ଯାଜପୁରସଦର: ଯାଜପୁର ଜିଲ୍ଲାରେ ତାପମାତ୍ରା ବଢ଼ୁଥିବା ବେଳେ ପାନୀୟ ଜଳ ଯନ୍ତ୍ରଣା ଆରମ୍ଭ ହେଲାଣି। ନଦୀନାଳ ଘେରା ଏହି ଜିଲ୍ଲାର କେତେକ ଅଞ୍ଚଳରେ ଲବଣଯୁକ୍ତ ଭୂତଳ ଜଳ ବାହାରୁଥିବାରୁ ତାହା ଲୋକଙ୍କ ଶୋଷ ମେଣ୍ଟାଇବାରେ ସମସ୍ୟା ହେଉଛି। ଏହି ସଂକଟ ଜିଲ୍ଲାର ୩ଟି ବ୍ଲକ୍ରେ ଅଧିକ ଉତ୍କଟ ହେଉଛି।
ପ୍ରକାଶ ଯେ, କେନ୍ଦ୍ର ଭୂତଳ ଜଳ ବିଭାଗ ପକ୍ଷରୁ ୧୯୯୫ ରୁ ୨୦୦୧ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡ଼ିକରେ ଲବଣତା ସଂପର୍କିତ ସର୍ଭେ କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ ଜିଲ୍ଲାର ୩ଟି ବ୍ଲକ୍ ବରୀ, ବିଂଝାରପୁର ଓ ଦଶରଥପୁର ଆଶିଂକ ଲବଣାକ୍ତ ବ୍ଲକ୍ ଭାବେ ଚିହ୍ନଟ ହୋଇଥିଲା। ଏହି ରିପୋର୍ଟକୁ ରାଜ୍ୟ ସରକାର ଗୁରୁତ୍ବ ନଦେବାରୁ ଯୋଗୁଁ ୨୨ ବର୍ଷ ହେଲା ଲୋକମାନେ ଜଳସେଚନ ଓ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି। ଜଳ ସଂପଦ ବିଭାଗର ରିପୋର୍ଟ ଅନୁସାରେ ଜିଲ୍ଲାର ବରୀ, ବିଂଝାରପୁର ଓ ଦଶରଥପୁର ବ୍ଲକ୍ ଅଞ୍ଚଳରେ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଏହି ଅଞ୍ଚଳର ଭୂତଳ ଦୂରତା ସମୁଦ୍ର ନିକଟତର ରହିଛି। ଫଳରେ ଭୂତଳ ଜଳ ଲବଣାକ୍ତ ହେଉଛି। ବରୀ ବ୍ଲକ୍ର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ବୀପାଞ୍ଚଳ ଲବଣାକ୍ତ ହୋଇଥିବାରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ଅଞ୍ଚଳରେ ମାଟି ଅଳ୍ପ ଖୋଳି ଦେଲେ ଲୁଣି ପାଣି ବାହାରୁଛି। ବରୀର ମୋଟ ୧୮୧୦୨ ହେକ୍ଟର ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୪୨୦୯ ହେକ୍ଟର ଅଞ୍ଚଳ ଲୁଣି ପାଣି କବଳରେ ରହିଛି। ସେହିପରି ଦଶରଥପୁରର ୧୯୩୮୨ ହେକ୍ଟର ଅଞ୍ଚଳରୁ ୮୭୦୦ ହେକ୍ଟର ଏବଂ ବିଂଝାରପୁରର ୧୯୩୮୦ ହେକ୍ଟର ଅଞ୍ଚଳରୁ ୬୪୫୮ ହେକ୍ଟର ଅଞ୍ଚଳର ଭୂତଳ ଜଳ ଲବଣାକ୍ତ। ସର୍ଭେ ଅନୁସାରେ ଏହି ଅଞ୍ଚଳର ଭୂତଳ ଜଳ କୃଷି ଏବଂ ପାନୀୟ ଉପଯୋଗୀ ନୁହେଁ। ବରୀ ବ୍ଲକ୍ର ରତ୍ନଗିରି, ମହାକାଳପଡ଼ା, ମନ୍ଦାରୀ ଓ ଅମଠପୁର ଆଦି ପଞ୍ଚାୟତର ହଜାରହଜାର ଲୋକ ସମସ୍ୟା ଭୋଗୁଛନ୍ତି। ଜଳସମ୍ପଦ ବିଭାଗ ମଧ୍ୟ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସମସ୍ୟାର ସମାଧାନ ହେଉନି। ବରୀ ବ୍ଲକ୍ରେ ଭୂତଳ ପାଇପ୍ଲାଇନ୍ ବ୍ୟବସ୍ଥା ଜରିଆରେ ଜଳ ଯୋଗାଣ କରିବାକୁ ଯୋଜନା ହୋଇଛି। ଅପରପକ୍ଷରେ ଦଶରଥପୁର ଓ ବିଂଝାରପୁର ଅଞ୍ଚଳରେ ପୁନଃଭରଣ ସୁଡ଼ଙ୍ଗ ଜରିଆରେ ଲବଣାଂଶ ହ୍ରାସ କରିବା ସହ ଭୂତଳ ଜଳ ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଥିବା ଜଳସଂପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡା କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି।