ଚଢ଼େଇଧରା: ଧର୍ମଶାଳା ତହସିଲ, ଚଢ଼େଇଧରା ଫାଣ୍ଡି ଅଧୀନ ରାହାଡ଼ପୁର କଳାପଥର ଖାଦାନରେ ଡ୍ରିଲିଂ ବେଳେ ଆଜି ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ଅଜୁ ସିଂ(୩୦)। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କୁଳିଅଣାରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପୂର୍ବରୁ କଳାପଥର ଖାଦାନ ଖନନ କରୁଥିବା ପଥର ବେପାରୀମାନେ ମୃତ ଶ୍ରମିକଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଡାକ୍ତର ସେଠାରେ ଶ୍ରମିକ ଅଜୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ଜବତ ଲାଗି ଏସ୍‌ଆଇ ସୌମ୍ୟ ଭୋଳଙ୍କୁ ନିର୍ଦେଶ ଦେଇଥିଲେ। ଆସନ୍ତାକାଲି ମୃତ ଶ୍ରମିକଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। 

Advertisment

ଦୁର୍ଘଟଣା ଘଟିଥିବା ଖାଦାନଟି ରାହାଡ଼ପୁର ବିଏସ୍‌କ୍ୟୁ ୩/୫ର ଲିଜ୍‌ଧାରୀ ସନ୍ଦୀପ ଚଣ୍ଡକଙ୍କ ପରିସୀମା ମଧ୍ୟରେ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣାପରେ ସନ୍ଧ୍ୟାରେ ରାଜସ୍ୱ ନିରୀକ୍ଷକ ଚନ୍ଦନ ସାହୁ ଓ ଖଣି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ଧାର ଓ ଖରାପ ରାସ୍ତା ଯୋଗୁଁ ଶ୍ରମିକ ଅଜୁ ସିଂଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଡିଡିଏମ୍‌ ଜୟପ୍ରକାଶ ନାୟକ କହିଛନ୍ତି, ଆସନ୍ତାକାଲି ଖଣି, ରାଜସ୍ୱ, ପୁଲିସ ଓ ଟେକ୍ନିକାଲ ଟିମ ଘଟଣାର ମିଳିତ ତଦନ୍ତ କରିବ। ଦୁର୍ଘଟଣା ଘଟିଥିବା ସ୍ଥାନର ସବି‌ଶେଷ ତଥ୍ୟ ଜଣାପଡ଼ିବା ପରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କରିଛନ୍ତି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୃତ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆଇନ ଅନୁସାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ବେପରୁଆ ଓ ବିପଜ୍ଜନକ ଖଣି ଖନନ ଯୋଗୁଁ ଚଳିତ ବର୍ଷ ଡଙ୍କାରୀ, ଲୁଣିବର ଓ ରାହାଡ଼ପୁରରେ ୮ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଲାଣି।

ଡଙ୍କାରୀରେ ବିପଜ୍ଜନକ ଭାବେ ମନୁଷ୍ୟକୃତ  ଖନନ କରୁଥିବା ବେଳେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେହିପରି ଚଢେଇଧରା ଫାଣ୍ଡି ପଛପଟ ଲୁଣିବର ବେଆଇନ୍ ଖାଦାନରେ  ଗଙ୍ଗା ଓଝା ମେସିନ୍ ଖନନ କରୁଥିବା ‌ବେଳେ ୨ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ତଦନ୍ତ ହୋଇଥିଲା। ଆଜି ରାହାଡ଼ପୁର ଶ୍ରମିକ ଦୁର୍ଘଟଣାରେ ପ୍ରଶାସନ ତଦନ୍ତ କରି ପଥର ବେପାରୀଙ୍କ ବିରୋଧରେ କଣ ରିପୋର୍ଟ ଦେଉଛି?  କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି? ତାହା  ଉପରେ ସମସ୍ତଙ୍କର ନଜର।