ଭୀଷ୍ମ କୁମାର ଗଡ଼ନାୟକ

Advertisment

ଖମାର: ପାଳଲହଡ଼ା ବ୍ଲକ୍‌ ରୋହିଲା ପଞ୍ଚାୟତ ମଗରମୁହାଣ ଗାଁ ପାଖ କୁଲାଡେରା ପାହାଡ଼ରେ ରାଜୁଡ଼ା ଅମଳରେ ପଥର ଶିଳ୍ପୀଙ୍କ ଦ୍ବାରା ନିର୍ମିତ ମଗରନାକ ଉଜୁଡ଼ିଗଲାଣି। ପୂର୍ବପରି ମଗରନାକରୁ ପୃଥକ ଭାବେ ଗରମ ଓ ଥଣ୍ଡା ପାଣି ବାହାରୁନାହିଁ। ନାକରୁ ଗରମ ପାଣି ବାହାରୁଥିବା ବେଳେ ନାକର ତଳ ପାଖରୁ ବାହାରୁଛି ଥଣ୍ଡା ପାଣି। ଏହି ବିସ୍ମୟକର ଝରଣାରେ ପ୍ରାୟ ୨ ଶହ ବ‌ର୍ଷ ପୂର୍ବରୂ ପଥରରେ ମଗରର ନାକ ତିଆରି କରାଯାଇଥିଲା। ଉକ୍ତ ଉଷ୍ଣପ୍ରସ୍ରବଣରେ ଗା‌ଧୋଇଲେ କାଛୁ କୁଣ୍ଡିଆ ପ୍ରଭୃତି ଚର୍ମରୋଗରୁ ଆରୋଗ୍ୟ ମିଳିଥାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ମଗରମୁହାଣ ଗାଁର ରତ୍ନାକର ମହାନ୍ତି ଓ ଅନ୍ୟ ଗ୍ରାମବାସୀମାନେ ମଗରନାକ ସଂପର୍କରେ ସେମାନଙ୍କ ଜେଜେବାପାଙ୍କଠାରୁ ଶୁଣିଥିବା କହିଛନ୍ତି। ଗ୍ରାମବାସୀଙ୍କ ସୂଚନା ମୁତାବକ,  ମଗରମୁହାଣ ଅଞ୍ଚଳ ସମେତ କୁଲାଡେରା ପାହାଡ଼ ଘଞ୍ଚ ଜଙ୍ଗଲ ଥିଲା। କୁଲାଡେରା ପାହାଡ଼ର ସେହି ଝରଣା ପାଖକୁ ଯିବା ସହଜ ନଥିଲା। ରାଜୁଡ଼ା ଅମଳରେ କୁଲାଡେରା ପାହାଡ଼ ନିକଟରେ ରାଜାଙ୍କ ଦ୍ବାରା ଏକ ଘର ନିର୍ମାଣ କରାଯାଇଥିଲା। ଖପର ଛପର ହୋଇଥିବା ଏହି ଘରେ ରାଜା ରହି ପ୍ରମୋଦ ଭ୍ରମଣରେ ଯାଉଥିଲେ। ଜଙ୍ଗଲରେ ଶିକାର କରୁଥିଲେ ଓ ପ୍ରଜାଙ୍କଠାରୁ ରାଜସ୍ବ ଆଦାୟ କରୁଥିଲେ। ଏହାର ନାମ ଥିଲା ରାଜସ୍ବ ଗୃହ। କୁଲାଡେରା ପାହାଡ଼ରୁ ଝରି ଆସିଛି ଉଷ୍ଣପ୍ରସ୍ରବଣ। ସେହିପରି ପାହାଡ଼ର କିଛି ଜାଗାରୁ ଥଣ୍ଡାଜଳ ଝରିଆସୁଥିଲା। ସେହି ଜାଗାକୁ ଆକର୍ଷଣୀୟ କରିବା ପାଇଁ ରାଜାଙ୍କ ନିର୍ଦ୍ଦେଶରେ ଜଣେ ଶିଳ୍ପୀ ଏକ ବଡ଼ ପଥରରେ ଏକ ମଗରମାଛର ଆକୃତି ନିର୍ମାଣ କରିଥିଲେ। ଉଷ୍ଣପ୍ରସ୍ରବଣ ଓ ଶୀତପ୍ରସ୍ରବଣକୁ ମଗରମାଛ ଆଡ଼କୁ ମୁହାଁଇ ଅଣାଯାଇଥିଲା। ଫଳରେ ମଗରମାଛ ନାକର ଗୋଟିଏ ପୁଡ଼ାରୁ ଗରମ ପାଣି ଓ ଅନ୍ୟ ପୁଡ଼ାରୁ ଥଣ୍ଡା ପାଣି ବାହାରୁଥିଲା। ପ୍ରାୟ ୨୦ ବର୍ଷ ପୂର୍ବରୁ ଏହି ମଗରନାକ ସୁରକ୍ଷିତ ଥିଲା। କିନ୍ତୁ ଏହି ଐତିହ୍ୟ ଭାଙ୍ଗିଗଲାଣି। କୌଣସି ଲୋକ ଏହାକୁ ଭାଙ୍ଗିଥାଇ ପା‌ରେ କିମ୍ବା ଛାଏଁ ଛାଏଁ ଏହା ଭାଙ୍ଗିଯାଇଥିବା ଆଶଙ୍କା କରାଯାଉଛି। ଏବେ ଗରମ ପାଣି ମଗର ନାକରୁ ବାହାରୁଥିବା ବେଳେ ଥଣ୍ଡା ପାଣି ମଗରନାକର ତଳୁ ବାହାରୁଛି। କିପରି ମଗରନାକ ଭାଙ୍ଗିଲା ତାହାର ତଦନ୍ତ କରାଯିବା ସହ ବିଶେଷଜ୍ଞଙ୍କ ଦ୍ବାରା ଏହାର ପୂର୍ବାବସ୍ଥା ଫେରାଇ ଅଣାଯିବାକୁ ସାଧାରଣରେ ଦାବି ହୋଇଛି।

