ପ୍ରଥମ ପତ୍ନୀଙ୍କୁ ଛାଡ଼ି ଦ୍ବିତୀୟ ବିବାହ ଉଦ୍ୟମ; ବରକୁ ଉଠାଇ ନେଲା ପୁଲିସ, ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ କନ୍ୟା

ବ୍ରଜରାଜନଗର/କୁଚିଣ୍ଡା : ପ୍ରଥମ ପତ୍ନୀଙ୍କୁ ପ୍ରେମ ବିବାହ କଲେ। ବର୍ଷେ ପରେ ତାଙ୍କୁ ଛାଡ଼ି ଦ୍ବିତୀୟ ବିବାହ କରୁଥିଲେ। ପ୍ରଥମ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଦ୍ବିତୀୟ ବିବାହ ବନ୍ଦ କରିବା ସହିତ ବରକୁ ଉଠାଇ ନେଇଛି। ଏପଟେ ମାନସିକ ଭାରସାମ୍ୟ ହରାଇ କନ୍ୟା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛି। ବୁଧବାର ଏହି ଘଟଣା ଲଖନପୁର ସମେତ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପଲଟିଛି।

ସୂଚନା ଅନୁଯାୟୀ ଲଖନପୁର ଥାନା ଅନ୍ତର୍ଗତ ଜୟବୁଡ଼ିଆ ଗ୍ରାମର ଲତିକା ପଟାଙ୍କୁ ବିବାହର ବର୍ଷକ ପରେ ସ୍ୱମୀ ବିଦ୍ୟାଧର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏହା ସହିତ ସେ ଦ୍ୱିତୀୟ ବିବାହ ପାଇଁ ଯୋଜନା କରୁଥିବା ଲତିକା ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ଲତିକାଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏପଟେ ୧୩ ତାରିଖରେ ବିଦ୍ୟାଧର ଦ୍ବିତୀୟ ବିବାହ କରୁଥିବା ଖବରପାଇ ପୁଲିସ ଦେବଗଡ ଜିଲ୍ଲା ବିଦ୍ୟାଧର ଗ୍ରାମକୁ ଯାଇଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ବିଦ୍ୟାଧର କୁଚିଣ୍ଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବୁଧବାର ଦିନ ବିବାହ କରିବାକୁ ଯାଉଛି। ଲଖନପୁର ପୁଲିସ ଏହି ଖବର ପାଇବା ପରେ ସଙ୍ଗେ ସଙ୍ଗେ କୁଚିଣ୍ଡା ପୁଲିସକୁ ଜଣାଇଥିଲା। କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦ୍ବିତୀୟ ବିବାହ କରୁଥିବା ବିଦ୍ୟାଧରକୁ ଉଠାଇ ଆଣିଥିଲା। ମାନସିକ ଭାରସାମ୍ୟ ହରାଇ କନ୍ୟା ଜଣକ ବିଷ ଖାଇ ଦେଇଥିଲେ। ଯୁବତୀଙ୍କୁ ସଙ୍ଗେ ସଙ୍ଗେ ଲଇଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯୁବତୀ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। ଲଖନପୁର ପୁଲିସ ବିଦ୍ୟାଧରକୁ ଲଖନପୁର ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବିଦ୍ୟାଧର ଓ ଲତିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ୨୦୧୯ ଅକ୍ଟୋବର ମାସରେ ଲପଙ୍ଗା ଶିବ ମନ୍ଦିରରେ ଉଭୟ ବିବାହ କରିଥିଲେ। ବିବାହ ପରେ ଉଭୟ ବେଲପାହାଡ଼ ଗାନ୍ଧୀନଗରରେ ଭଡ଼ାଘରେ ରହୁଥିଲେ। ବିଦ୍ୟାଧର ଏକ ଟେଣ୍ଟ ହାଉସରେ କାମ କରୁଥିଲେ। ୨୦୨୦ ଡିସେମ୍ବର ମାସରେ ବିଦ୍ୟାଧରଙ୍କ ବାପା ଓ ମା’ ଆସି ଲତିକାଙ୍କୁ ଗାଳିଗୁଲଜ କରି ଜୀବନରରୁ ମାରି ଦେବାକୁ ଧମକ ଦେବା ସହ ବିଦ୍ୟାଧର ଜୀବନରୁ ଦୂରେଇ ଯିବାକୁ କହିଥିଲେ। ପରବର୍ତୀ ସମୟରେ ବିଦ୍ୟାଧର ମଧ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା। ଶେଷରେ ଘରୁ ଚାଲି ଯିବାକୁ  ଧମକ ଦେଇଥିଲା। ପରେ ସୁଯୋଗ ଦେଖି ବିଦ୍ୟାଧର ଲତିକାଙ୍କୁ ଛାଡ଼ି ପଳାଇଥିଲେ। ଲତିକା ଗାଁକୁ ଯିବା ପରେ ସେଠାରେ ବିଦ୍ୟାଧରଙ୍କୁ ପାଇ ନଥିଲେ। ଏବେ ସେ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ଖବର ପାଇ ଲତିକା ଥାନାର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର