ମାଲକାନଗିରି: ପୁଲିସ ଉପରୁ ଆସ୍ଥା ହରାଇଲେ। ପୁଲିସ ଉପସ୍ଥିତିରେ ଲଙ୍କାକାଣ୍ଡ ଘଟାଇଲେ। ୫୦ରୁ ଅଧିକ ଘର ଜାଳିଦେବା ସହ ଦୋକାନ ଲୁଟିଲେ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୨୬ ଗାଁରେ ଆଜି ଏମିତି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମିଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର ପରେ ଉଗ୍ର ଆଦିବାସୀ ଏଭଳି କାଣ୍ଡ ଘଟାଇଛନ୍ତି। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ପୁଲିସ ଫୋର୍ସ ଓ ବିଏସ୍‌ଏଫ୍‌ ଯବାନ ଗାଁରେ ପହଞ୍ଚିଛନ୍ତି।

Advertisment

Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ

ଗତ ୪ତାରିଖ ଦିନ ନିଖୋଜ ଲାକେ ପଡ଼ିଆମିଙ୍କ ମୁଣ୍ଡ ବିହୀନ ଶବ ଡୁଡାମେଟା ନଦୀକୂଳରୁ ମିଳିଥିଲା। ଏହାପରେ ଗ୍ରାମବାସୀ ଓ ଆଦିବାସୀ ମହାସଂଘ ଲାକେଙ୍କ କଟାମୁଣ୍ଡର ସନ୍ଧାନ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ। ଶୁକ୍ରବାର କଟାମୁଣ୍ଡ ଦାବିରେ ଏମ୍‌ଭି-୨୬ ଗାଁ ସୀମାରେ ଶତାଧିକ ଆଦିବାସୀ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ବୁଝାସୁଝା କରିବାରୁ ଉତ୍ତ୍ୟକ୍ତ ଆଦିବାସୀ ଫେରି ଆସିଥିଲେ। ଏହାପରେ ଗତକାଲି ଆଦିବାସୀ ମହାସଂଘ ପକ୍ଷରୁ ରାଖେଲଗୁଡ଼ା ଗାଁରେ ବିଶାଳ ମେଳି ହୋଇଥିଲା। ଲାକେ ପଡିଆମିଙ୍କ ହତ୍ୟାରେ ଏମ୍‌ଭି-୨୬ ଗାଁର କିଛି ସନ୍ଦିଗ୍ଧଙ୍କ ସଂପୃକ୍ତି ରହିଥିବା ଆଲୋଚନା ହୋଇଥିଲା। ଦୁଇ ଦିନ ଧରି ଅଶାନ୍ତି ଲାଗି ରହିଥିଲା ବେଳେ ପୁଲିସ କଟାମୁଣ୍ଡ ଖୋଜିବାରେ ବିଫଳ ହୋଇଥିଲା। ଉତ୍ତେଜନା ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସର ପଦକ୍ଷେପ ବୁଝାସୁଝାରେ ସୀମିତ ରହିଥିଲା। ଯାହାର ପରିଣାମ ସ୍ବରୂପ ଆଜି ଲୋକ ଆଇନକୁ ହାତକୁ ନେଇଛନ୍ତି।

ଦୋକାନ ଲୁଟିଲେ, ଗାଡ଼ି ଭାଙ୍ଗିଲେ
ଏମ୍‌ଭି-୨୬ ଗାଁ ଛାରଖାର
ନିରବ ଦର୍ଶକ ସାଜିଲା ପୁଲିସ

ପୁଲିସ ନିଷ୍କ୍ରିୟତାକୁ ଦାୟୀ କରି ଆଜି ସକାଳେ ଶହଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଏମ୍‌ଭି-୨୬ ଗାଁରେ ପହଞ୍ଚିଥିଲେ। କୋରୁକୋଣ୍ଡା ପୁଲିସ ଖବର ପାଇ ପହଞ୍ଚିବା ସହ ପୁଣି ବୁଝାସୁଝା କରିଥିଲା। କିନ୍ତୁ ବୁଝିବା ଅବସ୍ଥାରେ ନଥିଲେ ଲୋ‌କେ। ଅପରାହ୍‌ଣ ୪ଟାରେ ହଠାତ୍‌ ଉଗ୍ର ହୋଇ ଗାଁ ଭିତରେ ପଶି ଯାହା ପାଇଲେ ଭାଙ୍ଗିଲେ। ୫୦ରୁ ଅଧିକ ଘର ଓ ଦୋକାନରେ ନିଆଁ ଲଗାଇଲେ। ଯାହା ଯେଉଁଠୁ ପାଇଲେ ଲୁଟିନେଲେ। ରାସ୍ତାରେ ଥିବା ବାଇକ୍‌, ଅଟୋକୁ ଭାଙ୍ଗିଦେଲେ। ପୁଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିଲେ ବି ପୁଲିସ ମୂକ ଦର୍ଶକ ସାଜିଥିଲା। ଶତାଧିକ ଲୋକଙ୍କ ଉଗ୍ର ରୂପ ଦେଖି ପୁଲିସ ନିଜକୁ ଅସହାୟ ମଣିଥିଲା। ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାପରେ ମାଲକାନଗିରି ଏସ୍‌ପି ବିନୋଦ ପାଟିଲ ଏଚ୍‌, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ, ଉପଜିଲ୍ଲାପାଳ ଅଶ୍ନି ଏ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ, କୋରୁକୋଣ୍ଡା ଥାନା ଆଇଆଇସି ହିମାଂଶୁ ବାରିକ, ବାଲିମେଳା ଥାନା ଆଇଆଇସି ଅଶ୍ବିନୀ ପଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ପୁଲିସ ଫୋର୍ସ ଓ ବିଏସ୍‌ଏଫ ଯବାନ ଗାଁରେ ପହଞ୍ଚିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। କିନ୍ତୁ ସେତେବେଳକୁ ଏମ୍‌ଭି-୨୬ ଗ୍ରାମ ଛାରଖାର ହୋଇ ସାରିଥିଲା। 

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ଲୋକଙ୍କ ବିକଳ ଚିତ୍କାର ଶୁଣାଯିବା ସହ ପୋଡ଼ି ଯାଇଥିବା ଘରୁ ଲୋକେ ଜନିଷପତ୍ର ବାହାର କରୁଥିବା ଦେଖିବାକୁ ମିଳିଛି। ଲୋକେ ଆତଙ୍କ ଓ ଆକ୍ରୋଶ ମଧ୍ୟରେ ରହିଥିବା ଜଣାପଡ଼ିଛି। ପୁଣି ଆକ୍ରମଣର ସମ୍ଭାବନା ରହିଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସକୁ ନିବେଦନ କରିଛନ୍ତି। ଘରଗୁଡ଼ିକ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ଶୀତ ରାତିରେ କେମିତି ରହିବେ ସେହି ଚିନ୍ତାରେ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ପୁଲିସ ଓ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବା ସହ ଉଭୟପକ୍ଷକୁ ବୁଝାସୁଝା କରିବାକୁ ପ୍ରୟାସ ଜାରି ରଖିଛି। ମାଲକାନଗିରି ଏସ୍‌ପି କହିଛନ୍ତି ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏହି ପୋଡ଼ାଜଳା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ କୋରକୋଣ୍ଡା ଥାନାରେ ଅଟକ ରଖାଯାଇଛି।  ଘଟଣାର ତଦନ୍ତ ସହ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।