ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଭୂତଳ ଜଳସ୍ତର ତଳମୁହାଁ ହେବାରେ ଲାଗିଛି। ମନଇଚ୍ଛା ଜଳ ଉତ୍ତୋଳନ ଯୋଗୁଁ ଏହାର ପ୍ରଭାବ ସିଧା ଭୂତଳ ଜଳସ୍ତର ଉପରେ ପଡ଼ୁଛି। ସମୁଦ୍ର ଉପକୂଳ ହୋଇଥିବାରୁ ଅନେକ ସ୍ଥାନରେ ଭୂତଳ ଜଳ ଲୁଣିଆ ହେବାରେ ଲାଗିଛି। ସେହିପରି କେତେକ ସ୍ଥାନରେ ଭୂତଳ ଜଳରେ ଅଧିକ ପରିମାଣରେ ଲୌହ ଅଂଶ ରହୁଛି। ଅଳ୍ପ ଗଭୀରରେ ପିଇବା ପାଣି ମିଳିବା ମୁସ୍କିଲ ହୋଇପଡ଼ୁଛି। ପ୍ରାୟ ୭୦୦ ଫୁଟ ଗଭୀର ଖୋଳିଲେ ଯାଇ ମଧୁର ଜଳ ମିଳୁଛି। ଆଗକୁ ଏହି ପରିସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ଆଶଙ୍କା କରାଯାଉଛି।
ଜିଲ୍ଲାରେ ଭୂତଳ ଜଳର ଏଭଳି ସଙ୍ଗିନ ସ୍ଥିତି ଏବେ ମୁଖ୍ୟତଃ ଭୋଗରାଇ, ବାଲିଆପାଳ ଓ ବାଲେଶ୍ବର ସଦର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଥିରେ ୭୦ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀ ପ୍ରଭାବିତ ହେଉଛନ୍ତି। ପ୍ରଭାବିତ ପଞ୍ଚାୟତଗୁଡ଼ିକ ମଧ୍ୟରେ ଭୋଗରାଇର ଜୟରାମପୁର, ଶ୍ରଦ୍ଧାପୁର, ଟୁକୁରିହାଜିରା, କଖଡ଼ା, ଜଳସୁହୁରିଆ, ପାଣିଷଣ୍ଢା, ବାଜିତପୁର, ଗୋଛିଦାତେଘରୀ, ସୁହୁରିଆ, ଅନଳିଆ, ହୁଗୁଳି, ସାହାବାଜିପୁର, କାନ୍ଥିଭଉଁରି, ନିମାତପୁର, ମନ୍ଦାରସାହି, ଏନ୍ଏମ୍ପଡ଼ିଆ, କୁମ୍ଭାରୀଗଡ଼ି ଭଳି ପଞ୍ଚାୟତ ରହିଥିବା ବେଳେ ବାଲିଆପାଳ ବ୍ଲକର ବିଷ୍ଣୁପୁର, ବୋଳଂ, ସାଉଡ଼ି, ଜମ୍ଭୀରାଇ, ପଞ୍ଚୁପାଲି, ଚଉମୁଖ, ଡଗରା ଭଳି ପଞ୍ଚାୟତ। ଏଠାରେ ଭୂତଳଜଳ ଲୁଣିଆ ହେବାରେ ଲାଗିଛି।
୭୦ରୁ ଅଧିକ ପଞ୍ଚାୟତରେ ଭୟଙ୍କର ସ୍ଥିତି
୭୦୦ ଫୁଟ ଖୋଳିଲେ ମିଳୁଛି ମଧୁରଜଳ
ସେହିପରି, ବାଲେଶ୍ବର ସଦର ବ୍ଲକ ଅଧୀନରେ କଷାଫଳ, ଆଳୁମେଦା, ସାର୍ଥା, ପଞ୍ଚୁପଡ଼ା, ଛାନୁଆ, ବାହାବଳପୁର, ପରିଖି, ଦୁବୁଲାଗଡ଼ି, ଗୋପୀନାଥପୁର, କୁରାଡିହା, ସିନ୍ଧିଆ, ବଇଁଚା, ରସୁଲପୁର, ଓଲନ୍ଦାସାରଗାଁ, ଶ୍ରୀରାମପୁର, ଓଡ଼ିଙ୍ଗୀ, ଚାନ୍ଦିପୁର, ଶ୍ରୀକୋଣା, ପାତ୍ରପଡ଼ା, ଗୁଡ଼ୁପାହି, ଜୟଦେବକସବାପାହି, ବର୍ଦ୍ଧନପୁର, ରସାଳପୁର ଆଦି ପଞ୍ଚାୟତ ରହିଥିବା ବେଳେ ରେମୁଣା ବ୍ଲକ ଅଧୀନରେ ଥିବା ତାଳପଦା, ଭୀମପୁରା, ତୁଣ୍ଡୁରା, ଇଞ୍ଚୁଡ଼ି ଭଳି ୮ରୁ ୧୦ ପଞ୍ଚାୟତରେ ଭୂତଳ ଜଳ ସମସ୍ୟା ଉତ୍କଟ ରୂପ ନେଲାଣି। ବିଶେଷକରି, ଖରାଦିନରେ ଲୋକେ ପିଇବାପାଣି ମୁନ୍ଦାଏ ଏହି ଅଞ୍ଚଳରେ ପାଇବା ପାଇଁ ନାହିଁ ନଥିବା ହଇରାଣ ହୋଇଥାନ୍ତି। ଏହିସବୁ ଅଞ୍ଚଳରେ ଜଳ ସଂରକ୍ଷଣ ସମେତ ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ସରକାର ପୂର୍ବରୁ ବିଭିନ୍ନ ଯୋଜନା କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନି।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜିଲ୍ଲାର ଏହି ଅଞ୍ଚଳରେ ଅଧିକ ପରିମାଣର ଚାଷ କରାଯାଉଥିବା ବେଳେ ଅଧିକାଂଶ ଚାଷୀ ସେମାନଙ୍କ ଜମିରେ ବୋରୱେଲ୍ ଖୋଳିଛନ୍ତି। ଗୋଟିଏ ଗୋଟିଏ ଗାଁରେ ୫୦ରୁ ୬୦ଟି ଲେଖାଏଁ ପାଣିମୋଟର ବସାଯାଇ ମାଟିତଳୁ ଜଳ ଟାଣୁଛନ୍ତି।
ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସମୀର ରଂଜନ ଦେ କହିଛନ୍ତି ବାଲେଶ୍ବର ଜିଲ୍ଲାରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଏବେ ଲୋକଙ୍କୁ ଗାଁ ଗାଁରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ଚାଲିଥିବା ମେଗା ପ୍ରକଳ୍ପଗୁଡ଼ିକ ପାଖାପାଖି ୭୦୦/୮୦୦ ଫୁଟ ଗଭୀର ଯାଏଁ ଖୋଳିବାକୁ ପଡ଼ୁଛି। ନହେଲେ ମଧୁର ପାନୀୟଜଳ ପାଇବା ମୁସ୍କିଲ ହୋଇପଡ଼ୁଛି। ବିଶେଷକରି ଉପକୂଳ ଅଞ୍ଚଳରେ ସମୁଦ୍ରର ଲୁଣିପାଣି ଅଧିକାଂଶ ସମୟରେ ସ୍ଥଳଭାଗକୁ ପ୍ରବେଶ କରିବା, ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରିବା ଏବଂ ତା’ର ପୁନଃଭରଣା କରାନଯିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଶୁଖିଗଲା ଚିରସ୍ରୋତା ସପ୍ତଧାରା, ମରୁଭୂମିର ଭ୍ରମ
ମାଲକାନଗିରି: ଚିରସ୍ରୋତା ସପ୍ତଧାରା ଏବେ ଶୁଷ୍କ। ନଦୀରେ ଟୋପାଏ ବି ପାଣି ନାହିଁ। ଯୁଆଡ଼େ ଦେଖିବ ଖାଲି ପଥର। ଏକଦା ବର୍ଷ ତମାମ ଏହି ନଦୀରେ ଜଳସ୍ରୋତ କମୁନଥିଲା। ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲା। ସମୟ ସ୍ରୋତରେ ନଦୀ ଶୁଖିଲା ପଡ଼ିବା ପରେ ପୂର୍ବ ଭଳି ଆଉ ପର୍ଯ୍ୟଟକଙ୍କ ଭିଡ଼ ଜମୁନି। ଖରାରେ ପାଣି ଟୋପାଏ ପାଇଁ ବନ୍ୟଜନ୍ତୁ ବି ଡହଳବିକଳ ହୋଇ ପଡ଼ୁଛନ୍ତି। ୭ଟି ପାହାଡ଼ିଆ ନଦୀର ସଂଗମ ହେଉଛି ସପ୍ତଧାରା। ମାଲକାନଗିରି ଜିଲ୍ଲାର ଆରମ୍ଭରେ ଏହି ନଦୀ ପ୍ରବାହିତ ହେଉଛି। କୋରାପୁଟ ଜିଲ୍ଲାର ମାଛକୁଣ୍ଡରୁ ବାହାରି ବୈପାରିଗୁଡ଼ା ବ୍ଲକର ବାଙ୍କୁଲି, ମାଝିଗୁଡ଼ା ଦେଇ ମାଲକାନଗିରି ଜିଲ୍ଲାର ଖଇରପୁଟ, ମାଥିଲି ବ୍ଲକ ହୋଇ କିଆଙ୍ଗଠାରେ କୋଲାବ ନଦୀରେ ମିଶିଛି। ପ୍ରାୟ ୪୫ କିମି ଲମ୍ବା ଏହି ନଦୀ ବର୍ତ୍ତମାନ ଶୁଖିଲା ପଡ଼ିଛି।
ନଦୀର ଓସାର ପ୍ରାୟ ଦେଢ଼ ଶହ ମିଟର ରହିଥିବା ବେଳେ କିଛି ସ୍ଥାନରେ ୨୦୦ ମିଟର ରହିଛି। ଏହି ନଦୀର ବିଭିନ୍ନ ସ୍ଥାନରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଗାଜିଆଗୁଡ଼ା, ମେଣ୍ଡକୁଲି, ଚାଲାଣଗୁଡ଼ା, ଦଗାମ, ଧୁଙ୍ଗିଆପୁଟ ଭଳି ସ୍ଥାନରେ ଜଳସେଚନର ସୁବିଧା କରାଯାଇଛି। ନଦୀ ଉପର ମୁଣ୍ଡରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବନ୍ଧ ବନ୍ଧାଯିବା ଏବଂ ନଦୀ ତଟରେ ବ୍ୟାପକ ନୀଳଗିରି ଗଛ ଲଗାଯିବା ନଦୀ ଶୁଖିଲା ପଡ଼ିବାର ମୁଖ୍ୟ କାରଣ ପାଲଟିଛି। ବର୍ଷା ଦିନେ ଉପରମୁଣ୍ଡରେ ବର୍ଷା ହେଲେ ନଦୀରେ ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷାରେ ୩୨୬ ନମ୍ବର ଜାତୀୟ ରାଜପଥକୁ ଲାଗି ନଦୀ ଜଳ ପ୍ରବାହିତ ହେଉଥିବାରୁ ବହୁ ସମୟ ଧରି ଯାତାୟାତ ଠପ୍ ହୋଇ ପଡ଼ୁଛି। ବର୍ଷା ଋତୁ ପରେ ନଦୀ ଜଳସ୍ରୋତ କମି ଯାଉଥିବା ବେଳେ କିଛି ସ୍ଥାନରେ ଅଳ୍ପ କିଛି ପାଣି ରହୁଛି। ଏଥିସହ ସପ୍ତଧାରାରେ ମିଶୁଥିବା ୭ଟି ପାହାଡ଼ିଆ ନଦୀ ମଧ୍ୟ ଏବେ ଶୁଷ୍କ ହୋଇ ପଡ଼ିଲାଣି। ୨୦୧୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସପ୍ତଧାରାର ଅନନ୍ୟ ସୌନ୍ଦର୍ଯ୍ୟ ସମ୍ପର୍କରେ ସାଟେଲାଇଟ୍ ଫଟୋକୁ ଅପ୍ଲୋଡ୍ କରିଥିଲେ। ସପ୍ତଧାରାରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ଘୋଷଣା କରିଥିଲେ। ଯାହା ଘୋଷଣାରେ ସୀମିତ ରହିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/26/Kkfmr8FVWI5Xb4ZYL8Fz.jpg)