ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ‘କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼’ (କେକେବିଏନ୍‌) ମାଓ ଡିଭିଜନର ତାଣ୍ଡବଲୀଳା ଚାଲିଥିବା ବେଳେ ଏବେ ପୁଣି ‘ବଂଶଧାରା-ଘୁମୁସର-ନାଗାବଳୀ’ (ବିଜିଏନ୍‌) ମାଓ ଡିଭିଜନର ହିଂସାକାଣ୍ଡ ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଏକାସାଙ୍ଗରେ ଦୁଇ ଦୁଇଟି ମାଓ ଡିଭିଜନର ହିଂସାତ୍ମକ କାର୍ଯ୍ୟକଳାପକୁ ପୁଲିସ କିଭଳି ମୁକାବିଲା କରିବ, ତାହା ‌ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Advertisment

ପୂର୍ବରୁ କନ୍ଧମାଳ ଜିଲ୍ଲାର କନ୍ଧମାଳ-କଳାହାଣ୍ଡି ଏବଂ କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ କେକେବିଏନ୍‌ ମାଓ ଡିଭିଜନ ବିଭିନ୍ନ ହିଂସାକାଣ୍ଡ ଘଟାଇ ଆସୁଛନ୍ତି। ମାତ୍ର ଚଳିତମାସ ୧୮ ତାରିଖରେ ବିଜିଏନ୍‌ ମାଓ ଡିଭିଜନ ପକ୍ଷରୁ କୋଟଗଡ଼ ବ୍ଲକର ବଣ୍ଡାପିପିଲିଠାରେ ପୁଲିସ ଇନ୍‌ଫର୍ମର ସନ୍ଦେହରେ ସ୍ପଷ୍ଟ ଦିବାଲୋକରେ ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ଏହା ଏବେ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ପୂର୍ବରୁ ଯେ, କନ୍ଧମାଳ ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ ହିଂସାକାଣ୍ଡ ଘଟାଇ ନଥିଲା ତାହା ନୁହେଁ। ଗତ ୨୦୧୭ ମସିହାରେ ଶେଷଥର ପାଇଁ ବିଜିଏନ୍‌ ମାଓ ଡିଭିଜନ କୋଟଗଡ଼ର ଦୁର୍ଗାପାଙ୍ଗାରେ ଜଣେ ଜିଆର୍‌ଏସ୍‌ ବସନ୍ତ କୁମାର ଭାଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ମାତ୍ର, ଏହାପରଠାରୁ ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ପ୍ରାୟ ନିଷ୍କ୍ରିୟ ରହିଥିଲା। ୨୦୧୭ ପରଠାରୁ ଜିଲ୍ଲାରେ କେକେବିଏନ୍‌ ମାଓ ଡିଭିଜନ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟକଳାପ ଘଟାଇ ଆସୁଛି। ମାତ୍ର ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଏବେ ପୁଣି ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ସକ୍ରିୟ ହେବା ଏବେ ପୁଲିସ ପାଇଁ ଅତିରିକ୍ତ ଆହ୍ବାନ ପାଲଟିଛି। ଗୋଟିଏପଟେ ପୁଲିସ କେକେବିଏନ୍‌ର ମୁକାବିଲା କରିଆସୁଥିବା ବେଳେ ଏବେ ବିଜିଏନ୍‌ ଡିଭିଜନର ପୁନଃ ଅଭ୍ୟୁଦୟ ପୁଲିସର ଚିନ୍ତା ବଢ଼ାଇ ଦେଇଛି।