କଲେଜକୁ ଅତିଥି ଅଧ୍ୟାପକ ଭରସା, ଯୁକ୍ତ୨ ଓ ଯୁକ୍ତ୩ରେ ହଜାର ହଜାର ଅଧ୍ୟାପକ ନାହାନ୍ତି

୨୦୨୨-୨୩ରେ ଯୁକ୍ତ୨ କଲେଜରେ ନିଯୁକ୍ତି ଲାଗି ବିଜ୍ଞପ୍ତି

ଭୁବନେଶ୍ବର : ସରକାରୀ କଲେଜରେ ପଢ଼ାଇବାକୁ ଅଧ୍ୟାପକ ନାହାନ୍ତି। କେଉଁଠି ଅତିଥି ଅଧ୍ୟାପକରେ କାମ ଚାଲିଛି ତ ଆଉ କେ‌ଉଁଠି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଆଣି ବସାଇବାକୁ ଯୋଜନା ହୋଇଛି। ଏମିତି କିଛି ବିଭାଗ ରହିଛି ଯେଉଁଠି ଜଣେ ଦୁଇ ଜଣ ଅଧ୍ୟାପକରେ ପାଠପଢ଼ା ଚାଲିଛି। ବର୍ଷ ବର୍ଷ ବିତି ଯାଉଥିଲେ ମଧ୍ୟ ପଦ ପୂରଣ ହେବାର ନାଁ ଗନ୍ଧ ଧରୁନି। ଗୋଟିଏ କି ଦୁଇଟି ନୁହେଁ, ସବୁ ଜିଲ୍ଲାର ସମସ୍ତ କଲେଜରେ ଅଧ୍ୟାପକ ଅଭାବ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ଭୁବନେଶ୍ବରର ବିଜେବି କଲେଜ ହେଉ କି ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ। ସବୁଠି ଗୋଟିଏ ସମସ୍ୟା। ଅଧ୍ୟାପକ ନ ଥିବାରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁ ନାହିଁ। ପାଠପଢ଼ା ଠିକ୍‌ ଭାବେ ହେଉନି କି ପରୀକ୍ଷା ଫଳ ଭଲ ହେଉ ନାହିଁ। ବିଭିନ୍ନ ସମୟରେ ନିଯୁକ୍ତି ପ୍ରକ୍ରିୟା କରାଯାଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ। କାରଣ ପ୍ରତିବର୍ଷ ଯେତିକି ଅଧ୍ୟାପକ ନିଯୁକ୍ତି ହେଉଛନ୍ତି ତାହାର ଦୁଇ ଗୁଣ ଅବସର ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ୨୦୨୨-୨୩ ଶିକ୍ଷାବର୍ଷରେ ବି କଲେଜଗୁଡ଼ିକୁ ଅତିଥି ଅଧ୍ୟାପକଙ୍କ ଉପରେ ଭରସା କରିବାକୁ ପଡ଼ିବ।

ସରକାରୀ କଲେଜ ଅବସ୍ଥା ଏବେ ସାଂଘାତିକ ରୂପ ଧାରଣ କଲାଣି। ସରକାରୀ ତଥ୍ୟ କହୁଛି ସ୍ବୟଂଶାସିତ ମହାବିଦ୍ୟାଳୟ, ଡିଗ୍ରି ଓ ଜୁନିଅର ସରକାରୀ କଲେଜ ଲାଗି ମଞ୍ଜୁର ହୋଇଥିବା ୨ ହଜାର ୭୪୪ଟି ଅଧ୍ୟାପକ ପଦ ମଧ୍ୟରୁ ୧୨୦୦ରୁ ଅଧିକ ପଦ ଖାଲି ପଡ଼ିଛି। ଚଳିତବର୍ଷ ପାଖାପାଖି ୧୫୦୦ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ୨୦୨୨-୨୩ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥର ବି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ଅତିଥି ଅଧ୍ୟାପକ ନିଯୁକ୍ତ କରିବେ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶାବଳୀ ପ୍ରସ୍ତୁତ ହେଉଛି। ଅଧ୍ୟାପକ ଚୟନ ପାଇଁ କଲେଜର ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯିବ। ଏଥିରେ ବିଭାଗୀୟ ମୁଖ୍ୟ, ଅନ୍ୟ ବିଭାଗର ଜଣେ ବରିଷ୍ଠ ଅଧ୍ୟାପକ, ବିଷୟ ବିଶେଷଜ୍ଞ ସଦସ୍ୟ ରହିବେ। ଅଧ୍ୟାପକ ହେବା ଲାଗି କେଉଁ ଯୋଗ୍ୟତା ଆବଶ୍ୟକ, କେତେ ସମୟ ପାଇଁ ନିଯୁକ୍ତି ପାଇବେ, ପ୍ରତି ମାସରେ କେତେ କ୍ଲାସ ନେବେ, କେତେ ଦରମା ପାଇବେ ସେନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିବ।

