ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ହନୁମାନଙ୍କ ପ୍ରତିମୂର୍ତ୍ତି, ରାଣୀସତୀ ମନ୍ଦିର

ମନ୍ଦିରମାଳିନୀ ହନୁମାନ ବାଟିକା

ରାଉରକେଲା: ମନ୍ଦିରମାଳିନୀ ହନୁମାନ ବାଟିକା। ସ୍ମାର୍ଟସିଟି ରାଉରକେଲା ନୁହେଁ, ପଶ୍ଚିମ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ। ବାଟିକାର ଅନ୍ୟତମ ଆକର୍ଷଣ ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ୭୪ ଫୁଟ୍‌ ୯ ଇଞ୍ଚର ଉଚ୍ଚର ହନୁମାନଙ୍କ ପ୍ରତିମୂର୍ତ୍ତି। ହନୁମାନ ପ୍ରତିମୂର୍ତ୍ତିରୁ ପର୍ଯ୍ୟଟନସ୍ଥଳୀର ନାଁ ହୋଇଛି ‘ହନୁମାନ ବାଟିକା’। ୨୮ ବର୍ଷରେ ପଦାର୍ପଣ କରିଥିବା ବାଟିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ। କାରଣ ଗୋଟିଏ କି ଦୁଇଟି ନୁହେଁ ୨୧ଟି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ରହିଛି ବାଟିକାରେ।

ବାଟ ମଙ୍ଗଳା ମନ୍ଦିର, ଗଣେଶ ମନ୍ଦିର, ପର୍ଶୁରାମ ମନ୍ଦିର, ଶାରଳା ମନ୍ଦିର, ମା’କାଳୀ ମନ୍ଦିର, ମା’ ସମଲେଶ୍ବରୀ ମନ୍ଦିର,  ମା’ ଚର୍ଚ୍ଚିକା ମନ୍ଦିର, ଦ୍ବାଦଶ ଚତୁର୍ଲିଙ୍ଗ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ଜନ୍ନାଥ ମନ୍ଦିର ରହିଛି। ସେମିତି ସାଇ ବାବା,  ସନ୍ତୋଷୀ ମା’, ମା’ ବୈଷ୍ଣୋଦେବୀ, ପାର୍ବତୀ ମନ୍ଦିର,  ଶିବ ମନ୍ଦିର, ମା’ ବିମଳା ମନ୍ଦିର, ରାମ ମନ୍ଦିର, ହନୁମାନ ମନ୍ଦିର, ବିଶ୍ବକର୍ମା ମନ୍ଦିର ମଧ୍ୟ ଅଛି। ଏସବୁ ମନ୍ଦିରରେ ସକାଳ ସଂଧ୍ୟା ପର୍ଯ୍ୟନ୍ତ ଘଣ୍ଟଘଣ୍ଟା, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହୁଏ ବାଟିକାର ପରିବେଶ। ବାଟିକାର ଆକର୍ଷଣ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ ରାଉରକେଲା ସହରକୁ। ପର୍ଯ୍ୟଟକମାନଙ୍କ ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା ରହିଛି। ରାତ୍ରୀ ରହଣି ପାଇଁ ଯାତ୍ରୀ ନିବାସ ମଧ୍ୟ ରହିଛି। ପ୍ରସାଦ ପାଇଁ ଆନନ୍ଦବଜାର ମଧ୍ୟ ରହିଛି।

ସ୍ବଳ୍ପ ମୂଲ୍ୟରେ ଶ୍ରଦ୍ଧାଳୁମାନେ ଏହାର ଆନନ୍ଦ ଉଠାଇପାରିବେ। ହନୁମାନଙ୍କ ପ୍ରତିଷ୍ଠା  ଦିବସ, ମହାଶିବ ରାତି ଓ ରଥଯାତ୍ରାରେ ବାଟିକା ଆକର୍ଷଣ ଦ୍ବିଗୁଣିତ ହୋଇଯାଏ। ଏଥିସହ ୧୨ ବର୍ଷର ୧୩ ପର୍ବ ଭଳି ପ୍ରତିମାସ ବିଭିନ୍ନ ଦେବାଦେବୀ ମନ୍ଦିରରେ କିଛି ନା କିଛି କାର୍ଯ୍ୟକ୍ରମ ଚାଲୁଥାଏ। ଗତ ୧୯୯୪ ଫେବୃଆରି ୨୩ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ହନୁମାନଙ୍କର ପ୍ରତିମୂର୍ତ୍ତିକୁ ଉଦ୍‌ଘାଟନ କରିଥିଲେ। ଆନ୍ଧ୍ରପ୍ରଦେଶ ପେଡାପୁରମ୍‌ର ତୋଗୁ ଲକ୍ଷ୍ମଣ ସ୍ବାମୀଙ୍କ ଓ ତାଙ୍କ ସହଯୋଗୀମାନେ ହନୁମାନଙ୍କର ଅବିକଳ ଜୀବନ୍ତ ପ୍ରତିମୂର୍ତ୍ତି ରୂପ ଦେଇଥିଲେ। ଯାହାର ଉଚ୍ଚତା ରହିଛି ୭୪ ଫୁଟ୍‌ ୯ ଇଞ୍ଚ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଉଦ୍ୟମରେ ହନୁମାନ ବାଟିକା ଆରମ୍ଭ ହୋଇଥିଲା। ହନୁମାନ ବାଟିକାକୁ ଅଧିକରୁ ଅଧିକ ସୌନ୍ଦର୍ଯ୍ୟ କରିବାକୁ ଶ୍ରୀ ରାୟ ଓ ତାଙ୍କ ଟ୍ରଷ୍ଟବୋର୍ଡ ସର୍ବଦା ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ସ୍ବର୍ଗତ ବିଜୁ ପଟ୍ଟନାୟକ ବାଟିକା ପାଇଁ ପ୍ରାୟ ୧୩ ସରକାରୀ ଜମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ବେଳେ ବାଟିକା ପରିସରରେ ମା’ ମଙ୍ଗଳା, ଗଣେଶ, ଜଗନ୍ନାଥ, ଶିବ, ହନୁମାନ, ମା ବୈଷ୍ଣୋଦେବୀ, ରାମ ଓ ଲକ୍ଷ୍ମୀ ଏମିତି ହାତ ଗଣତି କେତୋଟି ମନ୍ଦିର ସ୍ଥାପନା ହୋଇଥିଲା।

ପରେ ପର୍ଯ୍ୟା୍ୟକ୍ରମେ  ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା। ବର୍ତ୍ତମାନ ବାଟିକା ପରିସରରେ ୨୧ଟି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଶୋଭା ପାଉଛି। ମାତା ରାଣୀସତୀଙ୍କ ଆକର୍ଷଣୀୟ ମନ୍ଦିର ନିର୍ମାଣ କାମ ଜାରି ରହିଛି। ଏହା ବାଟିକାର ଆଉ ଦ୍ବିତୀୟ ଅନ୍ୟତମ ଆକର୍ଷଣ। ପ୍ରତ୍ୟେକ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ୫ ହଜାର ପର୍ଯ୍ୟଟକ ବାଟିକାକୁ ବୁଲି ଆସୁଛନ୍ତି। ପ୍ରାକୃତିକ ଓ ଆଧ୍ୟାତ୍ମିକ ପରିବେଶକୁ ମନଭରି ବେଶ୍‌ ଉପଭୋଗ କରୁଛନ୍ତି। ଓଡ଼ିଶା, ବିହାର, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ପର୍ଯ୍ୟଟଙ୍କ ପାଇଁ ଏହା ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଛି।

ସରକାରଙ୍କ ପକ୍ଷରୁ ସାହାଯ୍ୟ ଓ ସହଯୋଗ ମି‌ଳିଲେ ହନୁମାନ ବାଟିକାର ‌ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇପାରନ୍ତା ବୋଲି ଟ୍ରଷ୍ଟର ସଦସ୍ୟମାନେ କହିଛନ୍ତି। ‌ପ୍ରତିବର୍ଷ ପରି ଆଜି ହନୁମାନ ବାଟିକାର ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟର ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ସମେତ ଟ୍ରଷ୍ଟର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ହୋମଯଜ୍ଞ ଅନଷ୍ଠିତ ହୋଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ପଟ୍ଟନାୟକ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା। ସଂଧ୍ୟାରେ କରୋନା କଟକଣା ମଧ୍ୟରେ ଭଜନ ସଂଧ୍ୟା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର