କରି କେବେ ବି କେହି କ୍ଷମା ପାଇବେନି ବୋଲି ଭକ୍ତ ମହଲ କ୍ଷୋଭର ସହ କହିବା ଆରମ୍ଭ କରି ଦେଲେଣି।

Advertisment

ଚଳିତବର୍ଷ ସେବକଙ୍କ ବିଶୃଙ୍ଖଳା ସୀମା ଟପିଛି। ସ୍ନାନଯାତ୍ରାରେ ସ୍ନାନମଣ୍ଡପ ଉପରେ ସେବାୟତଙ୍କ କଳି ପାଇଁ ସ୍ନାନ ବେଳେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ। ପାଣି ଢ଼ାଳିବା ନିୟମକୁ କେହି ମାନିଲେନି। ସ୍ନାନଯାତ୍ରାରେ ଏଭଳି ଅନେକ ବିଶୃଙ୍ଖଳା ଘଟିଲା। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହାର ସମୀକ୍ଷା ବୈଠକ ବସିଲା, କିନ୍ତୁ ଆଗକୁ ରଥଯାତ୍ରା ଥିବାରୁ କାଳେ ସେବାୟତମାନେ ଅସହଯୋଗ କରିବେ, ସେ ଦୃଷ୍ଟିରୁ ରଥଯାତ୍ରା ଓ ସ୍ନାନଯାତ୍ରା ଏକକାଳୀନ ସମୀକ୍ଷା କରିବାକୁ ନିଷ୍ପତ୍ତି ହୋଇଥିଲା। ସ୍ନାନଯାତ୍ରା ପରେ ରଥଯାତ୍ରାରେ ବି ଚରମ ବିଶୃଙ୍ଖଳା ହେଲା। ନନ୍ଦିଘୋଷ ଓ ଦର୍ପଦଳନ ରଥ ଦୁଇଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିବା ପରେ ବି ନୀତିକାନ୍ତିରେ ଅହେତୁକ ବିଳମ୍ବ କରାଗଲା। ଦିନସାରା ମହାପ୍ରଭୁ ରଥ ଉପରେ ଖାଡା ଉପାସରେ ରହିଲେ। କୌଣସି ନୀତିକାନ୍ତି କେହି କଲେନି। ବିବାଦ ମୁଣ୍ଡ ଟେକିବାରୁ ରାତିରେ ନୀତିକାନ୍ତି ଆରମ୍ଭ ହେଲା ଓ ମହାପ୍ରଭୁଙ୍କୁ ଭୋଗ ଲାଗି ହେଲା। ଏହା ପରେ ପରେ ଆଡ଼ପମଣ୍ଡପରେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ତିନି ରାତି ମହାପ୍ରଭୁ ଅନିଦ୍ରା ରହିଲେ।

ପହୁଡ଼ ହୋଇପାରିଲାନି। ପରେ ପରେ ବନକଲାଗିରେ ବି ବିଶୃଙ୍ଖଳା ଦେଖାଦେଲା। ଦଇତାପତି-ଦତ୍ତ ମହାପାତ୍ର ବିବାଦ କାରଣରୁ ବିଳମ୍ବିତ ରାତିରେ ବନକଲାଗି ହେଲା। ଯେଉଁଥିପାଇଁ ହେରାପଞ୍ଚମୀ ନୀତି ହେରାପଞ୍ଚମୀ ଦିନ ହୋଇ ନ ପାରି ପରଦିନ ହେଲା। ମା’ଲକ୍ଷ୍ମୀ ସାଆନ୍ତାଣୀ ପରଦିନ ସକାଳୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କଲେ। ପହଣ୍ଡି ବେଳେ ବି ଠାକୁରେ ଚାରମାଳ ଉପରେ ପଡ଼ିଗଲେ। ଏଭଳି ଅନେକ ବିଶୃଙ୍ଖଳା ଭିତରେ ରଥଯାତ୍ରା ଶେଷ ହେବା ପରେ ଠାକୁରେ ରତ୍ନବେଦିକୁ ବିଜେ କଲେ। କିନ୍ତୁ ରତ୍ନବେଦିରେ ବିଜେ ପରେ ବନକଲାଗିକୁ ନେଇ ବିବାଦ ଦେଖାଗଲା। ଗୁରୁବାର କି ବୁଧବାର ବନକଲାଗି ହେବ, ତାକୁ ନେଇ ବିବାଦ ଦେଖାଦେବାରୁ ନୀଳାଦ୍ରି ବିଜେର ମାସେ ପରେ ମହାପ୍ରଭୁ ବନକଲାଗି ହେଲେ। ସାରା ରାଜ୍ୟରେ ବି ଏହାକୁ ତୀବ୍ର ସମାଲୋଚନା କରାଗଲା।

ଏହି ବିବାଦ ଯାଇଛି କି ନାହିଁ, ଗତକାଲି ସିଂହାରୀ ନିଯୋଗ ନିଜ ନିଯୋଗର ବ୍ୟକ୍ତିଗତ କଳି ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରାୟ ୭ ଘଣ୍ଟା ଅଟକାଇ ଦେଲେ। ଗତକାଲି ସକାଳେ ମଙ୍ଗଳଆଳତି, ମଇଲମ ପରଠାରୁ ଆଉ କୌଣସି ନୀତି ବଢ଼ିଲାନି। ପ୍ରାୟ ୫ ଘଣ୍ଟାର ବୈଠକ ପରେ ଯାଇ ସକାଳ ନୀତି ଅପରାହ୍ଣ ପ୍ରାୟ ୨ଟା ପରେ ଆରମ୍ଭ ହେଲା। ଏହି କଳି କାରଣରୁ ଭକ୍ତ ବି ମହାପ୍ରସାଦରୁ ବଞ୍ଚିତ ହେଲେ। ଭକ୍ତମାନେ ପ୍ରଶ୍ନ କରିଛନ୍ତି, ଏହା ନିଯୋଗ କଳି। କାହାକୁ ସେବାରୁ ବାସନ୍ଦ କରିବେ ଓ ରଖିବେ, ତାହା ଶ୍ରୀମନ୍ଦିର କିମ୍ବା ମନ୍ଦିର ପ୍ରଶାସନର ଆଭ୍ୟାନ୍ତରିଣ ବ୍ୟାପାର ନୁହେଁ। ତଥାପି ମହାପ୍ରଭୁଙ୍କ ନୀତିକାନ୍ତିକୁ ଅଟକାଇ ରଖାଯିବା, ଆଦୌ ଗ୍ରହଣୀୟ ନୁହେଁ। ଏହି ଘଟଣା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଶୃଙ୍ଖଳା କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। କିନ୍ତୁ ଭକ୍ତ ମହଲ କହିଛନ୍ତି, ସେ ସ୍ନାନଯାତ୍ରା ହେଉ କି ରଥଯାତ୍ରା ଅବା ବନକଲାଗି, ସବୁଥର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ଏ ଭିତରେ ଦୁଇରୁ ତିନି ମାସ ଅତିକ୍ରମ କରି ସାରିଥିଲେ ବି କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଏଭଳି ସ୍ଥିତିରେ ଗତକାଲିର ନିଯୋଗ କଳି ପାଇଁ ନୀତିକାନ୍ତି ବିଳମ୍ବ ଘଟଣା ବି ନିଷ୍ଫଳ ଯିବ, କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଭକ୍ତ ମହଲ ତାତ୍ସଲ୍ୟ କରି କହିଛନ୍ତି।