ଭୁବନେଶ୍ୱର : ସହରାଞ୍ଚଳରେ ପରିମଳ ବ୍ୟବସ୍ଥା ହେଉ ବା ବର୍ଜ୍ୟ ପରିଚାଳନା, ସବୁଥିରେ ଗୋଷ୍ଠୀ ସହଭାଗିତା ହିଁ ପ୍ରମୁଖ ଅଙ୍ଗ। ଏଣୁ ଉଭୟ ବ୍ୟବସ୍ଥାରେ ଲକ୍ଷ୍ୟ ପୂରଣ ପାଇଁ ଗୋଷ୍ଠୀ ସହଭାଗିତାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌। ଆଜି ସହରାଞ୍ଚଳ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସମୀକ୍ଷା ବୈଠକରେ ସେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିବା ସହ ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ, ଏମ୍‌ସିସି ଓ ଏମ୍‌ଆରଏଫ୍‌ଗୁଡ଼ିକର ସୁପରିଚାଳନା, ବସ୍ତି ଅଞ୍ଚଳରେ ଶତ ପ୍ରତିଶତ ‘ମୋ ଶୌଚାଳୟ’ ନିର୍ମାଣ, ଆକାଂକ୍ଷୀ ଶୌଚାଳୟ ଓ ‘ଲୁ’ ନିର୍ମାଣ ଏବଂ ମୌସୁମୀ ପୂର୍ବରୁ ଡ୍ରେନରୁ ପଙ୍କୋଦ୍ଧାର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଓଡ଼ିଶାର ସହରାଞ୍ଚଳ ପରିମଳ ଓ ବର୍ଜ୍ୟ ପରିଚାଳନାରେ ଗୋଷ୍ଠୀ ସହଭାଗିତା ମଡେଲ୍‌କୁ ସମସ୍ତ ପୌରସଂସ୍ଥା ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ୧୫ରୁ ଊର୍ଦ୍ଧ୍ବ ପ୍ରସଙ୍ଗରେ ସମୀକ୍ଷା ହୋଇଥିଲା। ସମସ୍ତ ପୌରସଂସ୍ଥା ଗୋଷ୍ଠୀ ସହଭାଗିତାକୁ ଭିତ୍ତି କରି ଏପ୍ରିଲ୍ ୨୦୨୩ ରୁ ମାର୍ଚ୍ଚ ୨୦୨୪ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ପ୍ରତି ଘରୁ ବର୍ଜ୍ୟ ସଂଗ୍ରହ ସୁନିଶ୍ଚିତ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ସେମାନଙ୍କ ତ୍ରୁଟି ସମ୍ପର୍କରେ ସଚେତନ କରାଇବେ। ଗୋଷ୍ଠୀ ସହଭାଗୀ ଓ ଟ୍ୟୁଲିପ୍ ସହଯୋଗୀମାନଙ୍କୁ ପୌରସଂସ୍ଥା ପ୍ରତି ମାସ ୭ ତାରିଖ ମଧ୍ୟରେ ପ୍ରାପ୍ୟ ପ୍ରଦାନ କରିବେ। ବଜାର ଅଞ୍ଚଳ ଓ ଅନ୍ୟ ଗହଳି ସ୍ଥାନ ନିୟମିତ ସଫା ହେବ। ସ୍ୱଚ୍ଛ ସାଥୀ ଓ ସୁପରଭାଇଜର୍‌ମାନଙ୍କର ନିୟମିତ ସମୀକ୍ଷା ହେବ। ଏମସିସି ଓ ଏମ୍ଆର୍‌ଏଫ୍‌ର ସାମର୍ଥ୍ୟ ବଢ଼ିବ।

ସାଇକେଲ୍ ଓ ୟୁନିଫର୍ମ ପାଇନଥିବା ସମସ୍ତ ଗୋଷ୍ଠୀ ସହଭାଗୀଙ୍କୁ ତୁରନ୍ତ ଏସବୁ ପ୍ରଦାନ କରାଯିବ। ମୌସୁମୀ ଆସିବା ପୂର୍ବରୁ ‘ମୋ ଖତ’ ଆବଶ୍ୟକତା ବାବଦରେ ଜଣାଇବା ପାଇଁ ବିଭିନ୍ନ ବିଭାଗକୁ ଅବଗତ କରାଯିବ। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରେ ଉତ୍ତମ ପ୍ରଦର୍ଶନ ସହ ଉତ୍ତମ ସ୍ଥାନ ହାସଲ ପାଇଁ ସମସ୍ତ ପୌରସଂସ୍ଥା ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବର୍ଜନକୁ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ଗରିମା’ ପ୍ରକଳ୍ପ ଅଧୀନରେ ସମସ୍ତ ପ୍ରମୁଖ ପରିମଳ କର୍ମୀଙ୍କୁ ପରିଚୟ ପତ୍ର ପ୍ରଦାନ ସହ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବାକୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଉପସ୍ଥିତ ଥିଲେ।