ବନ ବିଭାଗ ପକ୍ଷରୁ ଗ୍ରିନ୍‌ ମହାନଦୀ ବନ ଉଦ୍‌ଘାଟନ ହେଲା, ବନର ଭବିଷ୍ୟତ ନେଇ ଲୋକେ ଦ୍ଵନ୍ଦରେ

ବିନା ସୂଚନାଫଳକରେ ୫୦ ଲକ୍ଷ ଖର୍ଚ୍ଚ ନେଇ ସନ୍ଦେହ

କେସିଙ୍ଗା: କେସିଙ୍ଗା ତେଲନଦୀ ନିକଟସ୍ଥ ବନ୍ୟାପ୍ଲାବିତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଗ୍ରିନ୍‌ ମହାନଦୀ ବନର (ପାର୍କ) ମଙ୍ଗଳବାର ଉଦ୍‌ଘାଟନ୍‌ କରାଯାଇଛି। ରେଳ ବିଭାଗ ଦେଇଥିବା ଆସ୍ଥାୟୀ ଅନୁମତି ଜମିରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ପାର୍କ ନିର୍ମାଣ କରାଯାଇଛି। ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ଲୋକସଭା ସାଂସଦ ବସନ୍ତ ପଣ୍ଡା ପାର୍କର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ଡିଏଫଓ ଉପସ୍ଥିତ ଦେଇଥିଲେ।

ପାର୍କର ଉଦ୍‌ଘାଟନ ପରେ ଏହାର ଭବିଷ୍ୟତ ନେଇ ଲୋକେ ଦ୍ୱନ୍ଦରେ ଅଛନ୍ତି। ବୃକ୍ଷରୋପଣ ନାଁରେ ଅନୁମତି ମାଗି ପରବର୍ତ୍ତୀ ସମୟରେ ପାର୍କ ନିର୍ମାଣ ନେଇ ଆରମ୍ଭରୁ ଏହି ପାର୍କ ବିବାଦୀୟ ହୋଇପଡ଼ିଥିଲା। ଏହି ଯୋଜନା ଉପରେ ରେଳ ବିଭାଗ ବହୁ ଦିନ ଧରି ରୋକ ଲଗାଇଥିଲା। ପରେ ସର୍ତ୍ତ ରଖି ଆସ୍ଥାୟୀ ଅନୁମତି ଦେଇଥିଲା। ସର୍ତ୍ତ ଅନୁସାରେ ରେଳ ବିଭାଗ କାର୍ଯ୍ୟରେ ଏହି ସ୍ଥାନ ଯେବେ ଦରକାର ହେବ ସେ ସମୟରେ ବିଭାଗ ଏହାକୁ ଭାଙ୍ଗିଦେବ। ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାର୍କ ନିର୍ମାଣ କରାଯାଇଛି। କେଉଁ ଅନୁଦାନରୁ ଏହି ପାର୍କ ନିର୍ମାଣ ହେଉଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର କୌଣସି ସୂଚନା ବିଭାଗ ପକ୍ଷରୁ ଦିଆଯାଇ ନାହିଁ। ଏଣୁ ଖର୍ଚ୍ଚକୁ ନେଇ ଲୋକେ ସନ୍ଦେହ ସୃଷ୍ଟି କରିଛନ୍ତି। ପାର୍କକୁ ଲୋକ ଦେଖାଣିଆ ଭାବେ ଚାକଚକ୍ୟ କରାଯାଇଛି। କିନ୍ତୁ ଭଲ ବାଡ଼ ନିର୍ମାଣ ହୋଇନାହିଁ, ପାର୍କରେ ପର୍ଯ୍ୟାପ୍ତ ପରିମାଣରେ ଗଛ ମଧ୍ୟ ନାହିଁ। ଛୋଟ ପିଲାଙ୍କୁ ଲକ୍ଷ୍ୟ କରି ନିର୍ମାଣ କରାଯାଇଥିଲେ ମଧ୍ୟ ପାର୍କରେ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇ ନାହିଁ।

ପାର୍କ ପାର୍ଶ୍ବରେ ଆବର୍ଜନା ଭର୍ତ୍ତି ହୋଇଛି, ଯେଉଁଥିରେ ସରୀସୃପ ଆଦି ରହୁଥିବାର ଦେଖିବାକୁ ମିଳୁଛି। ସେହିଭଳି ପାଣି ଜମି ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଭିଜିଲାନ୍ସ କେସ୍‌ରେ ବିବାଦୀୟ ହୋଇପଡ଼ିଥିବା କେସିଙ୍ଗା ରେଞ୍ଜରଙ୍କ ଦାୟିତ୍ୱରେ ଏହି ପାର୍କ ହୋଇଥିବାରୁ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିନା ସୂଚନାରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯିବାକୁ ଚେଷ୍ଟା କରାଯାଇଥିବାରୁ ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ଯେହେତୁ ଏହା ସରକାରୀ ଯୋଜନା ଗଣମାଧ୍ୟମକୁ ସୂଚନା ଦେବାର ଆବଶ୍ୟକତା ଥିଲା ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ। ଏନେଇ ବିଭାଗୀୟ ରେଞ୍ଜରଙ୍କୁ ଫୋନ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ। ଉତ୍ତର ବନଖଣ୍ଡ ଡିଏଫଓ ନୀତିଶ କୁମାର କହିଥିଲେ ଯେ ଆମେ ପାଣି ଜମା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବୁ। ସୂଚନାଫଳକ ନଲାଗିଥିବା ନେଇ ପଚାରିବାରୁ ଏଥିପାଇଁ ୫୦ ଲକ୍ଷ ଖର୍ଚ୍ଚ ହୋଇଛି ଏବଂ କରୋନା ପାଇଁ କାହାକୁ ଡକାଯାଇନଥିବା କହିଛନ୍ତି। ଅନ୍ୟପଟେ ଉଦ୍‌ଘାଟନ ସମୟରେ ବହୁ ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର