କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଦଗୁଦା ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରୁ ଜଣେ ଅଜଣା ବୃଦ୍ଧଙ୍କ ଝୁଲନ୍ତା ଶବ ପୁଲିସ୍ ଉଦ୍ଧାର କରିଛି। ସୂଚନାନୁସାରେ ରାଜପଥ ପାର୍ଶ୍ବରେ ଥିବା ଜାମୁନାଳ ନିକଟରେ ଥିବା ଏକ ଗଛରେ ସାଇକେଲ ଟ୍ୟୁବ ସାହାଯ୍ୟରେ ଜଣେ ବୃଦ୍ଧଙ୍କ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆତ୍ମହତ୍ୟା ନା ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତା’ର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି।
ବୃଦ୍ଧଙ୍କ ପରିଚୟ ମିଳି ନଥିବାରୁ ବ୍ୟବଚ୍ଛେଦ ପରେ ଶବକୁ ଚିହ୍ନଟ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଶବାଗାରରେ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖାଯିବ। ଉକ୍ତ ସମୟ ମଧ୍ୟରେ କେହି ଦାବିଦାର ନ ଆସିଲେ ପୁଲିସ ପକ୍ଷରୁ ଶବ ସତ୍କାର କରାଯିବ ବୋଲି ଭାରପ୍ରାପ୍ତ ଥାନାଧିକାରୀ ତୋଳାରାମ ମହାନନ୍ଦ ସୂଚନା ଦେଇଛନ୍ତି।