ମ. ରାମପୁର/କର୍ଲାମୁଣ୍ଡା: ପୁଲିସ ହେଫାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଏଭଳି ଘଟଣାକୁ ନେଇ କଳହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ଗୋଚ୍ଛାଡେଙ୍ଗେନ ପଂଚାୟତ ତେନ୍ତୁଳିକୁପା ଗାଁରେ ଘଟିଥିବା ନେଇ ସଂଗିନ ଅଭିଯୋଗ ହୋଇଛି।
ଏହି ଗାଁର ସୁଦାମ ଭୋଇ (୨୭)ଙ୍କୁ ୨ଦିନ ତଳେ ଚୋରି ଘଟଣାରେ ସଂପୃକ୍ତି ସନ୍ଦେହରେ ଘରୁ ଉଠାଇ ନେଇଥିଲା ରିଷିଡ଼ା ଫାଣ୍ଡି ପୁଲିସ। ତେବେ ସୁଦାମ ଆଉ ଘରକୁ ଫେରି ନ ଥିଲେ। ଏ ସମ୍ପର୍କରେ ତାଙ୍କ ବାପା ବୈଶାଖୁ ଭୋଇ ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କୁ ପଚାରିବାରୁ ସେ ସୁଦାମଙ୍କୁ ଛାଡ଼ି ଦେଇଥିବା କହିଥିଲେ। ତେବେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଗୋଛାଡେଙ୍ଗେନ୍ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହାପରେ ବୁଧବାର ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ପୁଲିସ ହେପାଜତରେ ଥିବା ସୁଦାମଙ୍କ ମୃତ୍ୟୁ କେମିତି ହେଲା, ସେ ନେଇ ଗାଁ’ ଲୋକେ ସନ୍ଦେହ କରିଛନ୍ତି। ଏହାକୁ ନେଇ ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ତଦନ୍ତ ପାଇଁ ଯାଇଥିବା ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ଓ ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କୁ ତେନ୍ତୁଳିକୁପାରେ କିଛି ସମୟ ଅଟକ ରଖିଥିଲେ ଗ୍ରାମବାସୀ। ତେବେ ଉତ୍ତେଜନା ବଢୁଥିବା ଦେଖି କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଗାଁର ଆଦିବାସୀ ନେତା ଲୋଚନ ଧରୁଆ ଦାବି କରିଥିଲେ, ‘ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ କାହିଁକି ଓ କେଉଁ ପରିସ୍ଥିତିରେ ସୁଦାମକୁ ଘରୁ ଉଠାଇ ନେଇଥିଲେ ଏବଂ ଥାନା ହାଜତରେ ଥିବାବେଳେ କିଭଳି ତାଙ୍କ ମୃତଦେହ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା, ସେ ସମ୍ପର୍କରେ ସିଏ ଗାଁ’କୁ ଆସି ସ୍ପଷ୍ଟୀକରଣ ନ ରଖିଲେ ଆପଣଙ୍କୁ ଛାଡ଼ିବୁ ନାହିଁ।’ ତେବେ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ବୁଝାଶୁଝା କରିବା ପରେ ତା’ଙ୍କୁ ଛାଡ଼ି ଦେଇଥିଲେ ଗ୍ରାମବାସୀ। ଏହାପରେ ଲୋକଙ୍କୁ ବୁଝାଇ ପୁଲିସ ମୃତଦେହକୁ ଗଛରୁ ଓହ୍ଲାଇ ମ. ରାମପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନେଇଥିଲା। ତା’ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଥାନାଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି, ‘ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ।’ ତେବେ ସୁଦାମ ଜଣେ ଗାଡ଼ି ମେକାନିକ ହୋଇଥିବା ବେଳେ ତା’ଙ୍କ ରୋଜଗାର ଉପରେ ପରିବାରର ୬ ସଦସ୍ୟ ନିର୍ଭର କରୁଥିଲେ। ପରିବାର ଲୋକଙ୍କ କହିବା କଥା, ସୁଦାମଙ୍କୁ ମାରି ଦିଆଯାଇଛି। ସେମାନେ ସିଧାସଳଖ ଫାଣ୍ଡି ଅଧିକାରୀ ଶ୍ରୀ ମାଝୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପୁଲିସ ଉପରେ ଚାପ ବଢୁଛି।