ପୁରୁଷୋତ୍ତମପୁର: ଦକ୍ଷିଣ ଓଡିଶାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀ। ଭାରତର ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଅନ୍ୟତମ। ଗଞ୍ଜାମ ଜିଲ୍ଳା ପୁରୁଷୋତ୍ତମପୁର ନିକଟ ଋଷିକୁଲ୍ୟା ନଦୀତଟକୁ ଲାଗି ରହିଥିବା ଗୋବିନ୍ଦପୁର ଗ୍ରାମ ନିକଟ ରତ୍ନଗିରି ପାହାଡ଼ ଶିଖର ଉପରେ ମା’ ବିରାଜିତ। ଏହି ପୀଠ ସହ ଅନେକ କିମ୍ବଦନ୍ତୀ ଜଡ଼ିତ ହୋଇ ରହିଛି। ପିତା ଦକ୍ଷ ପ୍ରଜାପତିଙ୍କ ମୁଖରୁ ସ୍ବାମୀ ଶିବଙ୍କ ଅପମାନ ଶୁଣି ଦେବୀ ସତୀ ଯଜ୍ଞକୁଣ୍ଡରେ ନିଜକୁ ଆହୁତି ଦେଇଥିଲେ। କ୍ରୋଧାନ୍ବିତ ମହାଦେବ ଦେବୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ବହନ କରି ଯେତେବେଳେ ତାଣ୍ଡବ ନୃତ୍ୟ କରିଥିଲେ, ସେତେବେଳେ ସୃଷ୍ଟିକୁ ରକ୍ଷା କରିବାକୁ ଯାଇ ଭଗବାନ ଶ୍ରୀବିଷ୍ଣୁ ସୁଦର୍ଶନ ଚକ୍ର ସାହାଯ୍ୟରେ ସତୀଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରି ଶିବଙ୍କ ହାତରୁ ଝରାଇ ଦେଇଥିଲେ। ଦେବୀଙ୍କ ଦେହାବଶେଷ ପୃଥିବୀର ଯେଉଁ ଭାଗରେ ପଡ଼ିଲା, ସେଠାରେ କାଳକ୍ରମେ ଶକ୍ତିପୀଠ ଗଢ଼ି ଉଠିଥିଲା। ରତ୍ନଗିରି ପାହାଡ଼ ଉପରେ ଦେବୀ ସତୀଙ୍କ ସ୍ତନଯୁଗଳ ପଡ଼ିଥିବାରୁ ସେଠାରେ ମା’ ତାରାତାରିଣୀଙ୍କ ଆବିର୍ଭାବ ହୋଇଥିଲା। ସତ୍ୟଯୁଗରୁ ହିଁ ଏଠାରେ ମା’ଙ୍କ ପୂଜାର୍ଚ୍ଚନା ହେଉଥିବା ପୁରାଣରେ ବର୍ଣ୍ଣିତ ହୋଇଛି। ୧୨ ମାସରେ ୧୩ ପର୍ବ ସମେତ ମା’ ତାରାତାରିଣୀ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ଓ ଆଶ୍ବିନ ମାସରେ ୧୬ଦିନାତ୍ମକ ଶାରଦୀୟ ପୂଜାର ସ୍ବତନ୍ତ୍ରତା ରହିଛି।
ଆଶ୍ବିନ ମାସ ପବିତ୍ର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହୋଇଥାଏ। ଶାସ୍ତ୍ର ନୀତି ଅନୁସାରେ ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ମା’ ତାରାତାରିଣୀ ନିଦ୍ରା ଯାଇଥାନ୍ତି। ଇନ୍ଦ୍ରା ଉତ୍ସବ ପୂର୍ଣ୍ଣମୀରେ ମା’ଙ୍କ ପାର୍ଶ୍ବ ପରିବର୍ତ୍ତନ ସହ ଆଶ୍ବିନ ଶୁକ୍ଳପକ୍ଷ ମୂଳାଷ୍ଟମୀରେ ନିଦ୍ରା ଭଙ୍ଗ କରାଯାଇ ସ୍ନାନ ବେଦିରେ ସହସ୍ର କୁମ୍ଭଜଳରେ ଅଭିଷେକ କରାଯାଇଥାଏ। ପରମ୍ପରା ଅନୁସାରେ ସେବାୟତ ପରିବାରର ମହିଳାମାନେ ପବିତ୍ର ଋଷିକୁଲ୍ୟାର ଖୁଦେଶ୍ବର ଶୈବପୀଠ ନଦୀଘାଟରୁ ୧୦୮ ଜଳ କଳସ ଆଣିଥା’ନ୍ତି। ମା’ ତାରାତାରିଣୀଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ନାନବେଦିକୁ ଅଣାଯାଇଥାଏ। ସେଠାରେ ଜଳାଭିଷେକ ସମ୍ପନ୍ନ ହୋଇଥାଏ। ପରେ ମା’ଙ୍କ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା ଓ ଷୋଡ଼ଶ ଉପଚାର କରାଯାଇ ପ୍ରାତଃ ଚଣ୍ତୀପାଠ କରାଯାଇଥାଏ।
ବଳିଭୋଗ, ବାଳଧୂପ ଭୋଗ, ମଧ୍ୟାହ୍ନଭୋଗ, ରାତ୍ରଭୋଗ ଓ ବଡ଼ସି˚ହାର ଭୋଗ ଅର୍ପଣର ପରମ୍ପରା ରହିଛି। ସେହିପରି ଅଖଣ୍ତ ପ୍ରଦୀପ ବି ପ୍ରଜ୍ଜ୍ବଳନ ସହ ପ୍ରତିଦିନ ସେବାୟତଙ୍କ ଦ୍ବାରା ବିଭିନ୍ନ ପୂଜାର୍ଚ୍ଚନା ଏବଂ ଦୈନିକ ୨ ଥର ଚଣ୍ଡୀପାଠ କରାଯିବା ସହ ଘୃତଯଜ୍ଞ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ବେଶରେ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ମହାଷ୍ଟମୀରେ ମା’ଙ୍କ ମହାକାଳୀ ବେଶ ହୁଏ। ଷୋଡ଼ଶ ପୂଜାଠୁ ଆରମ୍ଭ କରି ବିଜୟାଦଶମୀ ପର୍ଯ୍ୟନ୍ତ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମା’ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପାଇଁ ସେବାୟତ ନିୟୋଜିତ ହୋଇଥା’ନ୍ତି। ଏଥିପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ କର୍ତ୍ତା ଭାବେ ମୁଖ୍ୟ ସେବାୟତ ତପନ କୁମାର ରଣା ଓ ବାପୁଜୀ ରଣା ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ମୁଖ୍ୟ ପୁରୋହିତ ନୀଳମାଧବ ତ୍ରିପାଠୀ ଓ ତାଙ୍କ ସହଯୋଗୀମାନେ ପୁରୋହିତ ଦାୟିତ୍ବ ତୁଲାଉଛନ୍ତି।