ଉଦଳା : ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଅଧିକ ଘନୀଭୂତ ହେଉଥିବା ବେଳେ ସବୁଦିନ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୌମ୍ୟଙ୍କ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବଙ୍ଗଳାରୁ ମିଳିଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଏକ ହାତଲେଖା ଚିଠି ଘଟଣାକୁ ଆହୁରି ରୋଚକ କରିଛି।
ଏକ କମଳା ରଙ୍ଗର କାଗଜକୁ ୨ ଭାଗରେ ଭାଙ୍ଗି ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଚିଠିଟି ଲେଖାଯାଇଛି। ଏଥିରେ ବାମପାର୍ଶ୍ବରେ ଲେଖା ଅଛି, ‘ଦୁନିଆରେ ମୁଁ ତୁମକୁ ସବୁଠାରୁ ବେଶି ଘୃଣା କରେ। ଭଗବାନ ଦୟା କରି ମୋର ସମସ୍ତ ଭୁଲ୍କୁ କ୍ଷମା କରନ୍ତୁ। ମୋ ଜୀବନ ନଷ୍ଟ କରନ୍ତୁ ନାହିଁ। କେମିତି ଆଉ ୩ ଦିନ ଦିନ କଟିବ, ୧୨ରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଲେଖାଯାଇଛି। ସେହିପରି ଡାହାଣ ପାର୍ଶ୍ୱରେ ଲେଖାଅଛି ‘ଆଇ ହେଟ୍ ଦିସ୍ ମ୍ୟାନ୍ ମୋଷ୍ଟ’ (ମୁଁ ଏହି ମଣିଷକୁ ଘୃଣା କରେ) ଏମିତିକି ମୋ ନାଁ ସହିତ ତାଙ୍କ ନାଁ ଯୋଡ଼ିବାକୁ ମଧ୍ୟ ଘୃଣା କରେ। ଗୋଟିଏ ନିଷ୍ପତ୍ତି ଜୀବନକୁ ବରବାଦ କରିଦିଏ ଏବଂ ମୋର ଗୋଟିଏ ବୋକା ନିଷ୍ପତ୍ତି ମୋ ଜୀବନକୁ ନଷ୍ଟ କରିଦେଲା। ଦୟା କରି ଜୀବନ ସାରା ମୋ ପାଇଁ କଷ୍ଟ ଲେଖି ଦିଅନି। କାହାର କ୍ଷତି କେବେ କରିନି। କାହାର କ୍ଷତି କେବେ ଚାହିଁନି। କଣ ପାଇଁ ମୋ ସହ ଏମିତି ହେଉଛି ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।
କେଉଁ ପରିସ୍ଥିତିରେ ବିଦ୍ୟାଭାରତୀ ଏହି ଚିଠି ଲେଖିଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବିଦ୍ୟାଭାରତୀ ନିଜେ ଏ ସଂପର୍କରେ ମୁହଁ ଖୋଲିଛନ୍ତି। ସୌମ୍ୟଙ୍କର ଅନ୍ୟ ଝିଅ ସହିତ ସମ୍ପର୍କ ଥିବାର ଜାଣିବା ପରେ ଅବସାଦରେ ଥାଇ ଏ ଚିଠି ସେ ଲେଖିଥିଲେ। ଏହା କାହା ଉଦ୍ଦେଶ୍ୟରେ ଲେଖିନଥିଲେ ବୋଲି ସେ କହିଛନ୍ତି। ତେବେ ପୂରା ଘଟଣାକ୍ରମକୁ ଦେଖିଲେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଦାମ୍ପତ୍ୟ ଜୀବନରେ ସନ୍ଦେହର ଝଡ଼ ସୃଷ୍ଟି ହୋଇ ସାରିଥିଲା ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି। ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ଏବଂ ଫରେନସିକ୍ ରିପୋର୍ଟ ଆସିଲେ ବହୁ ରହସ୍ୟ ଉପରୁ ପରଦା ଉଠିବାର ଆଶା କରାଯାଉଛି।
ଅନ୍ୟପଟେ ଆସନ୍ତାକାଲି ସୌମ୍ୟଙ୍କ ଦଶାହ କର୍ମ। ପରିସ୍ଥିତିକୁ ଦେଖିଲେ ବିଦ୍ୟାଭାରତୀ ନିଜ ଶ୍ୱଶୁର ଘରକୁ ଯିବାର ସମ୍ଭାବନା କମ୍। ତେବେ ଝିଅକୁ ଶ୍ୱଶୁର ଘରୁ ଡାକରା ଆସିନଥିଲେ ମଧ୍ୟ ଉପଯୁକ୍ତ ସମୟରେ ସେମାନେ ଆସି ତାଙ୍କୁ ନେଇଯିବେ ବୋଲି କଥା ଦେଇଥିବା ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା କହିଛନ୍ତି।