କୁଲାଡେରା ଜଙ୍ଗଲକୁ ଅଭୟାରଣ୍ୟରେ ପରିଣତ କରିବା, ଉକ୍ତ ସ୍ଥାନକୁ ପର୍ଯ୍ୟଟନସ୍ଥଳୀୟ ମାନ୍ୟତା ପ୍ରଦାନ ପାଇଁ ପାଳଲହଡ଼ାର ପୂର୍ବତନ ବିଧାୟକ ରବିନାରାୟଣ ପାଣି ଉଦ୍ୟମ କରିଥିଲେ। ଶ୍ରୀ ପାଣି ରାଜା ନିର୍ମାଣ କରିଥିବା ପୁରୁଣା ରାଜସ୍ବ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ କରାଇଥିଲେ। ଉକ୍ତ ଗୃହଟି ରାଜସ୍ବ ବିଭାଗ ହାତକୁ ଚାଲି ଯାଇଥିଲା ଏବଂ କୁଞ୍ଜାମ ପଞ୍ଚାୟତ ରାଜସ୍ବ ବିଭାଗ ଦାୟିତ୍ବରେ ଥିଲା। ଏଥିପାଇଁ ଜଣେ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି କର୍ମଚାରୀ ଅବସର ନେବା ପରେ ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ। ପୂର୍ବରୁ କାଛୁକୁଣ୍ଡିଆ ରୋଗୀ ଉଷ୍ଣପ୍ରସ୍ରବଣରେ ଗାଧୋଇଲେ ଆରୋଗ୍ୟ ଲାଭ କରୁଥିଲେ ବୋଲି ଗ୍ରାମବାସୀ କହୁଛନ୍ତି। ଡାକ୍ତର ଶଶିକାନ୍ତ ବେହେରା ମଧ୍ୟ କହିଛନ୍ତି ଉକ୍ତ ପାଣିରେ ସଲଫର୍‌ ଥିବାରୁ ଏହାଦ୍ବାରା କାଛୁକୁଣ୍ଡିଆ ଦୂର ହେଉଥିଲା। ଏହି ପ୍ରସ୍ରବଣ କିନ୍ତୁ ଦୂଷିତ ହୋଇଗଲାଣି। ମଗରମୁହାଣ ଗ୍ରାମବାସୀଙ୍କ ଉଦ୍ୟମରେ କୁଲାଡେରା ପାହାଡ଼ ଉପରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଛି। ଦୁଇସପ୍ତାହ ପୁର୍ବରୁ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଛି। କୁଲାଡେରା ଜଙ୍ଗଲକୁ ଅଭୟାରଣ୍ୟରେ ପରିଣତ କରିବା ସହିତ ମଗରନାକର ପୂର୍ବାବସ୍ଥା ଫେରାଇ ଆଣିବା ଓ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।