ସରକାରୀ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଅଧ୍ୟାପକଙ୍କ ଅଭାବ ଅବସ୍ଥା ମଧ୍ୟ ତଦୃପ। ପର୍ଯ୍ୟାପ୍ତ ନିୟମିତ ଅଧ୍ୟାପକ ନ ଥିବାରୁ ଏଥର ବି ଅତିଥି ଅଧ୍ୟାପକ ନିଯୁକ୍ତି ପାଇବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର ଆୟାର କହିଛନ୍ତି ଯେ ଯେଉଁମାନେ ନିଯୁକ୍ତି ପାଇବେ ସେମାନେ ନୂତନ ଶିକ୍ଷାବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। କେବଳ ନିୟମିତ ପାଠ୍ୟକ୍ରମ ଲାଗି ଏହି ନିୟମ ଲାଗୁ ହେବ। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ କ୍ଷେତ୍ରରେ ଅତିଥି ଅଧ୍ୟାପକ ନିଯୁକ୍ତ ହେବେ ନାହିଁ। ୨୦୧୮ ନିର୍ଦେଶନାମା ଅନୁଯାୟୀ ଅତିଥି ଅଧ୍ୟାପକଙ୍କୁ ଦରମା ଦିଆଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ଚୟନ ହୋଇଥିବା ଅତିଥି ଅଧ୍ୟାପକ ତାଲିକା ମଧ୍ୟରୁ ମେରିଟ୍‌ ଆଧା‌ରରେ ଏବର୍ଷ ବଛାଯିବେ। ଏଥିସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରୁ ଅବସରପ୍ରାପ୍ତ ନେଇଥିବା ଅଧ୍ୟାପକଙ୍କୁ ମଧ୍ୟ ସୁଯୋଗ ମିଳିବ। ପ୍ରତି କ୍ଲାସ ପାଇଁ ଅତିଥି ଅଧ୍ୟାପକଙ୍କୁ ୪୦୦ ଟଙ୍କା ଲେଖାଏ ପାରିଶ୍ରମିକ ମିଳିବ। ଚଳିତ ମାସ ଶେଷ ସୁଦ୍ଧା କେତେ ଅତିଥି ଅଧ୍ୟାପକ ନିୟୋଜିତ ହେବେ ସେନେଇ ଧାର୍ଯ୍ୟ ଫର୍ମାଟରେ ନିର୍ଦେଶାଳୟ ନିକଟରେ ରିପୋର୍ଟ ଦାଖଲ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ଗତ ମେ’ ମାସରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ ଯେ ଏସଏସବି ଦ୍ୱାରା ୯୭୨ଜଣ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୩୮ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ୨୯୨ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯିବ। ୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷାବର୍ଷରେ ୧୫୧୦ ଜଣଙ୍କୁ ଏସଏସବି ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। ୨୦୨୦ରେ ୮୦୯ ଜଣ ନିଯୁକ୍ତି ପାଇଥିଲେ। ଗତ ତିନି ବର୍ଷ ମଧ୍ୟରେ ୪୨୫୫ଟି ଅଧ୍ୟାପକ ଏବଂ ଅଧ୍ୟାପିକା ପଦବି ପାଇଁ ବିଭିନ୍ନ କ୍ଷେତ୍ରରେ ପୋଷ୍ଟିଙ୍ଗ ଲାଗି ବ୍ୟବସ୍ଥା କରାଯାଇଛି। ୨୦୮୧ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇ ସାରିଲାଣି। ବାକି ସବୁ ପ୍ରକ୍ରିୟା ଚାଲିଛି। ଏହି ସବୁ ପଦବି ପୂରଣ ହେବା ପରେ, ଆଉ ଯେଉଁ ପଦବି ଖାଲି ଅଛି ତା’ର ତାଲିକା ଆସିବା ପରେ ସେଗୁଡ଼ିକ ପୂରଣ କରାଯିବ। କେବେ ଏହି ପ୍ରକ୍ରିୟା ସରିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର