ପୁରୀ: ଦିନକ ପରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ଏଥିପାଇଁ ୧୦୮ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଛି ଧରାଧାମ। ମନ୍ତ୍ରପାଠରେ ଆହୁତି ଦେଇ ଯଜ୍ଞ ନାରାୟଣଙ୍କୁ କରାଯାଇଛି ଆବାହନ। ଶ୍ରୀମନ୍ଦିର ଚାରିଦ୍ବାରରେ ବେଦପାଠୀଙ୍କ ଚାରି ବେଦପାଠ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଛି ଚାରିଦିଗ। ଜୟ ଜଗନ୍ନାଥ ଧ୍ବନୀରେ ମୁଖରିତ ହୋଇଛି ଖଣ୍ଡମଣ୍ଡଳ। ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆଜିଠାରୁ ଆରମ୍ଭ ହୋଇଛି ତିନିଦିନିଆ ଭବ୍ୟ ମହାଯଜ୍ଞ। ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଆସି ମୁଖ୍ୟ ଯଜ୍ଞକୁଣ୍ଡରେ ସଂଯୋଗ ପରେ ଦିଆଯାଇଛି ଘୃତ ଆହୁତି। ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇଥିବା ଆଜିର ମହାଯଜ୍ଞ ପର୍ବ ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ ହୋଇଛି। ପୁନର୍ବାର ୧୬ ତାରିଖରେ ସୂର୍ଯ୍ୟୋଦୟ ପରେ ସୂର୍ଯ୍ୟପୂଜା ଓ ଅନ୍ୟାନ୍ୟ ବିଧି ସହ ଯଜ୍ଞକୁଣ୍ଡରେ ଆହୁତି ଦିଆଯିବ।

Advertisment

ଶ୍ରୀକ୍ଷେତ୍ର ହୋଇଛି ଉତ୍ସବମୁଖର ଓ ଶ୍ରୀଜଗନ୍ନାଥ ମନସ୍କ ହୋଇଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏହି ଭବ୍ୟ ଆୟୋଜନକୁ ଚର୍ମଚକ୍ଷୁରେ ଦେଖିବା ପାଇଁ ଆରମ୍ଭ ହୋଇଛି ଭକ୍ତଙ୍କ ଭିଡ଼। ଲୋକାର୍ପଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପକୁ ପ୍ରଦକ୍ଷିଣ କରି ଅନୁଭବ କରୁଛନ୍ତି ଭବ୍ୟ ଆନନ୍ଦ। ଆଜି ବି ଏଥିପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଚୌହଦୀ ସହ ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ଆଜି ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ମହାଯଜ୍ଞ ପର୍ବ। ପ୍ରଥମେ ଅଖଣ୍ଡ ଦୀପ ସ୍ଥାପନ ପରେ ପଞ୍ଚକର୍ମ ସହ ମହାଯଜ୍ଞ ପାଇଁ ଷୋହଳ ଶାସନର ୪୮ଜଣ ଆଚାର୍ଯ୍ୟଙ୍କୁ ବରଣ ବିଧି ସଂପନ୍ନ ହୋଇଥିଲା। ଅପରାହ୍ଣ ପ୍ରାୟ ୩ଟାରେ ଅଗ୍ନିସଂସ୍କାର ବିଧି ସଂପନ୍ନ ହୋଇଥିଲା। ଯଜ୍ଞବେଦିରେ ମୁଖ୍ୟ ଯଜ୍ଞକୁଣ୍ଡ ସହ ଯଜ୍ଞବେଦିର ଚାରିଦିଗରେ ଚାରିଟି ଯଜ୍ଞକୁଣ୍ଡ ନିର୍ମିତ ହୋଇଥିଲା। ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣମାନେ ରୋଷଶାଳାରୁ ଅଗ୍ନି ଆଣି
ମୁଖ୍ୟ ଯଜ୍ଞକୁଣ୍ଡ ସହ ଅନ୍ୟ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରିଥିଲେ। ପରେ ଘୃତାହୁତି, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ବିଧି ଅନୁଷ୍ଠିତ ହୋଇଥିଲା।

ଏହି ସମୟରେ ଚାରିଦ୍ବାରରେ ବେଦପାଠୀଙ୍କ ବେଦପାଠ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପ୍ରଦକ୍ଷିଣ ବେଳେ ନାମ ସଂକୀର୍ତ୍ତନ ଦଳ ବରଣୀୟ ବ୍ରାହ୍ମଣମାନଙ୍କୁ ପାଛୋଟି ନେଇଥିଲେ। ଦିନତମାମ ଆଜି ଶ୍ରୀମନ୍ଦିର ଚାରିପାଖରେ ବେଦପାଠ ସହ ନାମ ସଂକୀର୍ତ୍ତନ ଭକ୍ତିପୂତ ପରିବେଶ ସୃଷ୍ଟି କରିଥିଲା।
ଆସନ୍ତାକାଲି ସକାଳ ସାଢ଼େ ୭ଟାରୁ ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଲାପ୍ରବେଶ ସହ ଯଜ୍ଞ, ଆରତି, ପୁଷ୍ପାଞ୍ଜଳି ଆଦି ବିଧି ଅନୁଷ୍ଠିତ ହେବ। ଆଜି ଭଳି ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ।