ସୁଭଦ୍ରାଙ୍କ ମୁଖ୍ୟ ବିଶ୍ବକର୍ମାଙ୍କ ଦୁଃଖ, ନବକଳେବର ପାଉଣା ଏବେ ବି ମିଳିନି

ପୁରୀ : ନବକଳେବରରେ କାମ କଲେ। ଦାରୁ ବିଗ୍ରହ ନିର୍ମାଣ କଲେ। କେବଳ ଶ୍ରୀଜିଉଙ୍କ ଦାରୁ ବିଗ୍ରହ ନିର୍ମାଣ କଲେନି, ଗଜପତି ମହାରାଜଙ୍କ ଶ୍ରୀନଅର ବିଗ୍ରହ ବି ନିର୍ମାଣ କଲେ। ଇତିମଧ୍ୟରେ ୭ ବର୍ଷ ବିତିଗଲାଣି, କିନ୍ତୁ ନବକଳେବର ବାବଦ ପାଉଣା ମିଳିନାହିଁ। ବାରମ୍ବାର ଚିଠି ଲେଖିଛନ୍ତି, ମୁଖ୍ୟ ପ୍ରଶାସକଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି। କିନ୍ତୁ କେହି ଅଭିଯୋଗ ଶୁଣିବାକୁ ନାରାଜ। ସବୁବେଳେ କେବଳ ମିଛ ପ୍ରତିଶ୍ରୁତି ଦେଇ ଭଣ୍ଡାଉଛନ୍ତି। ପାଉଣା ଦେବା ବଦଳରେ ବୟସ ଗଡ଼ିଲାଣି କହି ତାତ୍ସଲ୍ୟ କରୁଛନ୍ତି। ରଥ ନିର୍ମାଣରେ ସବୁଠୁ ଅଧିକ ଅଭିଜ୍ଞତା ରଖିଥିବା ଓ ମୁଖ୍ୟ ବିଶ୍ବକର୍ମା ଭାବେ ତିନି ମୁଖ୍ୟ ବିଶ୍ବକର୍ମାଙ୍କ ଭିତରେ ସବୁଠୁ ଅଧିକ ବର୍ଷ କାମ କରି ସାରିଥିବା ମା’ ସୁଭଦ୍ରାଙ୍କ ବାଡ଼ର ମୁଖ୍ୟ ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣା ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅପମାନ ବୋଲି ବି ସେ କ୍ଷୋଭର ସହ କହିଛନ୍ତି।

ଶ୍ରୀ ମହାରଣା କହିଛନ୍ତି, ୨୦୧୫ ମସିହା ନବକଳେବର ସମୟରେ ମୁଁ ବନଯାଗ ଯାତ୍ରାରେ ଯିବିନି ବୋଲି ମନା କରୁଥିଲି। କିନ୍ତୁ ତତ୍କାଳୀନ ପ୍ରଶାସକ ସୁରେଶ ମହାପାତ୍ର ମୋତେ ବାଧ୍ୟ କରି ବନଯାଗ ଯାତ୍ରାରେ ପଠାଇଲେ। ମୁଁ କାକଟପୁର ଦେଉଳି ମଠକୁ ଚାଲି ଚାଲି ଯିବି ବୋଲି କହିଥିଲି। ତା’ ବି ହେଲା। ମୁଁ ଚାଲି ଚାଲି ଦାରୁ ଅନ୍ବେଷଣକୁ ଗଲି ଓ ଚାଲି ଚାଲି ଫେରିଲି। ପରେ ଦାରୁ ବିଗ୍ରହ ବି ନିର୍ମାଣ କଲି। ଦାରୁ ବିଗ୍ରହ ନିର୍ମାଣ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ମୋତେ ୨୦ହଜାର ଟଙ୍କା ପାଉଣା ଦେବାର ଥିଲା। ସେ ସମୟରେ ଗଜପତିଙ୍କ ଶ୍ରୀନଅର ବିଗ୍ରହ ତିଆରି କରିଥିଲି, ଏ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ୬ହଜାର ଟଙ୍କା ପାଉଣା ଦେବାର ଥିଲା। କିନ୍ତୁ ନବକଳେବର ବିଭ୍ରାଟ ପରଠାରୁ ଏହି ପାଉଣାକୁ ପକାଇ ରଖିଛନ୍ତି।

ଏ ନେଇ ବହୁ ଥର ଲେଖି ଜଣାଇଛି। ସୁରେଶ ମହାପାତ୍ରଙ୍କୁ ବହୁବାର କହିଛି। ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ବି ଅଭିଯୋଗ ଜଣାଇଲି। ଶ୍ରୀମନ୍ଦିର ପରିଚାଳନା ବୈଠକରେ ବି ଏହି ପ୍ରସଙ୍ଗ ଉଠିଲା। ପ୍ରଦୀପ ଜେନା ୨୬ହଜାର ଟଙ୍କା ବାକିଆ ପାଉଣା ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶକୁ ବି ଅଣଦେଖା କରାଗଲା।ଏବେ ମୋତେ ୮୫ ଡେଇଁଲାଣି। ‌ଆଉ କେତେଦିନ ମହାପ୍ରଭୁଙ୍କ ସେବା କରିବି ଜାଣିନି। କିନ୍ତୁ ମୋର ୭ ବର୍ଷ ତଳର ଏହି ପାଉଣା ବାକି ରଖିବା ମନକୁ ବହୁତ କଷ୍ଟ ଦେଇଛି ବୋଲି ଶ୍ରୀ ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର